ନୂଆଦିଲ୍ଲୀ,୨୮।୧୦: କେନ୍ଦ୍ର କର୍ମଚାରୀଙ୍କୁ ଭାରତ ସରକାରଙ୍କ ବଡ଼ ଉପହାର। ଅଷ୍ଟମ ବେତନ କମିଶନର ଗଠନକୁ ମଞ୍ଜୁରୀ ଦେଇଛନ୍ତି। ଏହି ବେତନ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର କର୍ମଚାରୀଙ୍କ ବେତନ ଓ ଭତ୍ତାରେ ବୃଦ୍ଧି ହେବ। କେବଳ କେନ୍ଦ୍ର ନୁହେଁ ରାଜ୍ୟ ସରକାରୀ କର୍ମଚାରୀ ମଧ୍ୟ ବେତନ କମିଶନଙ୍କ ଆଧାରରେ ଭବିଷ୍ୟତରେ ବର୍ଦ୍ଧିତ ବେତନ ପାଇପାରିବେ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଅଷ୍ଟମ ବେତନ କମିଶନର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଆଇଆଇଏମ୍ , ବେଙ୍ଗାଲୁରର ପ୍ରଫେସର ପୁଲକ ଘୋଷ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସଚିବ ପଙ୍କଜ ଜୈନଙ୍କୁ ସଦସ୍ୟ-ସଚିବ ଭାବରେ ନିଯୁକ୍ତ କରାଯାଇଛି।
ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ପୂର୍ବରୁ ସୀମା ନିର୍ଦ୍ଧାରଣ କମିଶନର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ସମାନ ନାଗରିକ ସଂହିତା ପ୍ରସ୍ତୁତ କରୁଥିବା କମିଟିର ମୁଖ୍ୟ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ୨୦୧୪ ମସିହାରେ ସୁପ୍ରିମକୋର୍ଟରୁ ଅବସର ନେବା ପରଠାରୁ, ସେ ବିଭିନ୍ନ ସାମ୍ବିଧାନିକ ଏବଂ ପ୍ରଶାସନିକ ଭୂମିକାରେ କାର୍ଯ୍ୟ କରିଛନ୍ତି। ୩୦ ଅକ୍ଟୋବର ୧୯୪୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ରଞ୍ଜନା ଦେଶାଇ। ସେ ୧୯୭୦ ମସିହାରେ ଏଲଫିନଷ୍ଟୋନ୍ କଲେଜରୁ କଳାରେ ସ୍ନାତକ ଡିଗ୍ରୀ ଏବଂ ୧୯୭୩ ରେ ମୁମ୍ବାଇର ସରକାରୀ ଲ’ କଲେଜରୁ ଏଲଏଲବିରେ ଲ’ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ। ଜଷ୍ଟିସ୍ ରଞ୍ଜନା ଦେଶାଇ ୩୦ ଜୁଲାଇ ୧୯୭୩ରେ ଆଇନଜୀବି ଭାବରେ ନିଜର ପେଶା ଆରମ୍ଭ କରିଥିଲେ। ସେ ତାଙ୍କ ବାପା ଏସ୍ଜି ସାମନ୍ତଙ୍କ ସହ ମଧ୍ୟ କାମ କରିଥିଲେ, ଯିଏକି ଜଣେ ପ୍ରସିଦ୍ଧ କ୍ରିମିନାଲ ଲୟର ଥିଲ ୧୯୭୯ର ତାଙ୍କୁ ସରକାରୀ ଓକିଲ ଭାବରେ ନିଯୁକ୍ତି ଦିଆଯାଇଥିଲା।