ବେଲବାହାଳି,୦୫/୦୯ : ବାତୋ ଅଞ୍ଜିରା ବୈତରଣୀ ନଦୀ ଘାଟରେ ଭାସୁଛି ଅଜଣା ମୃତଦେହ । ମୃତଦେହଟି ଜଣେ ମହିଳାଙ୍କର ହୋଇଥିବା ବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହଟି ବନ୍ୟାରେ ଭାସି ଆସିଥିବା ସନ୍ଦେହ କରୁଛନ୍ତି ପୁଲିସ । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ବାତୋ ପଞ୍ଚାୟତ ଅଞ୍ଜିରା ଗାଁର ବୈତରଣୀ ଘାଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଅଞ୍ଜିରା ଗାଁର ବୈତରଣୀ ଘାଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟଲୋକେ ଦେଖିଥିଲେ। ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୁଲିସ ପହଞ୍ଚି ସ୍ଥିତି ଯାଞ୍ଚ କରିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଉଦ୍ଧାର କରିଛି । ଏହା ପରେ ତାହା ଜଣେ ମହିଳାଙ୍କ ମୃତଦେହ ବୋଲି ଚିହ୍ନଟ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।