ବେଙ୍ଗାଲୁରୁ, ୩୦/୦୬: ରେଫ୍ରିଜେଟର, ଡ୍ରମ୍ ପରେ ଏବେ ଆବର୍ଜନା ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ । ଯାହାକୁ ନେଇ ବେଙ୍ଗାଲୁରୁର ଚିତ୍ରମାନାକେର ଅଚ୍ଚୁକଟ୍ଟୁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।
ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ କେହି ହତ୍ୟା କରିବା ପରେ ଏକ ବସ୍ତାରେ ଭର୍ତ୍ତି କରି ଆବର୍ଜନା ଟ୍ରକରେ ଫିଙ୍ଗି ଦେଇଥିବା ଖବର ସାମ୍ନା ଆସିଛି । ପୁଲିସ୍ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ସୋମବାର ଗିରଫ କରିଛି । ରବିବାର ସ୍ଥାନୀୟ ଲୋକେ ମୃତଦେହକୁ ଦେଖିଥିଲେ ଏବଂ ପରେ ଚିତ୍ରମାନାକେର ଅଚ୍ଚୁକଟ୍ଟୁ ଥାନା ପୁଲିସକୁ ଖବର । ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଜଣେ ଅଧିକାରୀ ।
ସୂଚନା ଅନୁଯାୟୀ, ମୃତ ମହିଳା ହେଉଛନ୍ତି ୪୦ ବର୍ଷୀୟା ଆଶା ଦେବୀ । ସେ ତାଙ୍କ ୩୩ ବର୍ଷିୟ ପୁରୁଷ ବନ୍ଧୁ ସହିତ ଲିଭ୍-ଇନ-ରେଲସନସିପ୍ରେ ରହୁଥିଲେ । ଦେଢ଼ ବର୍ଷ ହେଲା ଦକ୍ଷିଣ ବେଙ୍ଗାଲୁରୁର ହୁଲିମାଭୁ ଅଞ୍ଚଳରେ ଭଡ଼ାରେ ଘର ନେଇ ସାଙ୍ଗରେ ରହୁଥିଲେ । ଉଭୟେ ମଧ୍ୟ ଏକ ଘରୋଇ କମ୍ପାନିରେ ହାଉସ୍ କିପିଂ ଷ୍ଟାଫ୍ ଭାବେ କାର୍ଯ୍ୟ କରୁଥିଲେ । ମୃତ ଆଶା ଏବଂ ଅଭିଯୁକ୍ତ ପୂର୍ବରୁ ବିବାହ କରିଥିଲେ । ସେମାନଙ୍କର ପୂର୍ବରୁ ଦୁଇଟି ଲେଖାଏଁ ସନ୍ତାନ ଅଛି ବୋଲି ପୁଲିସ୍ ସ୍ପଷ୍ଟ କରିଛି । ହେଲେ ବେଙ୍ଗାଲୁରୁ ଉଭୟେ ଲିଭ୍-ଇନ-ରେଲେସନସିପ୍ରେ ରହି କାର୍ଯ୍ୟ କରୁଥିଲେ । ସମାଜ ସାମ୍ନାରେ ପତି-ପତ୍ନୀର ଅଭିନୟ କରୁଥିଲେ । ଆଶା ବିଧବା ଥିବା ବେଳେ ଅଭିଯୁକ୍ତର ନିଜସ୍ବ ଘର ଆସାମରେ । ସେ ପୂର୍ବ ପତ୍ନୀ ଏବଂ ସନ୍ତାନରୁ ଛାଡ଼ି ବେଙ୍ଗାଲୁରୁରେ ରହୁଥିଲେ ।
ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ; ଶନିବାର ଆଶା ଡ୍ଯୁଟି ସାରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା । ଏହାକୁ ନେଇ ଅଭିଯୁକ୍ତ, ବାନ୍ଧବୀ ଆଶା ସହିତ ଝଗଡ଼ା କରିଥିଲା । ସାମାନ୍ୟ ବଚସା ମାରପିଟ୍ର ରୂପ ନେଇଥିଲା । ପୁରୁଷ ବନ୍ଧୁ ଆଶାଙ୍କ ତଣ୍ଟି ଚିପି ଧରିବାରୁ ଅଣନିଶ୍ବାସୀ ହୋଇ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ପରେ ଅଭିଯୁକ୍ତ ଶବକୁ ଏକ ବସ୍ତାରେ ଭର୍ତ୍ତି କରି ଆବର୍ଜନା ବୋଝେଇ ଟ୍ରକରେ ଫିଙ୍ଗି ଦେଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ପୁଲିସ୍ ବାନ୍ଧିଛି ।....