ନୂଆଦିଲ୍ଲୀ, ୧୮।୩: ଅନଲାଇନ ଠକେଇ ଏବଂ ସ୍ପାମ୍ ବିରୋଧରେ ସୁରକ୍ଷା ଅଭିଯାନ ଆରମ୍ଭ କରିଛି ଟେଲିକମ ବିଭାଗ । ଟେଲିକମ ବିଭାଗ ଏବଂ ହ୍ୱାଟ୍ସଆପ ସନ୍ଦିଗ୍ଧଙ୍କୁ ଚିହ୍ନିବା ଲାଗି ନାଗରିକଙ୍କୁ ଶିକ୍ଷିତ କରିବା ଲାଗି ମିଳିତ ଭାବେ କାମ କରିବେ । ମେଟାର ସୁରକ୍ଷା ଅଭିଯାନ ‘ଘୋଟାଲେ ସେ ବଚାଓ’ ର ବିସ୍ତାର କରିବାକୁ ହ୍ୱାଟସପ୍ ସହ ଏହି ପାର୍ଟନପସିପ୍ କରିଛି ଟେଲିକମ ବିଭାଗ ।
ହ୍ୱାଟ୍ସଆପର ପ୍ୟାରେଣ୍ଟ କମ୍ପାନୀ ମେଟାର ବିଶ୍ୱ ମାମଲାର ମୁଖ୍ୟ ଅଧିକାରୀ ଜୋଏଲ କାପ୍ଳାନ ଏବଂ ଟେଲିକମ ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆ ଟେଲିକମ ବିଭାଗ ଏବଂ ମେଟା ମଧ୍ୟରେ ଚାଲୁଥିବା ସହଯୋଗର ପ୍ରଭାବ ଉପରେ ଚର୍ଚ୍ଚା କରିଛନ୍ତି । ଡିଜିଟାଲ ଅପରାଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ସାଇବର ଅପରାଧ ଏବଂ ଅନଲାଇନ୍ ସ୍କାମ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଲକ୍ଷ ଲକ୍ଷ ଲୋକ ସ୍କାମରଙ୍କ ଜାଲରେ ପଡ଼ି କୋଟି କୋଟି ଟଙ୍କା ହରାଉଛନ୍ତି । ବିଶେଷକରି, ଆଜିକାଲି ଡିଜିଟାଲ ଆରେଷ୍ଟ ହେବାର ଅନେକ ମାମଲା ସାମ୍ନାକୁ ଆସୁଛି । ହ୍ୱାଟ୍ସଆପ୍ ମାଧ୍ୟମରେ ଅନେକ ସାଇବର ଅପରାଧୀ ଭିଡିଓ, ଭଏସ୍ କଲ୍ ଏବଂ ଚାଟ୍ ମାଧ୍ୟମରେ ଉପଭୋକ୍ତାଙ୍କୁ ଶିକାର କରୁଛନ୍ତି । ଏଭଳି ପରିସ୍ଥିତିରେ ହ୍ୱାଟ୍ସଆପ୍ ସହ ଟେଲିକମ୍ ବିଭାଗର ଏହି ସହଭାଗିତା ବହୁ ପରିମାଣରେ ଡିଜିଟାଲ୍ ଅପରାଧକୁ ରୋକିପାରେ ।