ୱାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଟ୍ରମ୍ପଙ୍କ ପ୍ରତିନିଧିମାନେ ମଧ୍ୟ ପାକିସ୍ତାନ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ଷ୍ଟିଭ୍ ୱିଟକଫ୍ ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନର ଖୁବ୍ ଶୀଘ୍ର ପାକିସ୍ତାନ ଯିବେ। ବର୍ତ୍ତମାନ ଯେଉଁ ସୂଚନା ସାମ୍ନାକୁ ଆସିଛି, ଏହି ମୁତାବିକ , ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ବର୍ତ୍ତମାନ ଏହି ଶାନ୍ତିବାର୍ତ୍ତାରେ ସାମିଲ ହେବାର ଯୋଜନା କରୁ ନାହାଁନ୍ତି। ହେଲେ , ଯଦି ଆଲୋଚନା ଆଗକୁ ବଢେ , ତ ସେ ମଧ୍ୟ ଏଥିରେ ଯୋଗ ଦେଇ ପାରନ୍ତି।
ସୂଚନା ଅନୁସାରେ , ୱିଟକାଫ ଏବଂ କୁଶନର, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚିଙ୍କ ସହ କଥାବାର୍ତ୍ତା କରିବେ। ସିଏନଏନ ଦୁଇ ପ୍ରଶାସନିକ ଅକାରୀଙ୍କ ଉଦ୍ଧୃତି ଦେଇ କହିଛି। ଅରାଗଚୀ ପୂର୍ବରୁ କହିଥିଲେ ଯେ, ସେ ପାକିସ୍ତାନ ଯାଉଛନ୍ତି। ଏଥିରେ ଆଶା ସୃଷ୍ଟି ହୋଇଥିଲା ଯେ, ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶୀଘ୍ର ଆରମ୍ଭ ହେବ। ଏହାସହ ଆଠ ସପ୍ତାହ ଧରି ଚାଲିଥିବା ଯୁଦ୍ଧ ଅନ୍ତର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ଅରଗଚିଙ୍କ ସୋସିଆଲ ମିଡିଆ ପୋଷ୍ଟ ଏହି ଆଶାକୁ ଧୂଳିସାତ୍ କରି ଦେଇଛି। ଉକ୍ତ ପୋଷ୍ଟରେ କୁହାଯାଇଛି ଯେ, ତାଙ୍କ ଗସ୍ତର ଉଦ୍ଦେଶ୍ୟ ଦ୍ୱିପାକ୍ଷୀୟ ପ୍ରସଙ୍ଗରେ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ଏବଂ ଆଞ୍ଚଳିକ ବିକାଶ ଉପରେ ପରାମର୍ଶ କରିବା।
ମାମଲା ସହ ସଂପୃକ୍ତ ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି , ତାଙ୍କୁ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ବାର୍ତ୍ତାର ଦ୍ୱିତୀୟ ପର୍ଯ୍ୟାୟର ଆଶା ରହିଛି। ହେଲେ ଏହି ସୂଚନା ଦିଆଯାଇ ନାହିଁ ଯେ, ଆଲୋଚନା କେବେ ଏବଂ କେଉଁ ସ୍ତରରେ ହେବ। ଏହି ଘୋଷଣା ଏମିତି ସମୟରେ ଆସିଛି ,ଯେବେ ଆମେରିକା ଇରାନ ଉପରେ ନିଜର ନୌସୈନିକ ଅବରୋଧ ସହ ଚାପ ବୃଦ୍ଧି କରିଥିଲା, ଯାହାକି ଇରାନକୁ ଶାନ୍ତି ଆଲୋଚନା ପାଇଁ ରାଜି କରାଯାଇ ପାରିବ। ଏହି ସମୟରେ, ଇସ୍ରାଏଲ ଏବଂ ଲେବାନନ ତିନି ସପ୍ତାହ ପାଇଁ ଯୁଦ୍ଧବିରତି ବୃଦ୍ଧି କରିବାକୁ ଯାଉଛନ୍ତି।