ନୂଆଦିଲ୍ଲୀ, ୨୧।୩: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ବିଶ୍ୱରେ ନିଜର ଦବଦବା ବଜାୟ ରଖିବା ପାଇଁ ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି । ଶୁକ୍ରବାର ଦିନ ହ୍ୱାଇଟ ହାଉସ୍ ପକ୍ଷରୁ ଏକ ନୂତନ AI ପଲିସି ଫ୍ରେମୱାର୍କ ଜାରି କରାଯାଇଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶର ଶିଶୁ, ବିଭିନ୍ନ ସମ୍ପ୍ରଦାୟ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ AIର ସମ୍ଭାବ୍ୟ ବିପଦରୁ ସୁରକ୍ଷା ଦେବା ସହ ଏହି ପ୍ରଯୁକ୍ତିର ଦ୍ରୁତ ବିକାଶ କରିବା । ଟ୍ରମ୍ପ ପ୍ରଶାସନ ଚାହୁଁଛି ଯେ ସାରା ଆମେରିକାରେ AI ପାଇଁ ଏକକ ଆଇନ ରହୁ । ବିଭିନ୍ନ ରାଜ୍ୟ ନିଜ ନିଜ ହିସାବରେ ନିୟମ ପ୍ରସ୍ତୁତ ନ କରି ଗୋଟିଏ କେନ୍ଦ୍ରୀୟ ଢାଞ୍ଚାରେ କାମ କରନ୍ତୁ, ଯାହା ଦ୍ୱାରା ବ୍ୟବସାୟ ସହଜ ହୋଇପାରିବ । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ ଯେଉଁ ରାଜ୍ୟଗୁଡ଼ିକର AI ନିୟମ ଆମେରିକାକୁ ବାଧା ଦେବ, ସେମାନଙ୍କୁ କେନ୍ଦ୍ରୀୟ ବ୍ରଡ୍ବ୍ୟାଣ୍ଡ ପାଣ୍ଠି ମିଳିବ ନାହିଁ ।  

ଏହା ବି ପଢ଼ନ୍ତୁ... ହୋର୍ମୁଜ ପ୍ରଣାଳୀ ବନ୍ଦ: ବିଶ୍ୱରେ ହାହାକାର ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, LPG ସଙ୍କଟରୁ ମିଳିବ ମୁକ୍ତି !

ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା:

ଏହି ନୂତନ ଢାଞ୍ଚାରେ ଶିଶୁମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି:

ଅଭିଭାବକଙ୍କ ନିୟନ୍ତ୍ରଣ: ପିଲାମାନଙ୍କର ପ୍ରାଇଭେସି ବା ଗୋପନୀୟତା ରକ୍ଷା ପାଇଁ ପିତାମାତାଙ୍କୁ ଆକାଉଣ୍ଟ ଏବଂ ଡିଭାଇସ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦିଆଯିବ ।

ଶୋଷଣରୁ ମୁକ୍ତି: AI ମାଧ୍ୟମରେ ହେଉଥିବା ଯୌନ ଶୋଷଣ କିମ୍ବା ଆତ୍ମହତ୍ୟା ଭଳି ଉଦ୍ଦେଶ୍ୟମୂଳକ କଣ୍ଟେଣ୍ଟକୁ ରୋକିବା ପାଇଁ ସ୍ୱତନ୍ତ୍ର ଫିଚର୍ସ ସାମିଲ କରାଯିବ ।

ଡାଟା ସେଣ୍ଟର ପାଇଁ ନିଜସ୍ୱ ବିଦ୍ୟୁତ୍ ବ୍ୟବସ୍ଥା: AI ଚଳାଇବା ପାଇଁ ବହୁ ପରିମାଣର ବିଦ୍ୟୁତ୍ ଆବଶ୍ୟକ ହେଉଥିବା ବେଳେ, ହ୍ୱାଇଟ ହାଉସ୍ କଂଗ୍ରେସକୁ ଅନୁରୋଧ କରିଛି ଯେ ବଡ଼ ବଡ଼ ଡାଟା ସେଣ୍ଟରଗୁଡ଼ିକୁ ସେମାନଙ୍କ ପରିସରରେ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ ଅନୁମତି ଦିଆଯାଉ । ଏହାଦ୍ୱାରା ଗ୍ରିଡ୍ ଉପରେ ଚାପ କମିବ ଏବଂ AI ନେଟୱର୍କ ଦ୍ରୁତ ଗତିରେ ବଢ଼ିପାରିବ । 

ସ୍କାମ୍ ଏବଂ ଜାତୀୟ ସୁରକ୍ଷା ଉପରେ ନଜର: 

AI ମାଧ୍ୟମରେ ହେଉଥିବା ଜାଲିଆତିକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ଯୋଜନାରେ ପ୍ରସ୍ତାବ ରଖାଯାଇଛି । ଏହା ସହିତ AI ଯେପରି ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି ନକରେ, ସେଥିପ୍ରତି ମଧ୍ୟ କଡ଼ା ନଜର ରଖାଯାଇଛି । "ଆମେ କଂଗ୍ରେସ ସହ ମିଶି ଏହି ଢାଞ୍ଚାକୁ ଖୁବଶୀଘ୍ର ଏକ ଆଇନରେ ପରିଣତ କରିବାକୁ ଚାହୁଁଛୁ, ଯାହା ଉପରେ ରାଷ୍ଟ୍ରପତି ସ୍ୱାକ୍ଷର କରିବେ ।" ଏନେଇ ହ୍ୱାଇଟ୍ ହାଉସ ବୟାନ ଦେଇଛି ।