ଭୁବନେଶ୍ୱର ୧୫/୧୧: କିଛି ଲୋକ ରହିଥାନ୍ତି, ଯେଉଁମାନଙ୍କ ଦିନ ଚା’ ବା କଫି ବିନା ଆରମ୍ଭ ହୋଇ ନଥାଏ । ଯଦି କୌଣସି ଦିନ ଏହି ଏନର୍ଜି ବୁଷ୍ଟର ମିଳି ନଥାଏ, ତେବେ ସାରା ଦିନ ମୁଣ୍ଡ ଭାରି ଭାରି ଲାଗିଥାଏ । ଲକ୍ଷ ଲକ୍ଷ ଲୋକଙ୍କର ଏଭଳି ଅନୁଭବ ରହିଥିବ ନିଶ୍ଚୟ । ଚାଲନ୍ତୁ ଜାଣିବା ଏହା ପଛର ବାସ୍ତବ ସତ୍ୟ ।

ଚା’ବା କଫି ନ ପିଇବା ଦ୍ୱାରା ମୁଣ୍ଡବିନ୍ଧା ହେବା ଖୁବ୍ ସାଧାରଣ କଥା । ଏହା କ୍ୟାଫିନ୍ ୱିଡ୍ରଲ୍ କାରଣରୁ ହୋଇଥାଏ । ଫଳରେ ଚିଡଚିଡାପଣ ଓ ଧ୍ୟାନକେନ୍ଦ୍ରୀତ କରିବା କଷ୍ଟ ହୋଇପଡେ । ଆପୋଲୋ ହସ୍ପିଟାଲର ସିନିୟର୍ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଧୀର କୁମାରଙ୍କ ମତରେ କ୍ୟାଫିନ୍ ୱିଡ୍ରଲ୍ ଏଥିପାଇଁ ଦାୟୀ । ଚାଲନ୍ତୁ ଜାଣିବା ଏହା ବିଷୟରେ ।

କାହିଁକି ହୁଏ ମୁଣ୍ଡବିନ୍ଧା?

ଚା’-କଫିରେ ଥିବା କ୍ୟାଫିନ୍ ମସ୍ତିଷ୍କରେ ପ୍ରସ୍ତୁତ ହେଉଥିବା ରାସାୟନିକ ପଦାର୍ଥ ଏଡେନୋସିନ୍‌କୁ ବନ୍ଦ କରି ଦେଇଥାଏ । ଏହି ରସାୟନ ଆମକୁ ନିଦ ଓ ଥକ୍କାପଣର ଅନୁଭବ କରାଇଥାଏ । ଯଦି ଆପଣ ନିୟମିତ କଫି ପିଉଥାନ୍ତି । ତେବେ ମସ୍ତିଷ୍କ ଏହି ପରିବର୍ତ୍ତନକୁ ଗ୍ରହଣ କରି ନେଇଥାଏ । କିନ୍ତୁ ଯେଉଁଦିନ କଫି ପିଇବା ବନ୍ଦ କରିଦିଅନ୍ତି, ସେଦିନ ଏଡେନୋସିନ୍ ଅଚାନକ୍ ଭାବେ ଅଧିକ ସକ୍ରିୟ ହୋଇପଡେ । ଫଳରେ ମସ୍ତିଷ୍କର ରକ୍ତ କୋଷଗୁଡିକ ସଂପ୍ରସାରିତ ହେବା ସହ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ ।

କେବେ ଓ କେତେ ସମୟ ରହିବ ଲକ୍ଷଣ?

କଫି ନ ପିଇବାର ୧୨ରୁ ୨୪ ଘଣ୍ଟା ଭିତରେ କ୍ୟାଫିନ୍ ୱିଡ୍ରଲ୍ ଲକ୍ଷଣ ଦେଖିବାକୁ ମିଳିଥାଏ । ମୁଣ୍ଡବିନ୍ଧା ସହ ମୁଡ୍ ଖରାପ ହେବା ଓ କାମ ଉପରେ ଧ୍ୟାନକେନ୍ଦ୍ରୀତ ନ ହେବା ପରି ଲକ୍ଷଣମାନ ଦେଖା ଦେଇଥାଏ । କେବେ କେବେ ଚା-କଫି ପିଉଥିବା ବ୍ୟକ୍ତିଙ୍କଠାରେ ୨/୩ ଦିନ ଯାଏ ମଧ୍ୟ ରହିଥାଏ । ଏପରିକି ଅତିରିକ୍ତ କଫି ପିଉଥିବା ଲୋକଙ୍କଠାରେ ଏହା ଏକ ସପ୍ତାହ ଯାଏ ମଧ୍ୟ ରହିପାରେ ।

କେମିତି କରିବେ ସ୍ଥିତିର ନିୟନ୍ତ୍ରଣ?

ଡାକ୍ତରଙ୍କ କହିବା ଅନୁସାରେ ଯଦି କଫି ଛାଡିବାକୁ ଚାହଁନ୍ତି, ତେବେ ଧୀରେ ଧୀରେ କମ୍ କରିବା ସହ ଛାଡନ୍ତୁ ।

ଧୀରେ ଧୀରେ କମ୍ କରନ୍ତୁ: ଯଦି ନିୟମିତ ୨ କପ୍ କଫି ପିଉଥାନ୍ତି, ତେବେ ଧୀରେ ଧୀରେ ବନ୍ଦ କରିବାକୁ ପ୍ରୟାସ କରନ୍ତୁ ।

ପାଣି ଅଧିକ ପିଅନ୍ତୁ: ଶରୀରରେ ପାଣିର ଅଭାବ ଯୋଗୁ ମଧ୍ୟ ମୁଣ୍ଡବିନ୍ଧା ହେବା ସହ ବଢି ମଧ୍ୟ ପାରେ ।

ଭଲ ନିଦ ନିଅନ୍ତୁ: ମସ୍ତିଷ୍କ କ୍ୟାଫିନ ଅଭାବରେ ନିଜକୁ ସନ୍ତୁଳିତ କରିବା ପାଇଁ ସମୟ ନେଇଥାଏ । ତେଣୁ ପର୍ଯ୍ୟାପ୍ତ ମାତ୍ରାର ଆରାମ ନେବା ଆବଶ୍ୟକ ।