ନୂଆଦିଲ୍ଲୀ,୦୭/୦୫: ପହଲଗାମ ପ୍ରତିଶୋଧ । ଲୁହ ଲହୁର ହିସାବ ନେଇଛି ସେନା । ସିନ୍ଦୂରର ହିସାବ ନେଇଛି 'ଅପେରସନ ସିନ୍ଦୂର' । ପାକିସ୍ତାନ ଉପରେ ଭାରତ କରିଛି ଆକ୍ରମଣ । ପହଲଗାମ୍ ଗଣହତ୍ୟାର ବଦଲା ନେଇ ପାକିସ୍ତାନର ୯ଟି ସ୍ଥାନରେ ପ୍ରଚଣ୍ଡ ମିସାଇଲ ମାଡ଼ । ଥରି ଉଠିଛି ପାକ୍ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନର କେତେକ ଅଞ୍ଚଳ । ୨୫ ମିନିଟରେ ୯ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ହାମର ବୋମା ଓ ସ୍କ୍ରାଲ୍ପ ମିସାଇଲ ପକାଇ ଆତଙ୍କୀ ଆଡ୍ଡାକୁ ଛାରଖାର କରିଛି ଭାରତ । ଜାଣିଛନ୍ତି କି ପାକ୍ରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକ୍ର ନାମ କାହିଁକି 'ଅପେରସନ ସିନ୍ଦୂର' ରଖାଯାଇଥିଲା ? ପହଲଗାମ ଆତଙ୍କୀ ଆକ୍ରମଣ ସହ ଏହାର କନେକ୍ସନ ରହିଛି ।
ନିଘୋଡ ନିଦରେ ଶୋଇଥିଲା ପାକିସ୍ତାନ । ଅମା ଅନ୍ଧକାରକୁ ଚିରି ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ କରିଥିବା ମିସାଇଲ ମାଡକୁ 'ଅପରେସନ ସିନ୍ଦୂର' ନାମ ଦିଆଯାଇଛି । ୨୨ ଏପ୍ରିଲରେ ଭାରତର ଭୂସ୍ୱର୍ଗ ଜମ୍ମୁ କଶ୍ମୀର ପହଲଗାମ ବୈସରନ ଘାଟିରେ ହୋଇଥିବା ଆତଙ୍କୀ ଆକ୍ରମଣର ପ୍ରତିଶୋଧ । ଯେଉଁଥିରେ ୨୬ ନୀରିହଙ୍କର ମୃତ୍ୟୁ ହୋଇଥିଲା । କେବେଳ ପୁରୁଷଙ୍କୁ ଟାର୍ଗେଟ କରାଯାଇଥିଲା । ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ଗୁଳି କରିଥିଲେ ଆତଙ୍କୀ । ୨୫ ମହିଳାଙ୍କ ସିନ୍ଦୂର ପୋଛିଥିଲେ ଆତଙ୍କୀ । ୧୫ ଦିନରେ 'ଅପରେସନ ସିନ୍ଦୂର' ଜରିଆରେ ଜବାବ ଦେଇଛି ଭାରତ ।
କାହିଁକି ଅପରେସନ ସିନ୍ଦୂର ? ଏବେ ପ୍ରଶ୍ନ ଅପରେସନ ନାମ କାହିଁକି ଅପରେସନ ସିନ୍ଦୂର ରଖାଗଲା । ଯଦିଓ ଏ ନେଇ ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ଭାରତୀୟ ସୈନ୍ୟ ପରମ୍ପରାରେ ଅପରେସନର ନାମ ସାସ୍କୃତିକ ଓ ପ୍ରତିକାତ୍ମକ ମହତ୍ତ୍ୱ ରଖିଥାଏ । ହିନ୍ଦୁ ପରମ୍ପରା ଅନୁସାରେ ବିବାହିତ ମହିଳାଙ୍କ ସମ୍ପତ୍ତି ସିନ୍ଦୁର । ସିନ୍ଦୁରରୁ ସେମାନେ ବିବାହିତ ବୋଲି ଜଣାପଡିଥାଏ । ଆତଙ୍କୀ ଗୁଳିରେ ମୃତ ସେହି ସ୍ୱାମୀମାନଙ୍କୁ ସମ୍ମାନ ଦେବାକୁ 'ଅପରେସନ ସିନ୍ଦୂର' ନାମ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅପରେସନ କେବଳ ଆତଙ୍କୀଙ୍କୁ ଜବାବ ନୁହେଁ ସେହି ପରିବାରଙ୍କ ପ୍ରତି ଭାରତର ସମ୍ବେଦନା ଓ ସଂକଳ୍ପକୁ ଦର୍ଶାଉଛି ।