କରଞ୍ଜିଆ,୧୮/୨: ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଲେ ମହିଳା । ବାଜିରେ ଲଗାଇଦେଲେ ଜୀବନ । ସ୍ୱାମୀ ଏବେ ଲହୁଲୁହାଣ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ତେବେ ଆଶ୍ଚର୍ଯ୍ୟର କଥା ମହିଳାଙ୍କ ଆକ୍ରମଣରେ ଭାଲୁ ବି ଆହତ ହୋଇ ଜଙ୍ଗଲ ଭିତରକୁ ଚାଲିଯାଇଛି । ଏଭଳି ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମିଲୁ ଗ୍ରାମରୁ ସାମ୍ନାକୁ ଆସିଛି ।
ଆହୁରି ପଢନ୍ତୁ-ବିଧାନସଭାରେ ବିଜେଡି-ବିଜେପି କଳି, ଇନପୁଟ୍ ସବସିଡି ନେଇ ଟଣାଓଟରା
ସୂଚନା ଅନୁଯାୟୀ, କରଞ୍ଜିଆ ମିଲୁ ଗ୍ରାମର ମାଲଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ । ହାତୀସାଲବେଡା ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ୬ ଟି ଜଙ୍ଗଲୀ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ପତ୍ର ତୋଳୁଥିବା ସମୟରେ ଗୋଟିଏ ଭାଲୁ ମାଲଦେ ସୋରେନ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଭାଲୁ ନିକଟରୁ ବର୍ତ୍ତିବାପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଲଢେଇ କରିଥିଲେ । ଶେଷରେ ସ୍ତ୍ରୀ ଲିଲି ସୋରେନ ଏକ ଟାଙ୍ଗିଆ ସାହାଯ୍ୟରେ ଭାଲୁକୁ ପ୍ରତି ଆକ୍ରମଣ କରିବାରୁ ଭାଲୁଟି ଆହତ ହୋଇ ମାଲଦେ ସୋରେନକୁ ଲହୁଲୁହାଣ କରି ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ମହିଳା ଜଣଙ୍କ ସାହସ ପାଇଁ ଆଜି ତାଙ୍କ ସ୍ୱାମୀର ଜୀବନ ବଞ୍ଚିଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ତାଙ୍କର ପ୍ରଶଂସା ହେଉଛି ।