ସଫା ଓ ଦାଗହୀନ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ସହ ବିଭିନ୍ନ ଦାଗ ସୃଷ୍ଟି ହେଲେ ଏହା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଏଥିପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ କ୍ରିମ୍‌ ବ୍ୟବହାର କରିବା ସହ ଅନ୍ୟାନ୍ୟ ଘରୋଇ ଉପାୟ ମଧ୍ୟ ଆପଣାଇ ଥାନ୍ତି । ମାତ୍ର ତ୍ୱଚାରେ କେଉଁ କାରଣରୁ ବ୍ରଣ ଓ ଦାଗ ସୃଷ୍ଟି ହୁଏ, ତାହା ଆପଣ ଜାଣିଛନ୍ତି କି? ଏଭଳି କିଛି ଭିଟାମିନ୍‌ ରହିଛି, ଯାହାର ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ଓ ଦାଗ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଭିଟାମିନ୍‌ ବିଷୟରେ...

ଶରୀରରେ ଭିଟାମିନ୍‌ ସି ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କ ମୁହଁରେ ବ୍ରଣ କିମ୍ୱା ଦାଗ ହେଉଛି, ତେବେ ଭିଟାମିନ୍‌ ସି ଯୁକ୍ତ ଖାଦ୍ୟକୁ ନିଜ ଡାଏଟ୍‌ରେ ସାମିଲ କରନ୍ତୁ । ଶରୀରରେ ଭିଟାମିନ୍‌ ସି ଅଭାବ ପୂରଣ କରିବା ପାଇଁ କମଳା, ଅଁଳା, ଲେମ୍ବୁ ଭଳି ଖଟା ଜାତୀୟ ଖାଦ୍ୟ ପଦାର୍ଥ ସେବନ କରନ୍ତୁ । ଭିଟାମିନ୍‌ ସିର ସେବନ ଦ୍ୱାରା ତ୍ୱଚା ନରମ, ଉଜ୍ଜ୍ୱଳ ଓ ଦାଗହୀନ ହୋଇଥାଏ ।

ଭିଟାମିନ୍‌ ଏ ତ୍ୱଚାକୁ ସୁସ୍ଥ ରଖିଥାଏ । ଶରୀରରେ ଭିଟାମିନ୍‌ ଏ ଅଭାବ ହେଲେ ମଧ୍ୟ ତ୍ୱଚାରେ ବ୍ରଣ ସୃଷ୍ଟି ହେବା ସହ ଦାଗ ମଧ୍ୟ ହୋଇଥାଏ । ଭିଟାମିନ୍‌ ଏର ଅଭାବ ଦୂର କରିବା ପାଇଁ ଗାଜର, ବିଟ୍‌, ପାଳଙ୍ଗ ଆଦି ସେବନ କରନ୍ତୁ । ସୁସ୍ଥ ତ୍ୱଚା ପାଇଁ ଭିଟାମିନ୍‌ ଡି ମଧ୍ୟ ଜରୁରୀ । ଶରୀରରେ ଭିଟାମିନ୍‌ ଡିର ଅଭାବ ଦୂର କରିବା ପାଇଁ କ୍ଷୀର, ମାଛ, ଅଣ୍ଡା, ଛତୁ ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ ।