ଭୁବନେଶ୍ଵର, ୨୩/୦୫ ; ଓଡ଼ିଶାରେ ତାତି ବିସ୍ଫୋରଣ। ଅଗ୍ନି ବର୍ଷକ ଜ୍ଵାଳା। ଆକାଶରୁ ବର୍ଷୁଛି ନିଆଁ, ସାନ୍ଧି ଦେଉଛି ତତଲା ପବନ। ପଶ୍ଚିମରୁ ଆଭ୍ୟନ୍ତରୀଣ କଲବଲ କରୁଛି ଗ୍ରୀଷ୍ମ ଲହରୀ। ଉପକୂଳରେ ବି ତାତିରୁ ମିଳୁନି ତ୍ରାହି। ଟାଇଁ ଟାଇଁ ଖରାରେ ସିଝାଉଛି ମେ ମାସ ତାତି। ଦାଉ ସାଧୁଛି ନୌତପା। ପ୍ରଚଣ୍ଡ ରୌଦ୍ରତାପରେ ତ୍ରାହି ତ୍ରାହି ଡାକିଲେଣି ଲୋକେ। ରାଜ୍ୟରେ ଅଂଶୁଘାତରେ ଗଲାଣି ୩ ଜୀବନ। ପାଣିପାଗ ବିଭାଗର ପୂର୍ବାନୁମାନ ଶୁଣିଲେ ଲାଗୁଛି ଡର। ଆଗକୁ ଆହୁରି ସାଙ୍ଘାତିକ ହେବ ସ୍ଥିତି। ଆଉଟୁପାଉଟୁ ହେବ ଜୀବଜଗତ। ତେବେ ଆପଣ ଜାଣିଛନ୍ତି କି ? କେତେ ଡିଗ୍ରୀ ପର୍ଯ୍ୟନ୍ତ ତାତି ସହି ପାରିବ ମଣିଷ ? କେତେ ଡିଗ୍ରୀ ଉପରକୁ ତାପମାତ୍ରା ଗଲେ ମୃତ୍ୟୁ ହେବାଟା ଥୟ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ...
ମଣିଷ ଶରୀର ଏକ ମେସିନ୍ ଭଳି କାମ କରେ। ଏହାର ଏକ ନିର୍ଦ୍ଧାରିତ ସୀମା ଅଛି। ଶରୀର ସେତିକି ସୀମା ଯାଏଁ ତାତି ସହ୍ୟ କରିପାରିବ। ହେଲେ ତାପମାତ୍ରା ପିକ୍ ପଏଣ୍ଟରେ ପହଞ୍ଚିଗଲେ ଅଙ୍ଗ ପ୍ରତ୍ୟଙ୍ଗ ସାଇରନ୍ ଦେବେ। ମସ୍ତିଷ୍କ କାମ କରିବା ବନ୍ଦ କରିଦେବ। ମଣିଷ ଶରୀରର ସାମାନ୍ୟ ତାପମାତ୍ରା ହେଉଛି ୯୮.୬ ଡିଗ୍ରୀ ଫାରେନାହାଇଟ୍। ଯାହାକି ୩୭.୫ ଡିଗ୍ରୀ ସେଲସିଅସ୍ ର ବରାବର ହୋଇଥାଏ। ଜଣେ ସୁସ୍ଥ ମଣିଷ ଅଧିକରୁ ଅଧିକ ୪୨.୩ ଡିଗ୍ରୀ ସେଲସିଅସ୍ ଯାଏଁ ବାହ୍ୟ ତାପମାତ୍ରା ସହ୍ୟ କରିପାରେ। ୪୦ ଡିଗ୍ରୀରୁ ଉପରକୁ ହେଲେ ଶରୀରକୁ ଶୀତଳ ରଖିବା ପାଇଁ ମସ୍ତିଷ୍କ କମାଣ୍ଡ ଦିଏ। ଏହାପରେ ତ୍ଵଚା ଆଡ଼କୁ ରକ୍ତ ସଞ୍ଚାଳନ ବଢେ। ଏହାଦ୍ଵାରା ଅମ ଦେହରୁ ଝାଳ ବାହାରେ। ଝାଳରେ ପବନ ବାଜିଲେ ଶରୀର ଥଣ୍ଡା ରୁହେ। ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳେ। ତେବେ ପ୍ରଚୁର ପାଣି ପିଇ କିମ୍ଵା ଛାଇରେ ରହି ୪୫ ଡିଗ୍ରୀରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିହେବ। ହେଲେ ପାରଦ ୫୦ ଡିଗ୍ରୀ ଟପିଗଲେ ଜୀବନ ଚାଲିଯିବାଟା ଥୟ।
ଖାଲି ତାପମାତ୍ରା ବଢିଗଲେ ଅଂଶୁଘାତ ହୁଏ ନାହିଁ। ଅସଲ ଖଳନାୟକ ହେଉଛି ହ୍ୟୁମିଡିଟି। ଏହାକୁ ମାପିବା ପାଇଁ ବୈଜ୍ଞାନିକ ୱେଟ୍ ବଲବ ତାପମାନର ବ୍ୟବହାର କରନ୍ତି। ଏହା ତାପମାତ୍ରା ଏବଂ ଆର୍ଦ୍ରତାର ମିଶ୍ରଣ। ଆମର ଶରୀର ଝାଳ ନିଜକୁ ଥଣ୍ଡା ରଖିପାରିବ କି ନାହିଁ ଏହା ନିର୍ଣ୍ଣୟ କରେ। ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ତାପମାତ୍ରା ୩୫ ଡିଗ୍ରୀ ସେଲସିଅସ୍ ଏବଂ ଆର୍ଦ୍ରତା ୧୦୦ ପ୍ରତିଶତ ଥିବ କିମ୍ବା ତାପମାତ୍ରା ୪୬ ଡିଗ୍ରୀ ସେଲସିଅସ୍ ଏବଂ ଆର୍ଦ୍ରତା ୫୦ ପ୍ରତିଶତ ଥିବ ତାହେଲେ ମଣିଷ ବଞ୍ଚି ରହିବାର ସମ୍ଭାବନା କମ୍। ଏହି ସମୟରେ, ବାୟୁରେ ଆର୍ଦ୍ରତା ଏତେ ଥାଏ ଯେ, ଝାଳ ଶୁଖିପାରେ ନାହିଁ। ଯାହାଫଳରେ ଶରୀରର କୁଲିଂ ସିଷ୍ଟମ ଫେଲ୍ ହୋଇଯାଏ। କିଛି ଘଣ୍ଟା ମଧ୍ୟରେ ମଣିଷର ଜୀବନ ଚାଲିଯାଏ।
ଅଂଶୁଘାତ ହେବ ପୂର୍ବରୁ ଆମ ଅଙ୍ଗ ପ୍ରତ୍ୟଙ୍ଗ ସଙ୍କେତ ଦିଅନ୍ତି। ଯେମିତିକି ସ୍ଵର କ୍ଷୀଣ ହୋଇଯାଏ। ମଣିଷ ବେହୋସ୍ ହୋଇଯାଏ। ରକ୍ତଚାପ ନିୟନ୍ତ୍ରଣ ରଖିବା ପାଇଁ ଏବଂ ଶରୀରକୁ ଥଣ୍ଡା କରିବା ପାଇଁ, ହାର୍ଟକୁ ଦ୍ରୁତ ଗତିରେ ପମ୍ପ କରିବାକୁ ପଡ଼ିଥାଏ। ଏହାଦ୍ଵାରା ହୃଦସ୍ପନ୍ଦନ ବଢିଯାଏ। ଯାହା ହୃଦଘାତର ଆଶଙ୍କା ବୃଦ୍ଧି କରେ। ଅତ୍ୟଧିକ ଡିହାଇଡ୍ରେସନ କାରଣରୁ ରକ୍ତ ଗାଢ ହୋଇଯାଏ। କିଡନୀ ଟକ୍ସିନ୍ସକୁ ଫିଲଟର କରିପାରେ ନାହିଁ। କିଡନୀ ଫେଲ୍ ହୋଇଯାଏ। ଲିଭରର କୋଶିକା ନଷ୍ଟ ହେବାକୁ ଲାଗେ। ଅତ୍ୟଧିକ ଗରମରେ, ଶରୀର ଭିତରେ ଥିବା ପ୍ରୋଟିନ୍ ସିଝିବାକୁ ଲାଗେ। ଏହାକୁ ଡିନେଚର କୁହାଯାଏ। କୋଷିକାଗୁଡ଼ିକ ଭିତରୁ ନଷ୍ଟ ହୋଇଯାଏ।
ପ୍ରତିବର୍ଷ ତାତି ନୂଆ ରେକର୍ଡ ଭାଙ୍ଗୁଛି। ଜଳବାୟୁ ପରିବର୍ତ୍ତନ ବଡ଼ ସ୍ଵାସ୍ଥ୍ୟ ବିପଦକୁ ଡାକି ଆଣୁଛି। ପ୍ରକୃତି କରାଳ ରୂପ ଦେଖାଉଛି। ସମୟ ଥାଉ ଥାଉ ପ୍ରକୃତିର ଏହି ଚେତାବନୀକୁ ବୁଝିଗଲେ ଭଲ। ନଚେତ୍ ମୃତ୍ୟୁ ହେବାଟା ପକ୍କା।