ଭୁବନେଶ୍ଵର, ୨୮/୦୩ : ବେଳ ବୁଡ଼ିଲେ, ସଞ୍ଜ ନଇଁଲେ ଆକାଶରେ ଚିକ୍ ମିକ୍ କରନ୍ତି ଉଜ୍ଜ୍ଵଳ ତାରା। ଡିବିରି ଆଲୁଅରେ ବି ଝିଲମିଲ୍ ଦେଖାଯାଏ ତୋଫା ଜହ୍ନରାତି। ଲାଗେ ଯେମିତି ଆକାଶରେ କିଏ ସଜେଇ ଦେଇଛି ତାରାଙ୍କ ତୋରଣ। ଆଧୁନିକ ସହର କୁତ୍ରିମ ଆଲୋକ ଠାରୁ ଢେର୍ ଦୂରରେ ଛୋଟ ଗାଁରେ ଯାହାର ପିଲାଦିନ କଟିଛି ବୋଧହୁଏ ସେମାନେ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରିପାରୁଥିବେ ଏହି ଖଗୋଳୀୟ ନଜାରା। ହେଲେ ଏବେ ଭାରତ ଆକାଶରୁ ଧୀରେ ଧୀରେ ଉଭେଇ ଯାଉଛନ୍ତି ତାରା। ଏହି ସ୍ଵର୍ଣ୍ଣିମ ମହାଜାଗତିକ ଧରୋହର ହରାଇବାକୁ ଯାଉଛି ଦେଶ। ରାତି ଆକାଶରୁ ମଳିନ ପଡ଼ୁଛନ୍ତି ତାରା। ଦିଲ୍ଲୀ, ମୁମ୍ଵାଇ ଭଳି ମେଟ୍ରୋ ସହରରେ ଆଉ ଦେଖିବାକୁ ମିଳୁନି ଏହି ଦୃଶ। ଏଭଳି ହେଲେ ପରବର୍ତ୍ତୀ ପୀଢି ପାଇଁ ତାରା ଭରା ରାତି ଦେଖିବା ସ୍ଵପ୍ନ ହୋଇଯିବ। କେବଳ ପାଠ୍ୟ ପୁସ୍ତକରେ ଆକାଶଗଙ୍ଗା ସୀମିତ ରହିଯିବ।
ଲଦ୍ଦାଖର ହୈନଲେ ଏବଂ ମହାରାଷ୍ଟ୍ରର ପେଞ୍ଚ ସ୍ଥିତ ଭାରତର ଡାର୍କ ସ୍କାଇ ରିଜର୍ଭ ଏହାକୁ ଖୁବ୍ ଭଲ ଭାବରେ ହୃଦୟଙ୍ଗମ କରିପାରିଛି। ଏହି ଦିଗରେ କାମ କରୁଛି। ଫଳରେ ଏଠାରେ ଏବେ ବିଜ୍ଞାନ ସୁରକ୍ଷିତ ଅଛି ଏବଂ ଧୀରେ ଧୀରେ ବନ୍ୟଜନ୍ତୁ ମଧ୍ୟ ଫେରୁଛନ୍ତି। ଆକାଶଗଙ୍ଗା ଏବେବି ସେଠାରେ ସ୍ପଷ୍ଟ ଦେଖାଯାଉଛି। ହେଲେ ଆଲୋକ ପ୍ରଦୂଷଣ ଉପରେ କୌଣସି ଜାତୀୟ ନୀତି ନଥିବାରୁ ଏହି ସଂରକ୍ଷଣର ସୀମା ବାହାରେ ସବୁକିଛି କୃତ୍ରିମ ଆଲୋକରେ ବୁଡ଼ିଯାଉଛି।
ଆହୁରି ପଢନ୍ତୁ- ଆମେରିକାରେ ପୁଣି କାୟା ମେଲୁଛି କରୋନା ମାମଲା , ଜାଣନ୍ତୁ ଏହି BA.3.2 ଭେରିଏଣ୍ଟ ବିଷୟରେ
ଲଦାଖର ହୈନଲରେ ଥିବା ଭାରତୀୟ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର ସମୁଦ୍ର ପତ୍ତନଠାରୁ ୪,୫୦୦ ମିଟର ଉଚ୍ଚତାରେ ରହିଛି। ଏହା ଭାରତର ଶେଷ ସ୍ଥାନ ମଧ୍ୟରୁ ଗୋଟିଏ। ଏଠାରେ ଆକାଶଗଙ୍ଗା ଏତେ ଉଜ୍ଜ୍ୱଳ ଦେଖାଯାଏ ଯେ ଏହାର ଆଲୋକ ଭୂମିରେ ବିଛୁରିତ ହୋଇ ପଡିଥାଏ। ମୁମ୍ବାଇର TIFR-HBCSEର ସହଯୋଗୀ ପ୍ରଫେସର ଡକ୍ଟର ଅନିକେତ ସୁଲେ କହିଛନ୍ତି ଯେ, ୧୯୯୦ ଦଶକର ପ୍ରାରମ୍ଭରେ, ବମ୍ବେ ଉପକଣ୍ଠରେ ଥିବା ୱାଙ୍ଗାନୀ ଗ୍ରାମରୁ ପୁରା ଆକାଶଗଙ୍ଗା ଗୋଟିଏ ଦିଗନ୍ତରୁ ଅନ୍ୟ ଦିଗନ୍ତକୁ ଧଳା ଆଲୋକର ନଦୀ ପରି ଦେଖାଯାଉଥିଲା। ହେଲେ ଏବେ ଆଉ ସେ ଦୃଶ୍ୟ ଦେଖିବାକୁ ମିଳୁନି। ଆଲୋକ ପ୍ରଦୂଷଣ ଯୋଗୁଁ ମୁମ୍ଵାଇ ଆକାଶ ମଳିନ ହୋଇଗଲାଣି। ବୋର୍ଟଲ ସ୍କେଲରେ ଆକାଶର ଅନ୍ଧକାର ଏବଂ ଉଜ୍ଜ୍ଵଳତା ମପାଯାଏ। ଏହାର ସ୍କୋର ୧ ଅର୍ଥ ପୃଥିବୀ ପୃଷ୍ଠରୁ ସବୁଠୁ ଅଧିକ ଅନ୍ଧକାର। ଲଦ୍ଦାଖର ହୈନଲେରେ ଏବେ ସ୍କୋର ୧ ରହିଛି। ସେହିପରି ସ୍କୋର ୯ର ଅର୍ଥ ଆକାଶ ଅତ୍ୟଧିକ ଧୂମିଳ ଏବଂ ଉଜ୍ଜ୍ଵଳ। ଦିଲ୍ଲୀର ସ୍କୋର ଏବେ ୯ ରହିଛି। ସେହିପରି ମୁମ୍ବାଇର ସ୍କୋର ୮ ରହିଛି। ଅର୍ଥାତ୍ ବହୁତ ଖରାପ ସ୍ଥିତି।
ସମସ୍ୟାର ବଡ଼ କାରଣ ଷ୍ଟ୍ରିଟ୍ ଲାଇଟ୍
ଆଲୋକ ପ୍ରଦୂଷଣର ସବୁଠୁ ବଡ଼ କାରଣ ହେଲା ଭାରତରେ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକର ଡିଜାଇନ୍। ଏହି ଲାଇଟ୍ ଗୁଡ଼ିକ ଏଭଳି ଲଗାଯାଇଛି ଯେ, ଏହାର ଆଲୋକ ସିଧାସଳଖ ଯାଇ ଆକାଶରେ ପଡୁଛି। ଯାହାକି ଆକାଶରେ ଏକ ନାରଙ୍ଗୀ ଧୂଆଁ ଭଳି ଦେଖାଯାଏ। ଯଦି ଏହି ଲାଇଟ୍ ଗୁଡ଼ିକ ଉପରେ ସେଡ୍ ଲଗାଇ ଦିଆଯାଏ ତାହେଲେ ଲାଇଟ୍ ତଳମୁହାଁ ହୋଇ ପଡିବ। ଆକାଶରେ ତାରାମାନେ ଭଲ ଭାବରେ ଦୃଶ୍ୟମାନ ହେବେ। ତେବେ ଭାରତର ପ୍ରଥମ ଆନ୍ତର୍ଜାତୀୟ ଡାର୍କ ସ୍କାଏ ପାର୍କ ମହାରାଷ୍ଟ୍ରର ପେଞ୍ଚ ବ୍ୟାଘ୍ର ସଂରକ୍ଷଣରେ ଏବେ ବଡ଼ ପରିବର୍ତ୍ତନ ହୋଇଛି। ରାତିରେ ଲାଇଟ୍ ବନ୍ଦ କରିବା ଦ୍ୱାରା ନିଶାଚର ପ୍ରାଣୀ ଏବଂ ପ୍ରବାସୀ ପକ୍ଷୀଙ୍କ ଜୈବିକ ଉନ୍ନତି ହେଉଛି। ହେଲେ ସଂରକ୍ଷଣ ବାହାରେ ଗ୍ରାମାଞ୍ଚଳ ଗୁଡ଼ିକରେ ଷ୍ଟ୍ରିଟ୍ ଲାଇଟ୍ ଉପରେ ବନ ବିଭାଗର ନିୟନ୍ତ୍ରଣ ନଥିବାରୁ ଏକ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି।
ଆଲୋକ ଯେତିକି ଜରୁରୀ ଅନ୍ଧାର ସେତିକି ଜରୁରୀ
ଆଲୋକ ପ୍ରଦୂଷଣ ରୋକିବା ପାଇଁ କୌଣସି କେନ୍ଦ୍ରୀୟ ଆଇନ ନାହିଁ। ଦେଶରେ ବିକାଶ ଏବଂ ଅନ୍ଧାର ମଧ୍ୟରେ ଏକ ପ୍ରତିଯୋଗିତା ମଧ୍ୟ ଚାଲିଛି। ରିମୋଟ୍ ଲୋକେସନରେ ଆଲୋକ ନଥିବାରୁ ଲୋକମାନେ ସରକାରଙ୍କୁ ଟାର୍ଗେଟ୍ କରୁଚନ୍ତି। ହେଲେ ଲୋକମାନେ ବୁଝିବା ଉଚିତ୍ ବିଦ୍ୟୁତୀକରଣ ଯେତିକି ଜରୁରୀ ଅନ୍ଧାର ମଧ୍ୟ ସେତିକି ଜରୁରୀ। ଏହା ଏକ ପ୍ରାକୃତିକ ସମ୍ପଦ। ଏହାକୁ ସୁରକ୍ଷା ଦେବା ଆବଶ୍ୟକ। କୋଟି କୋଟି ବର୍ଷ ଧରି ତାରା ଅଛନ୍ତି ଏବଂ ରହିବେ, କିନ୍ତୁ ଏଭଳି ନକଲେ ଆମେ ସବୁଦିନ ପାଇଁ ସେମାନଙ୍କୁ ଦେଖିବାର କ୍ଷମତା ହରାଇଦେବା। ଯେପର୍ଯ୍ୟନ୍ତ ସାରା ଦେଶରେ ଆଲୋକ ପରିଚାଳନା ସମ୍ପର୍କରେ ନିୟମ ପ୍ରଣୟନ ନହୋଇଛି, ଭାରତର ଭବିଷ୍ୟତ ପୀଢ଼ି କେବେବି ପ୍ରକୃତ ଆକାଶ ଦେଖିପାରିବେ ନାହିଁ। ପିଲାମାନେ କେବଳ ପାଠ୍ୟ ପୁସ୍ତକରେ ତାରା ଏବଂ ଆକାଶଗଙ୍ଗା ବିଷୟରେ ପଢ଼ିବେ।