ଭୁବନେଶ୍ୱର ୨୯/୧୨: ଛୋଟକାଟର ପୂଜା ହେଉ ଅବା କୌଣସି ବଡ଼ଧରଣର ପୂଜା ଅନୁଷ୍ଠାନ, ଏଥିରେ ଲାଗୁଥିବା ସାମଗ୍ରୀଗୁଡ଼ିକ ଯଦି ବଳକା ରହିଯାଏ ତେବେ ତାହାର ଉପଯୁକ୍ତ ଉପଯୋଗ ହେବା ଜରୁରି । ଏହାକୁ ବର୍ଜ୍ୟ ପରି ବ୍ୟବହାର କରିବା ଆସ୍ଥା,ବିଶ୍ୱାସ ପ୍ରତି ଅବମାନନା ଅଟେ । ଆହୁରି ମଧ୍ୟ ଧ୍ୟାନ ରଖିବା ଜରୁରି ଯେ ଦେବଦେବୀଙ୍କ ପୂଜାରେ ସର୍ବଦା ଶୁଦ୍ଧ,ପ୍ରାକୃତିକ ଜିନିଷ ବ୍ୟବହୃତ ହେବା ଉଚିତ ।

-ପୂଜା, ଯଜ୍ଞରେ ବ୍ୟବହାର ହେଉଥିବା ଘିଅ,ତେଲ ଯଦି ବଳି ପଡ଼ୁଛି ତେବେ ତାହାକୁ ଆଉ ଏକ ପୂଜାରେ ବ୍ୟବହାର ପାଇଁ ସାଇତି ରଖାଯାଇପାରେ । କିନ୍ତୁ ଚେଷ୍ଟା କରିବା ଉଚିତ ଯେ ଘିଅ, ତେଲ ପୂଜା ପାଇଁ ବ୍ୟବହାର ସହ ଯେପରି ତାହା ସରିଯିବ । ବଳକା ପୂଜା ଘିଅ ଅବା ତେଲ ଖାଦ୍ୟ ତିଆରିରେ ବ୍ୟବହାର ହେବା ଅନୁଚିତ ।

-ଯଦି ହଳଦୀ,କୁଙ୍କୁମ ବା ଅକ୍ଷତ ବଳକା ରହୁଥାଏ ତେବେ ଏହାକୁ ପୂଜା ଗଛ ମୂଳରେ ବିସର୍ଜନ କରିଦିଅନ୍ତୁ । ଏହା ଦ୍ୱାରା କାହାର ପାଦ ପଡ଼ିବ ନାହିଁ । ନଦୀ ସ୍ରୋତରେ ବି ଭସାଇ ଦେଇପାରିବେ ।

-ପୂଜା ଭୋଗ ଅନ୍ୟମାନଙ୍କୁ ବାଣ୍ଟି ଦିଅନ୍ତୁ । ତଥାପି ଯଦି ବଳୁଛି ତେବେ ଗୋମାତାଙ୍କୁ ଖୁଆଇପାରିବେ । ପଶୁପକ୍ଷୀଙ୍କୁ ମଧ୍ୟ ଖାଇବା ପାଇଁ ଦେଇପାରିବେ । କିନ୍ତୁ ଏହାକୁ ବର୍ଜ୍ୟବସ୍ତୁ ପରି ଅଳିଆଡ଼ବାରେ ଫୋପାଡ଼ିବେ ନାହିଁ । କେହି କାରବାର କରୁନଥିବା ସ୍ଥାନରେ ଗଛମୂଳରେ ଏହାକୁ ରଖିଦିଅନ୍ତୁ ।

-ପୂଜାରେ ବ୍ୟବହୃତ ଫୁଲ,ଫୁଲମାଳା ଇତ୍ୟାଦିକୁ ମାଟିରେ ପୋତି ଦେଲେ ଭଲ । ଗଛ ମୂଳରେ ମଧ୍ୟ ଏହାକୁ ଦେଇପାରିବେ । କିନ୍ତୁ ଏଠି ସେଠି ଫିଙ୍ଗିବା ଅନୁଚିତ । ବଳକା ସଳିତାକୁ ମଧ୍ୟ ମାଟିରେ ପୋତି ଦିଅନ୍ତୁ ।