କାଠମାଣ୍ଡୁ,୧୦।୯:  ନେପାଳ ରାଜନୀତିରେ ଆସିବାକୁ ଯାଉଛି ଏକ ନୂତନ ମୋଡ଼ । ହିଂସା ଏବଂ କ୍ଷମତା ସଙ୍କଟ ମଧ୍ୟରେ, ଜେନ-ଜି ଆନ୍ଦୋଳନକାରୀମାନେ ଏବେ ଦେଶର ଦାୟିତ୍ୱ କିଏ ନେବେ ତାହା ସ୍ଥିର କରିବା ପାଇଁ ଏକ ଭର୍ଚୁଆଲ୍ ବୈଠକ ଡାକିଥିଲେ। ଏହି ଅନଲାଇନ୍ ବୈଠକରେ ୫୦୦ ରୁ ଅଧିକ ଯୁବକ ଅଂଶଗ୍ରହଣ କରିଥିଲେ । ଏଥିରେ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ସର୍ବାଧିକ ସମର୍ଥନ ମିଳିଥିଲା।

କାଠମାଣ୍ଡୁ ମେୟର ବାଲେନ୍ ଶାହ, ଯାହାକୁ ଏପର୍ଯ୍ୟନ୍ତ ଜେନ୍-ଜି ପୋଷ୍ଟର ନେତା ଭାବରେ ବିବେଚନା କରାଯାଉଥିଲା, ଯୁବପିଢିଙ୍କ ଆବେଦନର କୌଣସି ଉତ୍ତର ଦେଇ ନଥିଲେ। ଜଣେ ପ୍ରତିନିଧି କହିଛନ୍ତି, 'ସେ ଆମର କଲ୍ ରିସିଭ କରିନଥିଲେ, ପରେ ସୁଶୀଲା କାର୍କିଙ୍କୁ ଆଗାମୀ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଚାଲିଥିଲା। କରାଯାଇଥିବା ଭୋଟିଂରେ ଏବେ ସୁଶୀଳା କାର୍କିଙ୍କୁ ସର୍ବାଧିକ ସମର୍ଥନ ମିଳିଛି।’ ତେବେ ଆସନ୍ତୁ ସୁଶୀଳା କାର୍କି କିଏ ? ତାଙ୍କୁ ଦେଶର ଦାୟିତ୍ବ କାହିଁକି ଦେବାକୁ ଚାହୁଁଛନ୍ତି ଯୁବପିଢି ?

ତାଙ୍କର ଭାରତ ସହ ମଧ୍ୟ କନେକ୍ସନ ରହିଛି। କାରଣ କାର୍କି ବନାରସ ହିନ୍ଦୁ ୟୁନିଭର୍ସିଟିରୁ ପୋଷ୍ଟ ଗ୍ରାଜୁସନ୍ କରିଥିଲେ। ନେପାଳର ବିରାଟ ନଗରରେ ୭ ଜୁନ୍ ୧୯୫୨ରେ ଜନ୍ମ ଗ୍ରହଣ କରିଥିବା  ସୁଶୀଳା କାର୍କୀ ନେପାଳ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ଥି। ସେ ୨୦୧୬ ପର୍ଯ୍ୟନ୍ତ ସିଜେଆଇ ପଦଭାର ସମ୍ଭାଳିଥିଲେ। ୧୯୭୨ରେ ସେ ବିରାଟ ନଗରର ମହେନ୍ଦ୍ର ମୋରଙ୍ଗ କ୍ୟାମ୍ପସରୁ ଗ୍ରାଜୁଏସନ୍ ଶେଷ କରିଥିଲେ। ଏହାପରେ ସେ ୧୯୭୫ ରେ ବାରଣାସୀ ହିନ୍ଦୁ ୟୁନିଭର୍ସିଟିରୁ ପଲିଟିକାଲ ସାଇନ୍ସରେ ପିଜି କରିଥିଲେ। ତେବେ ସେ ତାଙ୍କର କ୍ୟାରିୟର ଶିକ୍ଷକତାରୁ ଆରମ୍ଭ କରିଥିଲେ। ସେ ୧୯୭୯ ବିରାଟ ନଗରରୁ ଓକିଲାତି ଆରମ୍ଭ କରିଥିଲେ। ୨୦୦୯ ରେ ତାଙ୍କୁ ନେପାଳ ସୁପ୍ରିମକୋର୍ଟରେ ଆଡହକ୍‌ ଜଜ୍ ରୂପରେ ନିଯୁକ୍ତି କରାଯାଇଥିଲା। ୨୦୧୬ ରେ ସେ ନିଜ ଦେଶର ସିଜେଆଇ ହୋଇଥିଲେ, ଏବଂ ୭ ଜୁନ୍ ୨୦୧୭ ପର୍ଯ୍ୟନ୍ତ ଏହି ପଦରେ ଥିଲେ। ତାଙ୍କର ନିଯୁକ୍ତିକୁ ନେପାଳରେ ମହିଳାଙ୍କ ପାଇଁ ସମାନତା ଏବଂ ସାମ୍ବିଧାନିକ ଅଧିକାର ଦିଗରେ ଏକ ଐତିହାସିକ ପଦକ୍ଷେପ ଭାବରେ ବିବେଚନା କରାଯାଇଥିଲା।