ବାରିପଦା,୨୧।୯ - ବେତନଟୀ ଥାନା ପୁରିନ୍ଦା ପଞ୍ଚାୟତ ଅଧୀନ ସଂସା ଗାଁରେ ଅଭାବନୀୟ ଘଟଣା ଘଟିଛି।  ଲୁହାଛଡ଼ରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ। ମୃତା ମହିଳା ଜଣକ ହେଉଛନ୍ତି ସତ୍ୟବତୀ ମହାନ୍ତ l

ମୃତା ମହିଳାଙ୍କ ବାପା ଅରୁଣ ମହାନ୍ତଙ୍କ ଅଭିଯୋଗ ମୁତାବକ ଜ୍ୱାଇଁ ଗଣେଶ ମହାନ୍ତଙ୍କ ଘର ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ଉପକଣ୍ଠ ବିଜିପୁର ଗ୍ରାମରେ l ସତ୍ୟବତୀଙ୍କୁ ବିବାହକରି ଗଣେଶ ଦୀର୍ଘ ୨୫ବର୍ଷ ହେବ ଘରଜ୍ୱାଇଁ ଭାବେ ସଂସା ଗାଁରେ ରହିଆସୁଥିଲା l ଘଟଣାଦିନ ଅର୍ଥାତ ରବିବାର ଅପରାହ୍ନ ଦେଢ଼ଟା ପାଖାପାଖିରେ ସତ୍ୟବତୀ ଜଙ୍ଗଲରୁ ପତ୍ର ଏବଂ ଶୁଖିଲା ଜାଳେଣିକାଠ ସଂଗ୍ରହକରି ଘରକୁ ଫେରିଥିଲା l ଦୀର୍ଘ ଘଣ୍ଟା ପରେ ଜଙ୍ଗଲରୁ ଫେରି ଥକ୍କାରେ ସତ୍ୟବତୀ ପାଣି ପିଇ ଘର ବାହାରେ ଥିବା ଖଟରେ ଶୋଇପଡି ବିଶ୍ରାମ ନେଉଥିଲେ l

​​​​​​​ସେହି ସମୟରେ ଗଣେଷ ପ୍ରଚୁର ମଦ୍ୟପାନ କରି ନିଶାଗ୍ରସ୍ତ ଥିବାବେଳେ ହାତରେ ଏକ ଲୁହାଛଡ଼ ଧରି ଆସି ଶୋଇଥିବା ସତ୍ୟବତୀଙ୍କ ମୁଣ୍ଡକୁ ବାରମ୍ବାର ଛେଚି ଚାଲିଥିଲା l ବାରମ୍ବାର ଶକ୍ତ ପ୍ରହାରରେ ସେଠାରେ ପ୍ରଚୁର ରକ୍ତତ୍ସାବ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ସତ୍ୟବତୀଙ୍କ ମୃତ୍ୟୁ ଘଟିଥିଲା l ସ୍ତ୍ରୀକୁ ହତ୍ୟା ପରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା ପାଇଁ ଜଙ୍ଗଲକୁ ଦୌଡୁଥିବା ଗଣେଶକୁ କାବୁକରି ଶ୍ୱଶୁର ଅରୁଣ ଏବଂ ଅନ୍ୟମାନେ ସିମେଣ୍ଟଖୁଣ୍ଟରେ ବାନ୍ଧି ରଖି ପୁଲିସକୁ ଖବର ଦେଇଥିଲେ l ବେତନଟୀ ପୁଲିସ ଅଭିଯୁକ୍ତ ଗଣେଷକୁ ଗିରଫ କରିଛି।