ଢାକା, ୧୬/୧୨ : ବିଜୟ ଦିବସରେ ବାଂଲାଦେଶ ଜନତାଙ୍କ ସହ ଧୋକା। ତିନି ମାସ ନୁହେଁ ଏକ ବର୍ଷ ଯାଏଁ ନିର୍ବାଚନ ନକରାଇବା ପ୍ରସ୍ତୁତିରେ ମହମ୍ମଦ ୟୁନୁସ୍। ପଡୋଶୀ ରାଷ୍ଟ୍ର ବାଂଲାଦେଶ ଏବେ ଅସ୍ଥିରତା ମଧ୍ୟରେ ଗତି କରୁଛି। ଛାତ୍ର ଆନ୍ଦୋଳନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଛନ୍ତି। ୫ ମାସରୁ ଉର୍ଦ୍ଧ୍ଵ ସମୟ ହେବ ସେ ଭାରତର ଶରଣ ନେଇଛନ୍ତି। ସେପଟେ ୩ ମାସ ଭିତରେ ନିର୍ବାଚନ କରିବାକୁ ପ୍ରତିଶୃତି ଦେଇ ଶାସନକୁ ଆସିଥିବା ମହମ୍ମଦ ୟୁନୁସ ଏବେ ନିଜ କଥାରୁ ଓହରୁଥିବା ନଜରକୁ ଆସିଛି।
ମହମ୍ମଦ ୟୁନୁସ୍ କହିଛନ୍ତି ଯେ, ବାଂଲାଦେଶରେ ୨୦୨୫ ଶେଷ କିମ୍ଵା ୨୦୨୬ର ପ୍ରଥମ ୬ ମାସ ମଧ୍ୟରେ ନିର୍ବାଚନ ହେବ। ସେପର୍ଯ୍ୟନ୍ତ ଅନ୍ତରୀଣ ସରକାର ଦେଶ ଚଳାଇବେ। ନିର୍ବାଚନ ପୂର୍ବରୁ ପ୍ରଥମେ ଦେଶରେ ସୁଧାର ଆଣିବାକୁ ପଡ଼ିବ। ଭୋଟର ତାଲିକା ସହ ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ସୁଧାର ଆଣିବାକୁ ପଡିବ। ଏଥିପାଇଁ ଏକ ଆୟୋଗ ଗଠନ ହୋଇଛି।
ପ୍ରକାଶ ଥାଉକି, ୨୦୨୪ ଜାନୁଆରୀ ୭ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ଲଗାତର ଚତୁର୍ଥ ଥର ପାଇଁ ଶେଖ ହସିନା ବିଜୟୀ ହୋଇଥିଲେ। ହେଲେ ଅଗଷ୍ଟ ୫ରେ ବାଂଲାଦେଶ ରାଜନୀତିରେ ନାଟକୀୟ ପରିବର୍ତ୍ତନ ଘଟିଥିଲା। ଛାତ୍ର ଆନ୍ଦୋଳନ ଯୋଗୁଁ ଶେଖ ହସିନାଙ୍କୁ ଦେଶ ଛାଡିବାକୁ ପଡିଥିଲା। ଏବେ ସେ ଭାରତର ଶରଣ ନେଇଛନ୍ତି। ସେପଟେ ବାଂଲାଦେଶର ନୂଆ ଅନ୍ତରୀଣ ସରକାର ପ୍ରମୁଖ ମହମ୍ମଦ ୟୁନୁସ୍, ଶେଖ ହସିନାଙ୍କୁ ନେଇ ଲଗାତର କଡ଼ା ପ୍ରତିକ୍ରିୟା ଦେଉଛନ୍ତି। ସେ କହିଛନ୍ତି ଯେ, ଶେଖ ହସିନା ଭାରତରେ ବସି ବାଂଲାଦେଶକୁ ନେଇ ରାଜନୈତିକ ବୟାନବାଜି କରୁଛନ୍ତି। ଏହା ଠିକ୍ ନୁହେଁ। ଦୁଇ ଦେଶର ସମ୍ପର୍କ ଠିକ୍ ରଖିବା ପାଇଁ ତାଙ୍କୁ ମୁହଁରେ ତାଲା ମାରି ବସିବାକୁ ପଡିବ। ହସିନାଙ୍କ ପ୍ରତ୍ୟାର୍ପଣ ପାଇଁ ଆମେ ଭାରତ ସରକାରଙ୍କୁ ଅନୁରୋଧ କରିବୁ।