ଭୁବନେଶ୍ୱର, ୨୬/୧୧: ଦେଶୀ ତ’ ଦେଶୀ ବିଦେଶରୁ ରୂପଜୀବୀ ମାଡ଼ି ଆସି ବେପାର ଜମାଇଲେଣି ରାଜ୍ୟର ପ୍ରମୁଖ ସହରରେ । କେତେବେଳେ ବାର୍ରୁ ଧରା ପଡୁଛନ୍ତି ତ’ ପୁଣି କେବେ ଛୋଟ କାଟିଆ ହୋଟେଲ୍ରୁ । ପୁଣି କେବେ ଋଷୀୟ ଲଳନା ତ’ ପୁଣି କେତେବେଳେ ଉଜ୍ବେକିସ୍ଥାନୀ ଯୁବତୀ । ପୂର୍ବରୁ ମାଳ ମାଳ ବିଦେଶୀ ଲଳନାଙ୍କୁ ଧରିଛି କମିଶନରେଟ୍ ପୁଲିସ୍ । ଏବେ ଶହ ଶହ ବାଂଲାଦେଶୀ ଯୁବତୀ ରାଜ୍ୟରେ ଛାଇ ଗଲେଣି । ଏତେ ପରେ ବି ସରକାରଙ୍କ ପାଖରେ ଦେହଜୀବୀଙ୍କ ହିସାବ ନାହିଁ । ସରକାର କହୁଛନ୍ତି ରାଜ୍ୟରେ ପାଖାପାଖି ସାଢ଼େ ୧୦ ହଜାର ଦେହଜୀବୀ ଅଛନ୍ତି । ମାତ୍ର ଅନ୍ଲାଇନ୍ରେ ଚାଲିଥିବା ବେପାରକୁ ଦେଖିଲେ ଲାଗୁଛି ଏ ସବୁ ବିଷୟରେ ଯେମିତି ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ ।
କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା କଥା ଯଦି ଦେଖିବା ଏହି ସହରରେ ଅନ୍ଲାଇନ୍ ସେକ୍ସ କାରବାର ପାଇଁ ୧୦ରୁ ଅଧିକ ସକ୍ରିୟ ୱେସାଇଟ୍ କାମ କରୁଛି । ପ୍ରତି ସାଇଟ୍ରେ ହଜାର ହଜାର ମହିଳା ଓ ଯୁବତୀ ନିଜର ପ୍ରୋଫାଇଲ୍ ଖୋଲିଛନ୍ତି । ଆଉ ନିଜ ଅଙ୍ଗ ପ୍ରଦର୍ଶନ ହେଲା ଭଳି ଫଟୋ ଅପ୍ଲୋଡ୍ କରିଛନ୍ତି । ପ୍ରୋଫାଇଲ୍ରେ ନିଜ ଶରୀର ବିଷୟରେ ତଥ୍ୟ ଦେବା ସହ ପ୍ରାଇସ୍ ଓ ଫୋନ୍ ନମ୍ବର ଦେଇଛନ୍ତି । ଉକ୍ତ ଫୋନ୍ ନମ୍ବରରେ ଯୋଗାଯୋଗ କରି ୫ ଶହରୁ ହଜାରେ ଟଙ୍କା ଅଗ୍ରୀମ ଦେଲେ ଠିକଣାରେ ପହଞ୍ଚି ଯାଉଛନ୍ତି ଏ ସବୁ ଦେହଜୀବୀ । ଏମାନଙ୍କ ପାଇଁ କିଛି ମିଡିଲ୍ମ୍ୟାନ୍ କାମ କରୁଛନ୍ତି । ହୋମ୍ ଡେଲିଭରୀ ଠାରୁ ଆରମ୍ଭ କରି ହୋଟେଲ୍ ପର୍ଯ୍ୟନ୍ତ ସବୁ କାମ ମିଡିଲ୍ମ୍ୟାନ୍ କରନ୍ତି । ଏମାନଙ୍କ ପ୍ରାଇସ ଘଣ୍ଟାକୁ ୩ ହଜାରରୁ ଆରମ୍ଭ କରି ୧୦ ହଜାର ଟଙ୍କା ରହିଛି । ପ୍ରତି ୱେବ୍ ସାଇଟ୍ରେ ହଜାରେରୁ ୧୫ ଶହ ଯୁବତୀ, ମହିଳା କାମ କରୁଛନ୍ତି । ତା’ ନୁହେଁ ଯେ ଏ ବିଷୟରେ ପୁଲିସ୍ ପାଖରେ କିଛି ଖବର ନାହିଁ । ପୁଲସ୍ ସବୁ ଜାଣିଛି । ହେଲେ ସୁପ୍ରିମ୍କୋର୍ଟର ଦ୍ୱାହି ଦେଇ ଚୁପ୍ ରହୁଥିବା ଅଭିଯୋଗ ହୋଇଛି ।
ଏମାନଙ୍କ ଭିତରେ କେତେ ଯେ ବିଦେଶିନୀ ଅଛନ୍ତି ତା’ର ହିସାବ କାହା ପାଖରେ ନାହିଁ । ସରକାରଙ୍କ ତଥ୍ୟ କହୁଛି (୨୦୨୨ ଶେଷ ସୁଦ୍ଧା) ରାଜ୍ୟର ୨୨ ଜିଲ୍ଲାରେ କାମ କରୁଛନ୍ତି ୧୦ ହଜାର ୨୧୦ ଜଣ ଦେହଜୀବୀ । ପ୍ରତି ୩୦ ଜଣଙ୍କ ମଧ୍ୟରୁ ଜଣେ ଏଚ୍ଆଇଭି ସଂକ୍ରମିତ । ସର୍ବାଧିକ ୧୦୫୦ ଜଣ ଦେହବୀଜୀ ବାଲେଶ୍ୱର ଜିଲ୍ଲାରେ ଥିବା ସରକାର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ସବୁଠାରୁ କମ୍ ୧୫୦ ଦେହଜୀବୀ ଅଛନ୍ତି । ଭଦ୍ରକରେ ୬୫୦ ଜଣ, ବଲାଙ୍ଗିରରେ ୪୫୦, କଟକରେ ୨୫୦, ଗଜପତିରେ ୩୫୦, ଗଞ୍ଜାମରେ ୫୫୦, ଜଗତସିଂହପୁରରେ ୨୫୦, ଯାଜପୁରରେ ୭୦୦, କେନ୍ଦ୍ରାପଡ଼ାରେ ୪୦୦, କଳାହାଣ୍ଡିରେ ୨୫୦, କନ୍ଧମାଳରେ ୩୫୦, କେନ୍ଦୁଝରରେ ୭୦୦, ଖୋର୍ଦ୍ଧାରେ (ଭୁବନେଶ୍ୱର)୬୧୦, କୋରାପୁଟରେ ୭୫୦, ମାଲକାନଗିରିରେ ୩୦୦, ମୟୂରଭଞ୍ଜରେ ୭୫୦, ନୟାଗଡ଼ରେ ୨୫୦, ନୂଆପଡ଼ାରେ ୫୦୦, ପୁରୀ ୨୫୦, ସୁନ୍ଦରଗଡ଼ରେ ୪୦୦ ଜଣ ଦେହଜୀବୀ କାମ କରୁଛନ୍ତି । ଏମାନେ କେଉଁଠି ରହୁଛନ୍ତି? କେମିତି ବେପାର କରୁଛନ୍ତି? ଏ ସବୁ ବିଷୟରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ଦେହଜୀବୀଙ୍କ ପାଇଁ କାମ କରୁଥିବା ଏକ ଏନ୍ଜିଓର ରିପୋର୍ଟ କହୁଛି, କେବଳ ଭୁବନେଶ୍ୱରରେ ୬ ହଜାରରୁ ଅଧିକ ଦେହଜୀବୀ କାମ କରୁଛନ୍ତି ।
ନିୟମ କହୁଛି ଯଦି କୌଣସି ବିଦେଶୀ ନାଗରିକ ଓଡ଼ିଶା ଆସୁଛି ସେମାନଙ୍କ ତଥ୍ୟ ରଖିବା ଏସ୍ପି/ଡିସିପି ଅଫିସ୍ରେ ଥିବା ଡିଆଇବିର କାମ । ଡିଆଇବି ଠିକ୍ରେ କାମ କରୁଛି କି ନାହିଁ ତାହା ଯାଞ୍ଚ କରିବା କାମ ରାଜ୍ୟ ଗୁଇନ୍ଦା ବିଭାଗର । ଏବେ କଟକ-ଭୁବନେଶ୍ୱରରେ ଶହ ଶହ ବାଂଲାଦେଶୀ ଦେହବେପାର କରୁଛନ୍ତି । ହେଲେ ପୁଲିସ୍ ପାଖରେ କୌଣସି ଖବର ନାହିଁ । ସୋମବାର ଡିଜିପି ୱାଇ.ବି ଖୁରାନିଆ କହିଛନ୍ତି, ସେମାନେ ବେଆଇନ୍ ଭାବେ ସୀମା ପାର କରି ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଆସି ବେପାର କରୁଛନ୍ତି । ମିଡିଲ୍ ମ୍ୟାନ୍ଙ୍କ ସହଯୋଗରେ ପଚିରୟ ପତ୍ର ତିଆରି କରି ଭାରତୀୟ ବୋଲି କହୁଛନ୍ତି । କଟକ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ୧୦ଟି ଥାନା ଅଞ୍ଚଳରେ ଚଢ଼ଉ କରାଯାଇଛି । ଖୁବ୍ ଶୀଘ୍ର ବିଦେଶୀଙ୍କୁ ଗିରଫ କରାଯିବ ।