ନୂଆଦିଲ୍ଲୀ,୧୮।୯: ଜାତୀୟ ରାଜପଥରେ  ମାତ୍ର ୬୫ କିଲୋମିଟର ରାସ୍ତା ଯାତ୍ରା କରି ଯଦି ୧୨ ଘଣ୍ଟା ଲାଗେ ତେବେ ଟୋଲ୍ ଦେବା କ’ଣ ଦରକାର ? ସୁପ୍ରିମକୋର୍ଟ ସୋମବାର ଏନ୍‌ଏଚ୍‌ଏଆଇ ଅର୍ଥାତ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣଙ୍କୁ ଏଭଳି ପ୍ରଶ୍ନ ପଚାରିଛନ୍ତି । କୋର୍ଟ କହିଛନ୍ତି, କେରଳର ତ୍ରିଶୁରରେ ୬୫ କିଲୋମିଟର ଲମ୍ବା ଏନ୍‌ଏଚ୍ ପାର କରିବାକୁ ୧୨ ଘଣ୍ଟା ଲାଗୁଥିବାରୁ କାହିଁକି ଜଣେ ଯାତ୍ରୀ ୧୫୦ ଟଙ୍କାର ଟୋଲ୍ ଦେବ ? ପ୍ରଧାନ ବିଚାରପତି ବି.ଆର ଗଭଇ, ନ୍ୟାୟମୂର୍ତ୍ତି ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିୟାଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି। ଏନ୍ଏଚଏଆଇ ଓ ଟୋଲ୍ ଆଦାୟ ଅଧିକାର ରଖିଥିବା କମ୍ପାନୀ ‘ ଗୁରୁଭାୟୁର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ’ ଦ୍ବାରା ଦାୟର କରାଯାଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। 

ଆବେଦନରେ ତ୍ରିଶୁର ପାଲିୟେକ୍କାରା ଟୋଲ୍ ପ୍ଲାଜାରେ ଟୋଲ୍ ସଂଗ୍ରହ ଉପରେ ରୋକ ଲଗାଇବା ପାଇଁ କେରଳ ହାଇକୋର୍ଟଙ୍କ ରାୟକୁ ଗୁରୁଭାୟୁର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ଚ୍ୟାଲେଞ୍ଜ ଦେଇଇଥିଲା। ସିଜେଆଇ କହିଛନ୍ତି, ଯଦି କୌଣସି ବ୍ୟକ୍ତି ମାତ୍ର ୬୫ କିଲୋମିଟର ଯିବାକୁ ୧୨ ଘଣ୍ଟା ଲାଗେ, ତେବେ ସେ କାହିଁକି ୧୫୦ ଟଙ୍କା ଟୋଲ୍ ଟ୍ୟାକ୍ସ ‌ଦେବେ ? କାରଣ ଏଠାରେ ୧ ଘଣ୍ଟାର ସମୟ ବଦଳରେ ଅଧିକ ୧୧ ଘଣ୍ଟା ଲାଗୁଛି।  

ଉଲ୍ଲେଖନୀୟ ଯେ, ହାଇକୋର୍ଟ ୬ ଅଗଷ୍ଟରେ ଏନ୍‌ଏଚ୍‌ରେ ୫୪୪ର ଏଡାପଲ୍ଲୀ-ମନ୍ନୁଥିର ଖରାପ ସ୍ଥିତି ଓ ନିର୍ମାଣ କାର୍ଯ୍ୟ କାରଣରୁ ସୃଷ୍ଟି ହୋଇଥିବା ଗମ୍ଭୀର ଯାତାୟତ ଜାମ୍ ଆଧାରରେ ୨ ସପ୍ତାହ ପାଇଁ ଟୋଲ୍ ଆଦାୟ ଉପରେ ରୋକ ଲଗାଇବାର ନିର୍ଦେଶ ଦେଇଥିଲେ। ଟୋଲ୍ ଆଦାୟ କରୁଥିବା ଗୁରୁଭାୟୁର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜି  ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଛି। ଏବେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ଶୁଣାଣି ସମୟରେ, ଜଷ୍ଟିସ୍ ଚନ୍ଦ୍ରନ୍ NHAI ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ୍ ଅଫ୍ ଇଣ୍ଡିଆ ତୁଷାର ମେହେଟ୍ଟାଙ୍କୁ କହିଥିଲେ ,ଗତକାଲିର ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା ଯେ ୧୨ଘଣ୍ଟା ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା।ମେହେତା କହିଥିଲେ ଯେ ଏହା ଭଗବାନଙ୍କ ଇଚ୍ଛା, କାରଣ ଏକ ଲରି  ସେଠାରେ ଓଲଟି ପଡିଲା। ଏହା ଉପରେ ବିଚାରପତି କହିଥିଲେ ଲରିଟି ଆପେ ପଡ଼ି ନଥିଲା, ବରଂ ଗାତରେ ପଡ଼ି ଓଲଟି ପଡିଥିଲା। ତା’ପରେ ମେହେତା କହିଥିଲେ, ଅଣ୍ଡରପାସ୍ ନିର୍ମାଣ କାମ ଚାଲିଛି।