ଆମେରିକାର ଏହି ସଙ୍କଟ, ଦୀର୍ଘମିଆଦୀ ସୂତ୍ରରେ ଆମେରିକାର ଆର୍ଥିକ ସ୍ଥିତିକୁ ଆହୁରି ବିପଦଜନକ ସ୍ଥିତିକୁ ଟାଣିନେବ । ବିଭିନ୍ନ ଦେଶ ସହିତ ଟାରିଫ ଯୁଦ୍ଧ, ଇମିଗ୍ରେସନ ନୀତି ଏବଂ କ୍ରମାଗତ ମୁଦ୍ରାସ୍ଫୀତି ଫଳରେ ଆମେରିକାର ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି । ଆର୍ôଥକ ଅଚଳାବସ୍ଥା ପ୍ରାୟ ଏକମାସ କାଳ ଜାରି ରହିଥିବାରୁ ଏହା ଆହୁରି ସଙ୍କଟମୟ ସ୍ଥିତି ସୃଷ୍ଟି କରିବ ।

‘ଆମେରିକୀୟ କେନ୍ଦ୍ର କର୍ମଚାରୀ ମହାସଂଘର ସଭାପତି ଭାବେ ମୁଁ ଦେଶର ୮ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କର ପ୍ରତିନିଧିତ୍ୱ କରୁଅଛି, ଯେଉଁମାନେ ଗର୍ବ ଏବଂ ବୃତ୍ତିଗତ ମନୋଭାବର ସହ ଦେଶର ସେବା କରୁଛନ୍ତି । ସେମାନେ ଆମ ଦେଶର ସୀମାକୁ ସୁରକ୍ଷିତ ରଖିଥାନ୍ତି ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ଆମର ବନ୍ଧୁ ଏବଂ ସହୋଦର ଭାବେ ସହାୟତା କରନ୍ତି । ସେମାନେ ଦେଶର କୋଣ ଅନୁକୋଣରୁ ଆସିଛନ୍ତି ଏବଂ ଭିନ୍ନ ଭିନ୍ନ ରାଜନୈତିକ ଆଦର୍ଶରେ ବିଶ୍ୱାସ କରନ୍ତି । କିନ୍ତୁ ଗୋଟିଏ ସରଳ ବିଶ୍ୱାସରେ ସେମାନେ ବାନ୍ଧି ହୋଇଛନ୍ତି- ଦେଶସେବା ହେଉଛି ସମ୍ମାନଜନକ କର୍ମ । ଆଜି ସେହି ବିଶ୍ୱାସର ପରୀକ୍ଷା ସମୟ ଆସିଛି । ସାନ୍ ଆଣ୍ଟେନିଆରେ ଥିବା ସେନା ନର୍ସ, ଆଟଲାଣ୍ଟାର ଖାଦ୍ୟ ନିରୀକ୍ଷକଙ୍କ ଭଳି ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବିନା ବେତନରେ କାମ କରିବା ପାଇଁ କୁହାଯାଇଛି । ଏହି ଦେଶପ୍ରେମୀ ଆମେରିକୀୟମାନେ ୱାଶିଂଟନରେ ରାଜନୈତିକ ମତଭେଦ ଯୋଗୁଁ ଘରଭଡ଼ା, ଖାଦ୍ୟସାମଗ୍ରୀ, ଔଷଧ ଏବଂ ପିଲାମାନଙ୍କର ଯତ୍ନ ନେବାପାଇଁ ଆର୍ଥିକ ସଂଘର୍ଷ କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ସେମାନଙ୍କର ଅପରାଧ କ'ଣ? ଦୁର୍ଭାଗ୍ୟବଶତଃ, ଆଜି ୱାଶିଂଟନରେ ଆର୍ଥିକ ଅଚଳାବସ୍ଥା ଏକ ରାଜନୈତିକ ପ୍ରହସନରେ ପରିଣତ ହୋଇଯାଇଛି । ଫଳରେ ଦେଶର କୋଟି କୋଟି ଟିକସଦାତା, କ୍ଷୁଦ୍ର ବ୍ୟବସାୟୀ ସରକାରଙ୍କ ଉପରୁ ଆସ୍ଥା ହରାଇଛନ୍ତି । ତେଣୁ ୯୦ ପ୍ରତିଶତ ଆମେରିକାବାସୀ ଏହି ଆର୍ôଥକ ଅଚଳାବସ୍ଥାକୁ ସରକାରୀ ସଙ୍କଟ ଭାବେ ବିବେଚନା କରୁଛନ୍ତି ।

ଆଜି କେନ୍ଦ୍ର ସରକାରୀ କର୍ମଚାରୀ ଦ୍ୱିତୀୟ ମାସର ଦରମା ପାଇବାରୁ ବଞ୍ଚିତ ହୋଇ ଆର୍ଥିକ ଯନ୍ତ୍ରଣାରେ କଲବଲ ହେଉଥିବାବେଳେ ସେମାନଙ୍କ ପାଇଁ ରାଜନୈତିକ ଆଦର୍ଶ ମୂଲ୍ୟହୀନ ଅଟେ । ସେମାନେ ନିଜ ଅର୍ଜିତ ଦରମା ମାଗୁଛନ୍ତି । ସେଥିରୁ ସେମାନଙ୍କୁ ବଞ୍ଚିତ କରିବା ଦେଶ ପାଇଁ ଲଜ୍ଜାଜନକ ଘଟଣା ଅଟେ । ...ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସରକାର ସମସ୍ତ କେନ୍ଦ୍ର କର୍ମଚାରୀଙ୍କୁ କାର୍ଯ୍ୟକୁ ଫେରାଇ ଆଣିବା ସହିତ ସମସ୍ତଙ୍କର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରନ୍ତୁ । ଯେଉଁମାନେ ଦେଶକୁ ଚଳାଉଛନ୍ତି, ସେମାନଙ୍କୁ ଦଣ୍ଡ ନଦେଇ ବିଚାର ବିମର୍ଶ ମାଧ୍ୟମରେ ରାଜନୈତିକ ନେତୃବୃନ୍ଦ ଦେଶକୁ ଏକ ଶକ୍ତିଶାଳୀ ଗଣତନ୍ତ୍ରର ପରିଚୟ ପ୍ରଦାନ କରନ୍ତୁ ।' ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଆମେରିକାରେ ଲାଗି ରହିଥିବା ଆର୍ôଥକ ଅଚଳାବସ୍ଥାର ଚାରି ସପ୍ତାହ ପରେ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘର ସଭାପତି ଏଭେରେଟ୍ କେଲ୍ଲୀ ପ୍ରେସ ବିବୃତି ମାଧ୍ୟମରେ ସରକାରଙ୍କ ଉଦ୍ଦେଶ୍ୟରେ ଏହି ବିବରଣୀ ପ୍ରଦାନ କରିଛନ୍ତି । ଏହି ସମୟ ମଧ୍ୟରେ ଆମେରିକାର ୨୦ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଦରମା ପାଇବାରୁ ବଞ୍ଚିତ ହୋଇଥିବାବେଳେ, ୯ଲକ୍ଷ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରାଯାଇଛି ।

ଏଥିସହିତ ନଭେମ୍ବର ୧ ତାରିଖରୁ କେନ୍ଦ୍ର ସରକାରଙ୍କର ବୃହତ ଜନକଲ୍ୟାଣକାରୀ ଯୋଜନା ଯଥା: ପୁଷ୍ଟିକର ଖାଦ୍ୟ ସହାୟତା, ପ୍ରାରମ୍ଭିକ ଶିଶୁ ଶିକ୍ଷା ଏବଂ ଗ୍ରାମାଞ୍ଚଳକୁ ବିମାନସେବା, ଅର୍ଥ ଏବଂ କର୍ମଚାରୀ ଅଭାବରୁ ବନ୍ଦ ହେବାର ସମ୍ଭାବନା ରହିଛି । ଏଥିରୁ ଆମେରିକାର ଘନୀଭୂତ ଆର୍ଥିକ ସଙ୍କଟର ଚିତ୍ର ସୁସ୍ପଷ୍ଟ । ଆମେରିକାର ଏହି ସଙ୍କଟ, ଦୀର୍ଘମିଆଦୀ ସୂତ୍ରରେ ଆମେରିକାର ଆର୍ôଥକ ସ୍ଥିତିକୁ ଆହୁରି ବିପଦଜନକ ସ୍ଥିତିକୁ ଟାଣିନେବ । ବିଭିନ୍ନ ଦେଶ ସହିତ ଟାରିଫ ଯୁଦ୍ଧ, ଇମିଗ୍ରେସନ ନୀତି ଏବଂ କ୍ରମାଗତ ମୁଦ୍ରାସ୍ଫୀତି ଫଳରେ ଆମେରିକାର ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି । ଆର୍ôଥକ ଅଚଳାବସ୍ଥା ପ୍ରାୟ ଏକମାସ କାଳ ଜାରି ରହିଥିବାରୁ ଏହା ଆହୁରି ସଙ୍କଟମୟ ସ୍ଥିତି ସୃଷ୍ଟି କରିବ । ଯଦି ଏହା ଦୁଇ ମାସ କାଳ ଲାଗିରହେ ତେବେ ପ୍ରତିଦିନ ଆମେରିକାର କ୍ଷତି ଏକ ବିଲିୟନ ଡଲାରରୁ ଊଦ୍ଧ୍ୱର୍ ହୋଇପାରେ, ଯାହା ଭରଣ କରିବା ଆଉ ସହଜ ହେବନାହିଁ ଏବଂ ପ୍ରତି ସପ୍ତାହରେ ଆମେରିକା ଜିଡିପି ୦.୧ରୁ ୦.୨ ପ୍ରତିଶତ ହ୍ରାସ ହୋଇପାରେ । ଶିଳ୍ପ ଓ ବାଣିଜ୍ୟର ପ୍ରତିଟି କ୍ଷେତ୍ର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବାରୁ ହୋଟେଲ ଏବଂ ବିମାନ ଶିଳ୍ପ ବହୁଭାବରେ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଏଥିସହିତ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ । କେନ୍ଦ୍ର ସରକାରଙ୍କର ସମସ୍ତ ଜନକଲ୍ୟାଣକାରୀ ଯୋଜନା ପ୍ରାୟତଃ ବନ୍ଦ ହୋଇଥିବାରୁ ସବୁଠାରୁ କ୍ଷତିଗ୍ରସ୍ତ ହେଉଛନ୍ତି ଆର୍ଥିକ ଅନଗ୍ରସର ବର୍ଗ । ଏହି ସଙ୍କଟମୟ ସ୍ଥିତି ପାଇଁ ଦେଶର ଦୁଇଟି ପ୍ରମୁଖ ରାଜନୈତିକ ଦଳ ରିପବ୍ଲିକାନ ଏବଂ ଡେମୋକ୍ରାଟିକକୁ ଦାୟୀ କରାଯାଇପାରେ ।

ଆମେରିକାର ପାର୍ଲାମେଣ୍ଟ (କଂଗ୍ରେସ) ଦୁଇଟି ସଦନକୁ ନେଇ ଗଠିତ: ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ (ସଂକ୍ଷେପରେ ହାଉସ୍) ଏବଂ ସିନେଟ । ହାଉସ ସଦସ୍ୟମାନେ ପ୍ରତି ଦୁଇବର୍ଷରେ ଏବଂ ସିନେଟ ସଦସ୍ୟମାନେ ପ୍ରତି ଛଅ ବର୍ଷରେ ନିର୍ବାଚିତ ହୁଅନ୍ତି । ହାଉସ ସଦସ୍ୟଙ୍କ ସଂଖ୍ୟା ୪୩୫ ଏବଂ ପ୍ରତି ରାଜ୍ୟ ସିନେଟକୁ ଦୁଇଜଣ ସଦସ୍ୟ ନିର୍ବାଚିତ କରୁଥିବାରୁ ସିନେଟ ସଦସ୍ୟ ସଂଖ୍ୟା ୧୦୦ । ଆମେରିକାର ରାଷ୍ଟ୍ରପତି ହେଉଛନ୍ତି ଦେଶର ଶାସନମୁଖ୍ୟ ଏବଂ ରାଷ୍ଟ୍ରପତି ଟ୍ରମ୍ପ ରିପବ୍ଲିକାନ ଦଳର ହୋଇଥିବାରୁ କଂଗ୍ରେସରେ ଡେମୋକ୍ରାଟିକ ହେଉଛି ବିରୋଧୀ ଦଳ । ବର୍ତ୍ତମାନ ହାଉସରେ ଶାସକ ଦଳର ସଂଖ୍ୟା ୨୧୯, ବିରୋଧୀ ୨୧୩ । ତିନୋଟି ଆସନ ଖାଲି ପଡ଼ିଛି । ସେହିଭଳି ସିନେଟରେ ଶାସକ ଦଳର ସଂଖ୍ୟା ୫୩ ଏବଂ ବିରୋଧୀ ୪୫ ଏବଂ ୨ଜଣ ସଦସ୍ୟ ବିରୋଧୀଙ୍କୁ ସମର୍ଥନ ଦେଉଛନ୍ତି । ଏହି ଦୃଷ୍ଟିରୁ ଆମେରିକା କଂଗ୍ରେସରେ ଶାସକ ଦଳର ସଂଖ୍ୟାଗରିଷ୍ଠତା ରହିଛି । ଆମେରିକାର ଆର୍ôଥକ ବର୍ଷ ଅକ୍ଟୋବରରୁ ଆରମ୍ଭ ହୁଏ । ବଜେଟ ଅନୁମୋଦନ ନିମନ୍ତେ ସିନେଟରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ବଜେଟ ଆଲୋଚନା ପରେ ସିନେଟର ସମୁଦାୟ ସଂଖ୍ୟାର ତିନି-ପଞ୍ଚମାଂଶ ଅର୍ଥାତ୍ ୬୦ଜଣ ସଦସ୍ୟ ଏହାକୁ ସମର୍ଥନ କରିବା ଆବଶ୍ୟକ । ନଚେତ ବଜେଟ ଅନୁମୋଦନ ପାଇବ ନାହିଁ, ଫଳରେ ସରକାର ନୂତନ ଆର୍ôଥକ ବର୍ଷରେ କର୍ମଚାରୀଙ୍କ ଦରମା ସହିତ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ । ସିନେଟରେ ରିପବ୍ଲିକାନ ଦଳର ସଦସ୍ୟ ସଂଖ୍ୟା ୫୩ ଥିବାରୁ ବଜେଟ ପାସ୍ ହୋଇପାରିଲା ନାହିଁ । ଫଳରେ ସରକାରଙ୍କର ଆର୍ଥିକ କ୍ଷମତା ସଙ୍କୁଚିତ ହୋଇ ଏହି ଅଚଳାବସ୍ଥା ସୃଷ୍ଟି ହେଲା । ପ୍ରତିଟି ରାଜନୈତିକ ଦଳର ସ୍ୱତନ୍ତ୍ର ଆଦର୍ଶ ଏବଂ ଆଭିମୁଖ୍ୟ ରହିବା ସ୍ୱାଭାବିକ । କିନ୍ତୁ ଅନେକ ସମୟରେ ଦଳର କ୍ଷମତାଲିପ୍ସୁ ବରିଷ୍ଠ ନେତା ଏହି ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ୱାର୍ଥସାଧନରେ ଲିପ୍ତ ରହିଥାନ୍ତି । ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ ହେଉଛନ୍ତି ଏହି ପର୍ଯ୍ୟାୟର । ତାଙ୍କ ପ୍ରଥମ ପାଳି ଶାସନକାଳ ଠାରୁ ଏହି ଶାସନକାଳ ସଂପୂର୍ଣ୍ଣଭାବେ ବ୍ୟକ୍ତିଗତ ହୁଇମ୍ରେ ଚାଲିଥିବା ଭଳି ଜଣାପଡୁଛି । ଟ୍ରମ୍ପଙ୍କ ପୂର୍ବରୁ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ବାରାକ ଓବାମା ଦେଶର ଅନଗ୍ରସର ଏବଂ ଆର୍ଥିକ ଶିଡ଼ିର ଶେଷ ପାହାଚରେ ଥିବା ବର୍ଗଙ୍କ ନିମନ୍ତେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣି ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ବୀମା ପ୍ରଚଳନ କରିଥିଲେ । ଏହା ଦେଶର ସର୍ବବୃହତ ଜନକଲ୍ୟାଣକାରୀ ଯୋଜନା "ଓବାମା କେୟାର' ନାମରେ ଅଭିହିତ । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏହି ବଜେଟରେ ସେହି ଯୋଜନା ନିମନ୍ତେ ଅର୍ଥ ବରାଦ କରିନାହାନ୍ତି । ଫଳରେ କୋଟି କୋଟି ଆମେରିକାବାସୀ ସୁଲଭ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବେ । ଟ୍ରମ୍ପଙ୍କର ଏହି ନୀତିକୁ ବିରୋଧୀ ଦଳ ପ୍ରଚଣ୍ଡ ବିରୋଧ କରୁଛନ୍ତି ।

ଦ୍ୱିତୀୟତଃ: ରାଷ୍ଟ୍ରପତି ଟ୍ରମ୍ପ ପରିବେଶ ସୁରକ୍ଷା ନିମନ୍ତେ ବିଶ୍ୱର ସର୍ବବୃହତ ପ୍ୟାରିସ ଚୁକ୍ତିନାମାରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଆମେରିକା ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଯେଉଁ ଆର୍ôଥକ ସହାୟତା ପ୍ରଦାନ କରାଯାଉଥିଲା, ତାହା ବନ୍ଦ କରିଦେଇଛନ୍ତି । ଆମେରିକା ହେଉଛି ବିଶ୍ୱର ସର୍ବବୃହତ ଅର୍ଥନୀତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବହୁ ଦରିଦ୍ରତମ ରାଷ୍ଟ୍ରମାନଙ୍କରେ ସ୍ୱାସ୍ଥ୍ୟସେବା ଭିତ୍ତିକ କାର୍ଯ୍ୟକ୍ରମ ପ୍ରଣୟନ କରିଥାନ୍ତି । ଏହି ନୀତିକୁ ବିରୋଧୀ ଦଳ ବିରୋଧ କରୁଛନ୍ତି ଏବଂ ଏହା ଯଥାର୍ଥ ମନେହୁଏ । ଉଚ୍ଚଶିକ୍ଷା ଓ ଗବେଷଣା ନିମନ୍ତେ ଆମେରିକା ବିଶ୍ୱର ପ୍ରଥମ ପସନ୍ଦ । କିନ୍ତୁ ଟ୍ରମ୍ପ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଏ ବାବଦରେ ଅର୍ଥ କାଟ୍ କରିଛନ୍ତି । ଏହିଭଳି ବିଭିନ୍ନ ଆଦର୍ଶଗତ ପାର୍ଥକ୍ୟ ହେତୁ ବିରୋଧୀ ଡେମୋକ୍ରାଟିକ ଦଳ ସିନେଟରେ ବ୍ୟୟ ବରାଦ ବିଲ୍କୁ ସମର୍ଥନ କରିନାହାନ୍ତି, ଫଳରେ ଏହି ସଙ୍କଟମୟ ସ୍ଥିତି ଉତ୍ପନ୍ନ ହୋଇଛି । ପରିସ୍ଥିତିକୁ ଆହୁରି ଜଟିଳ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି, ଏହି ଆର୍ଥିକ ସଙ୍କଟରେ ଯେଉଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଛଟେଇ କରାଯାଇଛି, ସେମାନଙ୍କୁ ପୁନଶ୍ଚ ଚାକିରିରେ ନିଆଯିବ କି ନାହିଁ ତାହା ଉପରେ ପୁନଃ ବିଚାର କରାଯିବ । ପ୍ରତିବର୍ଷ ବିଶ୍ୱରେ ଜୁନ୍ ୧୪ ତାରିଖକୁ ରାଜାରାଜୁଡ଼ା ଶାସନ ବିରୋଧରେ ପ୍ରତିବାଦ ଦିବସ ଭାବେ ପାଳନ କରାଯାଏ । ଏବର୍ଷ ଆମେରିକାରେ ଏହି ପ୍ରତିବାଦ ଦିବସ ଟ୍ରମ୍ପଙ୍କ ଖାମଖିଆଲି ନୀତି ବିରୋଧରେ ୨୧୦୦ ସହରରେ ୫୦ଲକ୍ଷ ବ୍ୟକ୍ତିଙ୍କ ଗହଣରେ ବ୍ୟାପକ ରୂପ ନେଇଛି । ପୁନଶ୍ଚ, ଅକ୍ଟୋବର ୧୮ ତାରିଖରେ "ନୋ କିଙ୍ଗ୍‌ସ ଆନ୍ଦୋଳନ' ଉପଲକ୍ଷେ ୭୦ଲକ୍ଷ ଆମେରିକାବାସୀ ୨୬୦୦ ସହରରେ ଯୋଗ ଦେଇ ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇଛନ୍ତି ।

ବର୍ତ୍ତମାନ ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ପ୍ରବଳ ଜନମତ ଆରମ୍ଭ ହୋଇ ତାହା କ୍ରମଶଃ ବ୍ୟାପକ ରୂପ ନେଉଛି । ଏହା ସତ୍ତ୍ଵେ, ଚଳିତ ମାସ ତୃତୀୟ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପ କଂଗ୍ରେସରେ ବିନା ଆଲୋଚନାରେ ହ୍ୱାଇଟ ହାଉସ୍ର ଏକ ଅଂଶ ଭାଙ୍ଗି ସେହି ସ୍ଥାନରେ ନାଚଗୀତ ପାଇଁ ବିରାଟ ହଲ୍ ନିର୍ମାଣ କରୁଛନ୍ତି । ଦରିଦ୍ରତମ ବର୍ଗଙ୍କ ନିମନ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ନିମନ୍ତେ ଅର୍ଥ ନାହିଁ, ଅଥଚ ମଉଜ ମଜଲିସ ନିମନ୍ତେ ରାଜକୋଷ ଉନ୍ମୁକ୍ତ ରହିଛି । ଏହା ହିଁ ହେଉଛି ରାଜାରାଜୁଡା ଶାସନ ବ୍ୟବସ୍ଥାର ଦୃଷ୍ଟାନ୍ତ । ବିଭିନ୍ନ ଦେଶ ଉପରେ ଟ୍ରମ୍ପ ଯେଉଁ ଟାରିଫ ଲଦି ଦେଇଛନ୍ତି, ତାହା ଫଳରେ ଆମେରିକାର ଅର୍ଥନୀତି ଆହୁରି ଭୁଶୁଡ଼ି ପଡ଼ୁଛି, ତାହା ସେ ବୁଝିବା ପାଇଁ ନାରାଜ । ଇତିହାସରେ ଜଣେ ଆଡ଼ବାୟା ରାଜାଙ୍କ ସଂପର୍କରେ ଉଲ୍ଲେଖ ରହିଛି । ଏବେ ତାହାର ନମୁନା ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

​​​​​​​