ନୂଆଦିଲ୍ଲୀ,୧୩/୧ : କ୍ରିକେଟ୍ ଏବଂ ଫିଲ୍ମ ଜଗତର ଦୁଇ ଭେଟରାନ ସଚିନ ତେନ୍ଦୁଲକର ଏବଂ ଅଭିନେତା ବଚ୍ଚନ ଏକାସାଥିରେ ନଜର ଆସିଛନ୍ତି । ଉଭୟଙ୍କୁ ନା କୌଣସି ବ୍ୟାଟ୍ ଏବଂ ନା କୌଣସି ମୈଦାନର ଜରୁରୀ ପଡ଼ିଛି । ବିନା କୌଣସି ସାମଗ୍ରୀରେ ସେମାନେ ହାତରେ ହିଁ କ୍ରିକେଟ ଖେଳିବା ଆରମ୍ଭ କରିଦେଇଛନ୍ତି । ତାଙ୍କର ଏହି ଭିଡ଼ିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଉଭୟେ ଖୁବ୍ ମସ୍ତି କରୁଥିବା ଦେଖାଯାଉଛନ୍ତି ।

ଅମିତାଭ ବଚ୍ଚନ ନିଜେ ସଚିନଙ୍କ ସହ ଏହି ସ୍ମରଣୀୟ ଏବଂ ମଜାଦାର୍ ସମୟର ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓ ସହ ସେ କ୍ୟାପଶନରେ ଲେଖିଛନ୍ତି କି, ‘କ୍ରିକେଟର ଭଗବାନଙ୍କ ସହ ଫିଙ୍ଗର କ୍ରିକେଟ ଖେଳୁଛି‘ । ସଚିନ ତେନ୍ଦୁଲକର ଏବଂ ଅମିତାଭ ବଚ୍ଚନଙ୍କ ଏହି ଭେଟଗାଟ ISPL ସିଜିନ୍ ୩ ସମୟରେ ସୁରଟରେ ହୋଇଛି । ସଚିନ ତେନ୍ଦୁଲକର ଏଠାରେ ଏଥିଲାଗି ଉପସ୍ଥିତ ଥିଲେ, କାରଣ ସେ କୋର୍ କମିଟିର ସଦସ୍ୟ ରହିଛନ୍ତି । ଅନ୍ୟପଟେ ‘ବିଗ ବି’ ମାଝୀ ମୁମ୍ବାଇ ଫ୍ରାଞ୍ଚାଇଜର ମାଲିକ ଅଟନ୍ତି । ଆରମ୍ଭରେ ସେମାନେ ଗପସପ କରୁଥିଲେ, କିନ୍ତୁ କିଛି ସମୟ ପରେ ଉଭୟେ ଫିଙ୍ଗର୍ କ୍ରିକେଟ୍ ଖେଳି ପରିବେଶକୁ ହାଲୁକା କରିଥିଲେ।

ଏହି ଫିଙ୍ଗର କ୍ରିକେଟ୍ ମ୍ୟାଚରେ କେହି ଜିତି ନ ଥିଲେ। ତେନ୍ଦୁଲକର ବନାମ ବଚ୍ଚନଙ୍କ ଏହି ମ୍ୟାଚ୍ ଟାଇ ରହିଥିଲା। ଭେଟରାନ ଅଭିନେତା ଅମିତାଭ ବଚ୍ଚନ ମଜାଳିଆ ଅନ୍ଦାଜରେ କହିଥିଲେ କି ଟ୍ରଫିକୁ ଅଧା ଅଧା ଭାଗ କରିଦିଆଯାଉ । ଫ୍ୟାନ୍ସମାନେ ମଧ୍ୟ ଉଭୟଙ୍କ ଲାଗି କମେଣ୍ଟ ସେକ୍ଶନରେ ଖୁବ୍ ସାରା ଭଲ ପାଇବା ଦେଖାଇଥିଲେ । କେତେକ ଫ୍ୟାନ୍ସ କହିଥିଲେ କି କିଭଳି ଭାବେ ସଚିନ ତେନ୍ଦୁଲକର ଏବଂ ଅମିତାଭ ବଚ୍ଚନଙ୍କ ଏହି ଭିଡ଼ିଓ ସେମାନଙ୍କର ପିଲା ଦିନ କଥା ମନେ ପକାଇଦେଲା ।

ପ୍ରକାଶ ଯେ, ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ (ISPL)ର ତୃତୀୟ ସିଜିନ୍ ଜାନୁଆରୀ ୯ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଅମିତାଭ ବଚ୍ଚନଙ୍କ ଦଳ ମାଝୀ ମୁମ୍ବାଇ ଏ ପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଜିତିଛି । ସେମାନଙ୍କ ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛି।