ଭୁବନେଶ୍ୱର ୦୮/୦୪: ଆପଣଙ୍କ ହ୍ୱାଟସ୍‌ଆପ୍‌ ନମ୍ବରକୁ ଏକ ୬ ଟିକିଆ ଓଟିପି(ୱାନ ଟାଇମ୍‌ ପାସ୍‌ୱାର୍ଡ) ନମ୍ବର ଆସୁଛି କି? ସାବଧାନ ହୋଇଯାଆନ୍ତୁ । ସାଇବର ଠକ ଆପଣଙ୍କ ହ୍ୱାଟସ୍‌ଆପ୍‌କୁ ହ୍ୟାକ୍‌ କରିପାରେ । ଆଉ ଠକଜଣକ ଆପଣଙ୍କ ହ୍ୱାଟସ୍‌ଆପ୍‌କୁ ଅପରେଟ୍‌ କରି ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କଠାରୁ ସହାୟତା ଆଳରେ ପୁଳା ପୁଳା ଟଙ୍କା ନେଇପାରେ । ଡିଜିଟାଲ ଆରେଷ୍ଟ ଭୟ ଏବେ ବି ଲୋକଙ୍କ ମନରେ ଥିବା ବେଳେ ସାଇବର ଠକଙ୍କ ଆଉ ଏକ ଅସ୍ତ୍ର ‘ହ୍ୱାଟସ୍‌ଆପ୍‌ କ୍ରାକିଂ’ ଲୋକଙ୍କୁ ଡରାଇଲାଣି । ପ୍ରତିଦିନ ଶହ ଶହ ଲୋକ ସାଇବର ଠକଙ୍କ ଜାଲରେ ଫସୁଛନ୍ତି । ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଏକାଧିକ ଅଭିଯୋଗ ମଧ୍ୟ ହେଲାଣି ।

ଠକିବା ତରିକା :

ସାଇବର ଠକମାନେ ଡାଟାବେସ୍‌ ସଂଗ୍ରହ କରି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହ୍ୱାଟସ୍‌ଆପ୍‌ ଆକାଉଣ୍ଟକୁ ମେସେଜ୍‌ ପଠାଉଛନ୍ତି । ଉକ୍ତ ମେସେଜ୍‌ରେ ଏକ ୬ ଟିକିଆ ଓଟିପି ନମ୍ବର ରହୁଛି । ପରେ ସାଇବର ଠକଜଣକ ମେସେଜ୍‌ ଯୋଗେ ଆକାଉଣ୍ଟଧାରୀଙ୍କୁ ନିବେଦନ କରୁଛି ଯେ ବାଉଳାରେ ଏହି ନମ୍ବରଟି ଆପଣଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲି । ତୁରନ୍ତ୍ର ଉକ୍ତ ନମ୍ବରକୁ ତାଙ୍କ ନମ୍ବରକୁ ପଠାଇ ଦିଅନ୍ତୁ । ସାଇବର ଠକର ଏହି ଚାଲ୍‌କୁ ଅନେକ ବୁଝିପାରୁନାହାନ୍ତି । ନିବେଦନକ୍ରମେ ଉକ୍ତ ଓଟିପିକୁ ଉକ୍ତ ଠକର ହ୍ୱାଟସ୍‌ଆପ୍‌କୁ ପଠାଇ ଦେଉଛନ୍ତି । ବାସ୍‌, ଏହାପରେ ଠକର ଅସଲି କାରସାଦି ଆରମ୍ଭ ହୋଇଯାଉଛି । ଠକଜଣକ ଉକ୍ତ ହ୍ୱାଟସ୍‌ଆପକୁ ସମ୍ପୂର୍ଣ୍ଣ ଭାବେ ନିମନ୍ତ୍ରଣ କରୁଛି । ଆକାଉଣ୍ଟରେ ଥିବା ସବୁତକ ଚାଟ୍‌କୁ ପଢ଼ି ପୀଡି଼ତଙ୍କ ସମ୍ପର୍କୀୟ ଓ ନିକଟତର ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଛି । ସମୟକ୍ରମେ ନାନା ଉପାୟରେ ସାହାଯ୍ୟ ମାଗିବା ବାହାନାରେ ସେମାନଙ୍କଠାରୁ ପୁଳା ପୁଳା ଟଙ୍କା ନେଇଯାଉଛି । 

ବର୍ତ୍ତିବେ କେମିତି? 

ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀଙ୍କ କହିବା ମୁତାବକ, ସ୍ମାର୍ଟ ମୋବାଇଲ୍‌ ଥିବା ପ୍ରାୟ ସମସ୍ତ ବ୍ୟକ୍ତି ହ୍ୱାଟସ୍‌ଆପ୍‌ ବ୍ୟବହାର କରୁଛନ୍ତି । ଡିଜିଟାଲ ଯୁଗରେ ଯୋଗାଯୋଗର ପ୍ରମୁଖ ଭୂମିକା ତୁଲାଉଛି ଏହି ହ୍ୱାଟସ୍‌ଆପ୍‌ । ରିକ୍ସା ଚାଳକ କି ରାଜ୍ୟର ମୁଖିଆ ଅବା ବରିଷ୍ଠ ପ୍ରଶାସନିକ ଅଧିକାରୀ ହୁଅନ୍ତୁ, ସଭିଙ୍କର ମୋବାଇଲ୍‌ରେ ହ୍ୱାଟସ୍‌ଆପ୍‌ ରହୁଛି । ବିନା ହ୍ୱାଟସ୍‌ଆପ୍‌ରେ ଚଳିବା ମୁସ୍କିଲ ହୋଇପଡୁଛି । ଯାହାର ଫାଇଦା ଉଠାଇବା ଚକ୍କରରେ ଅଛନ୍ତି ସାଇବର ଠକ । ଏଥିରୁ ବର୍ତ୍ତିବା ପାଇଁ ଉପାୟ ମଧ୍ୟ ଆପ୍‌ ସେଟିଂରେ ଅଛି । ଯଦି ହ୍ୱାଟସ୍‌ଆପ୍‌ରେ ଥିବା ସେଟିଂ ଓ ଆକାଉଣ୍ଟକୁ ଖୋଲି ‘୨ ଷ୍ଟେପ୍‌ ଭେରିଫିକେସନ’କୁ ଅନ୍‌ କରିବେ, ତେବେ ସାଇବର ଠକ କୌଣସିମତେ ଆପଣଙ୍କ ହ୍ୱାଟସ୍‌ଆପ୍‌ ଆକାଉଣ୍ଟକୁ ହ୍ୟାକ୍‌ କରିପାରିବନି । ଯଦି କାହାରି ହ୍ୱାଟସ୍‌ଆପ୍‌କୁ ସାଇବର ଠକ ହ୍ୟାକ୍‌ କରୁଛି, ଆଦୌ ବ୍ୟସ୍ତ ହୁଅନ୍ତୁନି । ଯଥାଶୀଘ୍ର ଉକ୍ତ ଆକାଉଣ୍ଟକୁ ଲଗ୍‌ ଆଉଟ୍‌ କରନ୍ତୁ । ଏହି ପ୍ରକ୍ରିୟା ବେଳେ ଆପଣଙ୍କ ଫୋନ୍‌କୁ ଆସିଥିବା ୬ ଟିକିଆ ଭେରିଫିକେସନ କୋଡ୍‌ ଦେଇ ପୁନଃ ଆକାଉଣ୍ଟ ଖୋଲନ୍ତୁ । ଫଳରେ ସାଇବର ଠକ ଖୋଲିଥିବା ଆକାଉଣ୍ଟ ଆପେ ଲଗ୍‌ ଆଉଟ୍‌ ହୋଇଯିବ । 

୩ ମାସରେ ଲୁଟିଲେଣି ୧୨ କୋଟି :

ଚଳିତ ବର୍ଷ ଆରମ୍ଭରୁ ସାଇବର ଠକ ଜାଲ ବିଛାଇ ଟଙ୍କା ଲୁଟି ନେଉଛନ୍ତି । ଗଲା ୩ ମାସରେ ମୋଟ ୧୨ କୋଟି ଟଙ୍କା ଠକେଇ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଜାନୁଆରୀରେ ୬ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିଲା । ଫେବ୍ରୁଆରୀରେ ୩୧୧ଟି ମାମଲାରେ ୩ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ । ମାର୍ଚ୍ଚ ମାସରେ ୩୫୦ଟି ସାଇବର ଠକେଇ ଜନିତ ମାମଲା ରୁଜୁ ହୋଇଛି । ଗଲା ମାସରେ ୩ କୋଟି ୪୭ ଲକ୍ଷ ଟଙ୍କା ଠକି ନେଇଛନ୍ତି ।