ବଡ଼ଗାଁ,୨୦/୦୯: ସୁନ୍ଦରଗଡ଼  ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଆସିଛି ସଭ୍ୟ ସମାଜର ମୁଣ୍ଡ ନୁଆଁଇଲା  ଭଳି ଦୃଶ୍ୟ । ସ୍ତ୍ରୀର ପରକୀୟା ପ୍ରୀତି  ଧରାପଡ଼ିବାରୁ ସ୍ୱାମୀ ଗାଁ ମଝିରେ ଉଲଗ୍ନ କରି ବୁଲାଇବା ସହ ନିସ୍ତୁକ  ମାଡ଼ ମାରିଛି । ଦେଇଛି ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ।  ଏଭଳି ଅମାନବୀୟ କାର୍ଯ୍ୟର ଭିଡିଓ  ଭାଇରାଲ୍‌ ହୋଇଛି ।

ମହିଳାଙ୍କ ସ୍ୱାମୀ ବେଙ୍ଗାଲୁରୁରେ  କାମ କରନ୍ତି । ଅନ୍ୟ ଏକ ଗାଁର ଜଣେ  ଅବିବାହିତ ଯୁବକଙ୍କ ସହ ତାଙ୍କର  ସମ୍ପର୍କ ଗଢ଼ି ଉଠିଥିଲା । ଯୁବକ  ଜଣକ ଚାରିଦିନ ହେଲା ମହିଳାଙ୍କ  ଘରକୁ ଆସି ରହୁଥିଲା । ଘଟଣା  ପ୍ରଘଟ ହେବା ପରେ ଗ୍ରାମବାସୀ  ଉଭୟଙ୍କୁ ଧରି କଙ୍ଗାରୁ କୋର୍ଟ  ବସାଇଥିଲେ । ସେଠାରେ ଉଭୟେ  ପରକୀୟା ପ୍ରୀତି ସ୍ୱୀକାର କରିଥିଲେ । ଖବର ପାଇଁ ବୁଧବାର ମହିଳାଙ୍କ ସ୍ୱାମୀ ବେଙ୍ଗାଲୁରୁରୁ ଘରକୁ ଫେରିଥିଲେ । ଏହାପରେ ସ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିବା ସହ ଉଲଗ୍ନ କରି ଗାଁ  ଦାଣ୍ଡରେ ବୁଲାଇଥିଲେ । ଏହାର ଭିଡିଓ ଭାଇରାଲ୍‌ ହୋଇଛି । ହେଲେ  କଙ୍ଗାରୁକୋର୍ଟ ନେଇ ଗ୍ରାମବାସୀ  ଗଣମାଧ୍ୟମ ସମ୍ମୁଖରେ ମୁହଁ  ଖୋଲୁନାହାନ୍ତି । ଏ ନେଇ ଥାନାରେ  କୌଣସି ଅଭିଯୋଗ ହୋଇ ନ ଥିବା  ଆଇଆଇସି ବାଲୁଙ୍କେଶ୍ୱର ନାଏକ  ସୂଚନା ଦେଇଛନ୍ତି।