ନୂଆଦିଲ୍ଲୀ: ଟେସଲା ଏବଂ ଷ୍ଟାରଲିଙ୍କ ଭଳି କମ୍ପାନୀର ମାଲିକ ଏଲନ ମସ୍କ ମେଟାର ହ୍ବାଟ୍ସଆପ୍‌ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ,ଲୋକମାନେ କ’ଣ ମେସେଜ କରୁଛନ୍ତି  ହ୍ୱାଟ୍ସଆପ ସବୁ ଜାଣିଛି। ଏହା ଦ୍ବାରା ବ୍ୟବହାରକାରୀଙ୍କୁ କେଉଁ ବିଜ୍ଞାପନ ଦେଖାଇ ହେବ ତାହା ନିର୍ଣ୍ଣୟ କରିବାରେ ଡ୍ବାଟ୍ସଆପକୁ ସୁବିଧା ହେଉଛି। ଏହା ସୁରକ୍ଷାର ବଡ଼ ତ୍ରୁଟି ବୋଲି କହିଛନ୍ତି ମସ୍କ । ଏହା ସହ ହ୍ବାଟ୍ସଆପ୍‌କୁ ମାତ ଦେବାକୁ ସେ XChat ଲଞ୍ଚ ନେଇ  ଘୋଷଣା କରିଛନ୍ତି । XChat ଲଞ୍ଚ ହୋଇଛି ବୋଲି କେତେକ ମିଡିଆ ରିପୋର୍ଟରେ ଦାବି ହୋଇଛି । କିନ୍ତୁ ଏହା ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇନାହିଁ । ଏହା ଏମିତି ଏକ ଆପ୍ ହେବ,  ଯାହା ହ୍ୱାଟସଆପ ସହିତ ପ୍ରତିଯୋଗିତା କରିବ। ଏହା ଆଗାମୀ କିଛି ମାସ ମଧ୍ୟରେ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ଏହି ଆପ୍ ସ୍ମାର୍ଟଫୋନରେ ବ୍ୟବହାର କରାଯାଇପାରିବ । ଏହି ଆପ୍‌ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ସହ ଇଣ୍ଟିଗ୍ରେଟ୍‌ ବା ଯୋଡ଼ି ହେବ । 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଲନ ମସ୍କ କହିଛନ୍ତି  ଏକ୍ସଚାଟ୍‌ ଆପ୍‌ରେ ୟୁଜର୍ସ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ପାଇବେ। ଏହା ବିଟକଏନ୍ ପରି ଏକ ପିଅର-ଟୁ-ପିଅର ସିଷ୍ଟମ ଉପରେ ଆଧାରିତ ହେବ। "ଜୋ ରେଗାନ ପୋଡକାଷ୍ଟ" ରେ ମସ୍କ ଦାବି କରିଛନ୍ତି ଯେ, ଏକ୍ସଚାଟ୍‌ ଆପ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ୟୁଜର୍ସଙ୍କୁ କୌଣସି ବିଜ୍ଞାପନ ଦେଖିବାକୁ ପଡ଼ିବ ନାହିଁ ଏବଂ ସେମାନଙ୍କର ଚାଟ୍ ସୁରକ୍ଷିତ ରହିବ। ମସ୍କ ଏହା ମଧ୍ୟ କହିଛନ୍ତି ଯେ, XChat କୌଣସି ତୃତୀୟ-ପକ୍ଷ ସେବା ବ୍ୟବହାର କରିବ ନାହିଁ । ଫଳରେ ୟୁଜର୍ସଙ୍କ ଡାଟା ସୁରକ୍ଷିତ ରହିପାରିବ ।

ଏଲନ୍ ମସ୍କ ଦାବି କରିଛନ୍ତି ଯେ, ତାଙ୍କର ନୂତନ ଆପ୍‌ରେ କୌଣସି ବିଜ୍ଞାପନ ଆସିବନି । ୟୁଜର୍ସଙ୍କୁ ଅଧିକ ତଥ୍ୟ ଦେବାକୁ ପଡ଼ିବ ନାହିଁ । ସେମାନଙ୍କ ଚାଟ୍‌ ସଂପୂର୍ଣ୍ଣ  ଗୋପନୀୟ ରହିବ ଏବଂ ‘ଏକ୍ସ’ ମଧ୍ୟ ସେହି ମେସେଜ୍‌ ପଢ଼ିପାରିବେ ନାହିଁ। ଲୋକମାନେ ଏକ୍ସଚାଟ୍‌ରେ ପରସ୍ପରକୁ ସିଧାସଳଖ ବାର୍ତ୍ତା ପଠାଇପାରିବେ, ଫାଇଲ୍ ସେୟାର କରିପାରିବେ ଏବଂ ଅଡିଓ ଓ ଭିଡିଓ କଲ୍ କରିପାରିବେ।


ସେପଟେ ହ୍ୱାଟ୍ସଆପ୍ ବିରୋଧରେ ମସ୍କ ଅଭିଯୋଗ ଆଣିଛନ୍ତି ସତ, କିନ୍ତୁ କୌଣସି ପ୍ରମାଣ ଦେଇନାହାନ୍ତି । ହ୍ୱାଟ୍ସଆପ୍ ଲଗାତାର ଦାବି କରିଆସୁଛି ଯେ, ପରସ୍ପରକୁ ପଠାଯାଉଥିବା ମେସେଜଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ। ହ୍ୱାଟ୍ସଆପ୍ ବିରୋଧରେ ମସ୍କଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ମନେ ହେଉଛି । ଏହା ତାଙ୍କର ଏକ୍ସଚାଟ୍ ପ୍ରଚାର କରିବା ପାଇଁ ଏକ ଚାଲ୍‌ ମଧ୍ୟ ହୋଇପାରେ। ପୂର୍ବରୁ ମସ୍କ ମଧ୍ୟ ଏଭଳି କାର୍ଯ୍ୟ କରିସାରିଛନ୍ତି । ଓ୍ବିକିପିଡିଆର ସମାଲୋଚକ ମସ୍କ ଗ୍ରକ୍‌ପିଡିଆ ଲଞ୍ଚ କରିଥିଲେ ।