ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ରାତିରେ ମୃତ୍ୟୁ ହୁଏ, ତେବେ ମୃତଦେହକୁ ରାତିସାରା ଏକା ନଛାଡିବାର ପରମ୍ପରା ଅଛି। ପରିବାରର ଜଣେ କିମ୍ବା ଅଧିକ ସଦସ୍ୟ ଶବ ପାଖରେ ଜଗି ରହିଥାନ୍ତି । ଅନେକ ଏହାକୁ କେବଳ ଧାର୍ମିକ ବିଶ୍ୱାସ ସହ ଯୋଡ଼ି ଦେଖୁଥିବାବେଳେ, ଏହା ପଛରେ ଐତିହାସିକ, ସାମାଜିକ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଅନେକ ଲୋକ ଏହାକୁ ଭୂତ କିମ୍ବା ଆତ୍ମାର ଭୟ ବୋଲି କୁହନ୍ତି, କିନ୍ତୁ ଏହା ପଛରେ କେବଳ ଏକ ଧାର୍ମିକ କାହାଣୀ ନୁହେଁ, ବରଂ ଏକ ଦୃଢ଼ ବୈଜ୍ଞାନିକ କାରଣ ମଧ୍ୟ ଅଛି। ସନାତନ ପରମ୍ପରା ଅନୁସାରେ, ସୂର୍ଯ୍ୟାସ୍ତ ପରେ ଶେଷକୃତ୍ୟ କରିବା କଡ଼ା ନିଷେଧ। ତେଣୁ ଯଦି ରାତିରେ କେହି ମୃତ୍ୟୁବରଣ କରନ୍ତି, ତେବେ ଶବକୁ ରାତିସାରା ଘରେ ରଖାଯାଏ।
ଧାର୍ମିକ ବିଶ୍ୱାସ କ'ଣ କହେ ?
ସନାତନ ପରମ୍ପରା ଓ ଗରୁଡ଼ ପୁରାଣରେ ବର୍ଣ୍ଣିତ ବିଶ୍ୱାସ ଅନୁସାରେ, ମୃତ୍ୟୁ ପରେ ଆତ୍ମାର ଶରୀର ପ୍ରତି ଆସକ୍ତି ତୁରନ୍ତ ଶେଷ ହୁଏ ନାହିଁ। ଶେଷକୃତ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଆତ୍ମା ଶରୀର ଆଖପାଖରେ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଏହି ବିଶ୍ୱାସ ଅନୁଯାୟୀ, ଶରୀରକୁ ଏକା ଛାଡ଼ିଦେବା ଉଚିତ ନୁହେଁ। ସେଥିପାଇଁ ଶବ ପାଖରେ ଦୀପ, ଧୂପ କିମ୍ବା କର୍ପୂର ଜଳାଇ ରଖାଯାଏ ଏବଂ ପରିବାର ସଦସ୍ୟମାନେ ଭଜନ, ଗୀତା ପାଠ କିମ୍ବା ଅନ୍ୟ ଧାର୍ମିକ ପାଠ କରନ୍ତି।
ଏହି ପରମ୍ପରା ପଛରେ ରହିଛି ଐତିହାସିକ କାରଣ
ପ୍ରାଚୀନ ସମୟରେ ଡିପ୍ ଫ୍ରିଜର, ମର୍ଗ କିମ୍ବା ଆଧୁନିକ ସଂରକ୍ଷଣ ବ୍ୟବସ୍ଥା ନଥିଲା। ଅଧିକାଂଶ ଘର ଖୋଲା ଅଗଣା ବିଶିଷ୍ଟ ଥିଲା । ଏପରି ସ୍ଥିତିରେ ରାତିରେ ମୃତଦେହକୁ ଏକା ଛାଡ଼ିଦେଲେ ବୁଲା କୁକୁର, ବିଲେଇ, ମୂଷା କିମ୍ବା ଅନ୍ୟ ବନ୍ୟପ୍ରାଣୀ ଶରୀରକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଥିଲା। ଏହି କାରଣରୁ ପରିବାର ସଦସ୍ୟମାନେ ସାରା ରାତି ଜାଗି ଶବର ସୁରକ୍ଷା କରୁଥିଲେ।
ବୈଜ୍ଞାନିକ ଦୃଷ୍ଟିକୋଣ କ'ଣ କହେ?
ବୈଜ୍ଞାନିକ ଦୃଷ୍ଟିରୁ, ମୃତ୍ୟୁ ପରେ ଶରୀରର କୋଷଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବା ଆରମ୍ଭ କରେ ଏବଂ ପଚନ ପ୍ରକ୍ରିୟା ଚାଲୁ ହୁଏ। ସମୟ ବଢ଼ିବା ସହିତ ଜୀବାଣୁ ବୃଦ୍ଧି ପାଏ ଓ ଦୁର୍ଗନ୍ଧ ସୃଷ୍ଟି ହୋଇପାରେ । ଶବ ପାଖରେ କର୍ପୂର କିମ୍ବା ଧୂପ ଜଳାଇବା ଦ୍ୱାରା ପରିବେଶର ଦୁର୍ଗନ୍ଧ କମିଥାଏ। ତେବେ, ଧୂପ କିମ୍ବା କର୍ପୂର ବାୟୁରେ ଥିବା ସମସ୍ତ ଜୀବାଣୁକୁ ନଷ୍ଟ କରିଦିଏ କିମ୍ବା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକିଥାଏ । ସଠିକ୍ ସ୍ୱଚ୍ଛତା ଓ ସତର୍କତା ଅବଲମ୍ବନ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଦୁଃଖ ସମୟରେ ପ୍ରିୟଜନଙ୍କୁ ସମର୍ଥନ
ପ୍ରିୟଜନଙ୍କ ମୃତ୍ୟୁ ପରେ ପରିବାର ଗଭୀର ଶୋକରେ ଥାଆନ୍ତି। ଏପରି ସମୟରେ ମୃତଦେହ ପାଖରେ ପରିବାର ସଦସ୍ୟଙ୍କ ଉପସ୍ଥିତି କେବଳ ପରମ୍ପରା ପାଳନ ନୁହେଁ, ବରଂ ପରସ୍ପରକୁ ମାନସିକ ସମର୍ଥନ ଦେବାର ଏକ ମାଧ୍ୟମ ମଧ୍ୟ ଅଟେ। ରାତିସାରା ଏକାଠି ବସି ପ୍ରାର୍ଥନା କରିବା ଶୋକାକୁଳ ପରିବାରକୁ ମାନସିକ ଶକ୍ତି ଯୋଗାଇଥାଏ।