ଇସ୍ଲାମାବାଦ: ପାକିସ୍ତାନରେ ପୁଣି ଥରେ ଆନ୍ଦୋଳନ ତୀବ୍ର ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ଏବଂ ତେହରିକ-ଏ ଇନସାଫ୍‌ର କାର୍ଯ୍ୟକର୍ତ୍ତାମାନେ ଇସ୍ଲାମାବାଦ ଅଭିମୁଖେ ରାଲି କରିଛନ୍ତି । ଏହି ସମୟରେ ସମଗ୍ର ପାକିସ୍ତାନରେ ବିଭିନ୍ନ ସୋସିଆଲ୍‌ ମିଡିଆ ଠପ୍‌ ହୋଇଯାଇଛି । ଜିଓ ନ୍ୟୁଜ୍‌ ଅନୁସାରେ, ଦେଶରେ ଇନଷ୍ଟାଗ୍ରାମ, ହ୍ବାଟସ୍‌ଆପ୍‌ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ ହୋଇଯାଇଛି । ତେବେ ଏହା ପଛରେ ପ୍ରକୃତ କାରଣ କଣ ରହିଛି ତାହା ଜଣାପଡ଼ି ନାହିଁ । ସରକାର ମଧ୍ୟ ଏନେଇ ଦେଶବାସୀଙ୍କୁ କୌଣସି ସୂଚନା ଦେଇ ନାହାନ୍ତି । 

ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍‌ ହେବା ବା କେତେକ ସ୍ଥାନରେ ସଂପୂର୍ଣ୍ଣ ବନ୍ଦ ହେବାକୁ ନେଇ ବିରୋଧୀ ପିଟିଆଇ ଅସନ୍ତୋଷ ପ୍ରକାଶ କରିଛି।  ଏଥିପାଇଁ ସରକାରଙ୍କୁ ଦାୟୀ କରିଛି ଦଳ । ସେହିଭଳି ରାଲିକୁ ଦେଖି ସରକାର ମଧ୍ୟ ବିଭିନ୍ନ ସ୍ଥାନରେ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇଥିବା ସ୍ପଷ୍ଟ ହୋଇଛି । ପାକିସ୍ତାନର ଲୋକମାନେ ଇନଷ୍ଟା, ଫେସବୁକ ଏବଂ ହ୍ବାଟସଆପ୍‌ ବ୍ୟବହାର କରିପାରୁ ନଥିବା ବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଦେଶରେ ସୋସିଆଲ ମିଡିଆ ସମେତ କେତେକ ସ୍ଥାନରେ ଇଣ୍ଟରନେଟ୍‌ ମଧ୍ୟ ବନ୍ଦ ରହିଛି । 

ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକୁଳାଇବା ଦାବିରେ ଏହି ଆନ୍ଦୋଳନ ଜାରି ରହିଛି । ଏହା ପୂର୍ବରୁ ନଭେମ୍ବର ୧୩ରେ ୭୨ ବର୍ଷୀୟ ଇମ୍ରାନ ଖାନ ନିଜର ସମର୍ଥକଙ୍କୁ ନଭେମ୍ବର ୨୪ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ । ଏହା ପରେ ଗତକାଲି ଖୈବର ଫଖତନୁଖ୍ବାର ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର ଏବଂ ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କ ନେତୃତ୍ବରେ ଆନ୍ଦୋଳନ ଆରମ୍ଭ କରିଥିଲେ ପିଟିଆଇ ସମର୍ଥକ ।  

ରବିବାର ରାଜାଧାନୀରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେମାନଙ୍କୁ ପୋଲିସ ଅଟକାଇଥିଲା । ବଡ଼ ବଡ଼ କଣ୍ଟେନର ରଖି ଆନ୍ଦୋଳନକାରୀଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ଦେଇନଥିଲା ପୋଲିସ । ସେପଟେ ଆନ୍ଦୋଳନକାରୀ ନିଜ ସାଥିରେ ଆଣିଥିବା ବଡ଼ ବଡ଼ ମେସିନ ସାହାଯ୍ୟରେ କଣ୍ଟେନରକୁ ହଟାଇ ଦେଇଥିବା ଜଣାପଡ଼ିଛି । ଗତକାଲି ରାତିରେ ଆଟୋକ ଜିଲ୍ଲାର ହାରୋରେ ଆନ୍ଦୋଳନକାରୀ ବିଶ୍ରାମ ନେବା ପରେ ଆଜି ପୁଣି ଥରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି । 

ଅନ୍ୟପଟେ ଧାରା ୧୪୪ ଲାଗୁ କରି ରାଲିକୁ ବ୍ୟାନ୍‌ କରିଛନ୍ତି ଶେହବାଜ ସରକାର । ରବିବାର ବେଲାରୁଷ ରାଷ୍ଟ୍ରପତି ପାକିସ୍ତାନ ଗସ୍ତରେ ଆସିବା ପୂର୍ବରୁ ସରକାର ଇଂରେଜ ଅମଳର ନିୟମ ଲାଗଇ ରାଜନୈତିକ ଗତିବିଧି ଉପରେ ରୋକ ଲଗାଇଥିବା କୁହାଯାଉଛି ।  ତେବେ ବେଲାରୁଷ ରାଷ୍ଟ୍ରପତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ମୁଖ୍ୟ ଅସିମ ମୁନିରଙ୍କ ସହ ବୈଠକ କରିବେ ।  ଏହି ସମୟରେ ଦ୍ବିପାକ୍ଷିକ ସଂପର୍କ ମଜଭୁତ କରିବା ଲାଗି ବିଭିନ୍ନ ବୁଝାମଣା ଉପରେ ସହମତି ପ୍ରକାଶ ପାଇପାରେ ବୋଲି ପାକିସ୍ତାନ ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି ।