ନୂଆଦିଲ୍ଲୀ,୧୪।୬: ଗୁଜରାଟର ଦୁଇଥରର ମୁଖ୍ୟମନ୍ତ୍ରୀ ରହିସାରିଥିବା ବିଜୟ ରୂପାନୀଙ୍କ ଗୁରୁବାର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପରଲୋକ ହୋଇଛି। ସେ ନିଜ ଝିଅଙ୍କୁ ଭେଟିବାକୁ ଲଣ୍ଡନ ଯାଉଥିଲେ। କୁହାଯାଉଛି ଯେ, ତାଙ୍କର ପ୍ଲାନ ଗୋଟେ ସପ୍ତାହ ପୂର୍ବରୁ ଲଣ୍ଡନ ଯିବାର ଥିଲା, କିନ୍ତୁ ନିର୍ବାଚନ ପ୍ରଚାର କାରଣରୁ ସେ ଅଳ୍ପ ଦିନ ପାଇଁ ଏହାକୁ ଘୁଞ୍ଚାଇ ଦେଇଥିଲେ। 

ମିଳିଥିବା ସୂଚନା ଅନୁସାରେ, ରୂପାନୀ ପୂର୍ବରୁ ୫ ଜୁନ୍‌ରେ ଲଣ୍ଡନ ଯାଉଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଯାଉଥିଲେ। କିନ୍ତୁ ରୂପାନୀ ପଞ୍ଜାବର ପ୍ରଭାବୀ ଅଛନ୍ତି, ତେଣୁ ଲୁଧିୟାନା ପଶ୍ଚିମରୁ ଉପ-ନିର୍ବାଚନ ପାଇଁ ପ୍ରଚାର ଅଭିଯାନ କାରଣରୁ ନିଜର ଗ୍ରସ୍ତକୁ ଘୁଞ୍ଚାଇ ଦେଇଥିଲେ। ଇଣ୍ଡିଆନ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ, ରାଜ୍ୟ ପାର୍ଟି ମୁଖ୍ୟ ସୁନିଲ ଜାଖଡ କହିଛନ୍ତି, ୫ ଜୁନ୍‌ରେ ରୂପାନୀଙ୍କ ପତ୍ନୀ ଲଣ୍ଡନ ଚାଲିଯାଇଥିଲେ, କିନ୍ତୁ ସେ ରହିଯାଇଥିଲେ। ପୁଣିଥରେ ୧୨ ଜୁନ୍‌କୁ ତାରିଖ ଧାର୍ଯ୍ୟ କରିଥିଲେ, କିନ୍ତୁ ତାଙ୍କର ସେହି ଯାତ୍ରା କେବେ ପୂରଣ ହୋଇପାରିଲାନି। 

୧୨ ଜୁନ୍‌ରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଟେକଅଫ୍‌ର ମାତ୍ର  କିଛି ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରୂପାନୀ ଏହି ଫ୍ଲାଇଟ୍‌ରେ ଥିଲେ, ଯେଉଁଥିରେ ଅନ୍ୟ ଯାତ୍ରୀଙ୍କ ସହ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ବିମାନରେ  ସେତେବେଳେ କ୍ରୁ ମେମ୍ବରଙ୍କ ସହ ମୋଟ ୨୪୨ ଆରୋହୀନ ଥିଲେ। ତେବେ ନିକଟରେ ଥିବା ମେଡିକାଲ କଲେଜ ହଷ୍ଟେଲ ଓ ଆବାସିକ ଅଞ୍ଚଳରେ ଦୁର୍ଘଟଣା ପରେ ବିମାନ ଖସି ପଡିଥିଲା। ଏଥିରେ ଯାତ୍ରୀଙ୍କ ବ୍ୟତୀତ ବାହାର ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି।  ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।