ନୂଆଦିଲ୍ଲୀ : ସୁନୀତା ୱିଲିୟମ୍ସ ଏହି ସମୟରେ ମହାକାଶରେ ଫସି ରହିଛନ୍ତି। ପ୍ରଥମେ ତାଙ୍କର ଫେବ୍ରୁଆରୀ ୨୦୨୫ରେ ଫେରିବାର ଆଶା ଥିଲା। କିନ୍ତୁ ଏବେ ନାସା କହିଛି ଯେ, ସୁନୀତାଙ୍କ ଫେରିବାରେ ଆହୁରି ବିଳମ୍ୱ ହୋଇ ପାରେ। କିନ୍ତୁ ଆପଣ ଏହା ଜାଣନ୍ତି କି, ସୁନୀତା ୱିଲିୟମ୍ସ ମହାକାଶରେ କେତେ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖନ୍ତି ? ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ କି, ସୁନୀତା ୱିଲିୟମ୍ସ ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖି ଥାନ୍ତି। ସେଠାରେ ପ୍ରତି ୪୫ ମିନିଟ୍ରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ମିଳିଥାଏ। ଅନୁଭବୀ ମହାକାଶ ଯାତ୍ରୀ ଏହି କଥାର ସୂଚନା ୨୦୧୩ରେ ଗୁଜରାଟରେ ଏକ କାର୍ଯ୍ୟକ୍ରମ ବେଳେ ଦେଇ ଥିଲେ।
୨୦୧୩ରେ ୟୁନିଭର୍ସିଟି ଅଫ୍ ଗୁଜରାଟ ସୁନୀତା ୱିଲିୟମ୍ସଙ୍କୁ ସମ୍ମାନିତ କରୁଥିଲା। ଏହି କାର୍ଯ୍ୟକ୍ରମରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ସୁନୀତା ନିଜର ସୁନ୍ଦର ଅନୁଭବ ବିଷୟରେ ସେଠାରେ କହିଥିଲେ- ମୁଁ ଭାଗ୍ୟବାନ ଥିଲି କି ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାର ସୁଯୋଗ ପାଇଲି। ଏ ସବୁକିଛି ଦ୍ରୁତ ଗତିରେ ବୁଲୁ ଥିବା ସ୍ପେସ୍ ସଟଲରେ ହୋଇଥିଲା।
ଆଇଏସଏସ୍ ପାଖାପାଖି ୨୮,୦୦୦ କି.ମି ପ୍ରତି ଘଣ୍ଟାର ଗତିରେ ପୃଥିବୀର ପରିକ୍ରମା କରିଥାଏ। ଏହା ପ୍ରତି ୯୦ ମିନିଟ୍ରେ ଏକ ଅରବିଟ୍ ପୂର୍ଣ୍ଣ କରିଥାଏ। ସ୍ପେସ୍ ଷ୍ଟେସନର ଏତେ ଦ୍ରୁତ ଗତିରେ ଚାଲିବା ଦ୍ୱାରା ମହାକାଶ ଯାତ୍ରୀ ଖୁବ୍ ଜୋରରେ ପୃଥିବୀର ଅନ୍ଧାର ପକ୍ଷରୁ ଆଲୋକ ପକ୍ଷ ଆଡ଼କୁ ଯାଇଥାନ୍ତି। ଏହି ଲୋକଙ୍କୁ ପାଖାପାଖି ୪୫ ମିନିଟ୍ର ଅନ୍ତରାଳରେ ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ଦେଖିବାକୁ ସୁଯୋଗ ମିଳିଥାଏ। ଏହିପରି ପୃଥିବୀରେ ୧୨ଘଣ୍ଟାର ଦିନ ଓ ରାତିର ବିପରୀତ , ଆଇଏସଏସରେ ମହାକାଶ ଯାତ୍ରୀ ୪୫-୪୫ ମିନିଟର ଦିନ ଓ ରାତିର ଅନୁଭବ କରିଥାନ୍ତି।
ମହାକାଶରେ ଦିନ-ରାତିର ନିୟମିତ ଚକ୍ର ନହେବା ଯୋଗୁଁ ମହାକାଶ ଯାତ୍ରୀ ଶୋଇବା ସମୟ ପାଇଁ ବିଶେଷ ଫର୍ମୂଲା ବ୍ୟବହାର କରନ୍ତି। ଏହା ହେଉଛି କୋଅର୍ଡିନେଟେଡ୍ ୟୁନିଭର୍ସଲ ଟାଇମ୍ ( ୟୁଟିସି)ଉପରେ ଆଧାରିତ ସିଡ୍ୟୁଲ। ଏହା ଆଧାରରେ ମହାକାଶ ଯାତ୍ରୀଙ୍କ ଦିନର କାମ , ବ୍ୟାୟାମ, ଭୋଜନ ଓ ବିଶ୍ରାମର ସମୟ ସ୍ଥିର ହୋଇଥାଏ। ମହାକାଶରେ ନିଜର ଫିଜିକାଲ ଓ ମେଣ୍ଟାଲ ହେଲଥ୍ ବଜାୟ ରଖିବା ପାଇଁ ଆଷ୍ଟ୍ରୋନାଟ୍ସ ଏହି ସିଡ୍ୟୁଲର ଦୃଢ ଭାବେ ପାଳନ କରିଥାନ୍ତି।