ନୂଆଦିଲ୍ଲୀ, ୦୭/୦୮ : ଟ୍ରମ୍ପଙ୍କ ଟାରିଫ୍ ୱାର୍ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ। 'କୃଷକଙ୍କ ହିତ ଆମର ସର୍ବୋଚ୍ଚ ପ୍ରାଥମିକତା। ଭାରତର କୃଷକ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ହିତ ସହ କୌଣସି ସାଲିସ୍ ହେବ ନାହିଁ। ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ଭାରତ ପ୍ରସ୍ତୁତ। କୃଷକଙ୍କ ଆୟ ବଢାଇବାକୁ ଏବଂ ଚାଷବାସରେ କମ୍ ଖର୍ଚ୍ଚ, ନୂଆ ଆୟ ସ୍ରୋତ କରିବାକୁ ସରକାର ଲଗାତର କାମ କରୁଛନ୍ତି।' ନୂଆଦିଲ୍ଲୀରେ ଏମ.ଏସ. ସ୍ଵାମୀନାଥନ ଶତାବ୍ଦୀ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି ।  

ପିଏମ୍ କହିଛନ୍ତି ଯେ, ଦେଶରେ ସୋୟାବିନ, ଶୋରିଷ ଓ ଚିନାବାଦାମର ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିଛି । ସରକାର କୃଷକଙ୍କ ଶକ୍ତିକୁ ଦେଶର ପ୍ରଗତିର ଆଧାର ମାନୁଛି। ପିଏମ୍ ସମ୍ମାନ ନିଧିରୁ ଚାଷୀଙ୍କୁ ଆତ୍ମବଳ ମିଳିଛି। ପିଏମ୍ ଫସଲ ବୀମା ଯୋଜନାରେ କୃଷକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରାଯାଇଛି। କୋ-ଅପରେଟିଭ୍ ଏବଂ ସେଲ୍ଫ ହେଲ୍‌ପ ଗ୍ରୁପ୍‌ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୁଦୃଢ ହୋଇଛି। 'ପିଏମ୍ କିଷାନ ସମ୍ପଦା' ଯୋଜନାରେ ନୂଆ ଫୁଡ୍ ପ୍ରୋସେସିଂ ୟୁଟିନ୍ ଏବଂ ଖାଦ୍ୟ ଭଣ୍ଡାରକୁ ଗତି ମିଳିଛି । 

ପ୍ରକାଶ ଥାଉକି, ଋଷ ଠାରୁ ତେଲ କିଣିବା ନେଇ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି। ଏହା ଅଗଷ୍ଟ ୨୭ରୁ ଲାଗୁ ହେବ। ଆଗକୁ ଆହୁରି ଟାରିଫ୍ ବଢାଇବେ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ଅନୁଚିତ, ଅନ୍ୟାୟ ଏବଂ ଅବିବେକପୂର୍ଣ୍ଣ ବୋଲି ଭାରତ କହିଛି। ଏଥିସହିତ ଭାରତ ଏହାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଯାହା ସମ୍ଭବ କରିବ ବୋଲି ଦୋହରାଇଛି।

ଏହି ଖବରଟିକୁ ପଢନ୍ତୁ- ଭାରତ ଉପରେ ଟାରିଫ୍ ବମ୍, ଆତଙ୍କୀସ୍ତାନ ସହ ୟାରି : ମୁନୀରଙ୍କୁ ଟ୍ରମ୍ପଙ୍କ ଘନ ଘନ ନିମନ୍ତ୍ରଣ, କାହିଁକି ଆମେରିକା ଯିବେ ପାକ୍ ଆର୍ମି ଚିଫ୍ ?