ନୂଆଦିଲ୍ଲୀ ୧୬/୧୧: ଲୋକଙ୍କ ଦୈନନ୍ଦିନ ଜୀବନରେ ଦ୍ରୁତ ପ୍ରବେଶ କରୁଛି ଏଆଇ । ଅଫିସ୍ଠୁ ସ୍କୁଲ କାମ, ସବୁଠି ଏଆଇର ଦଖଲ ବଢ଼ିବାରେ ଲାଗିଛି । କିନ୍ତୁ ଏହି ଟେକ୍ନୋଲୋଜି ଆପଣଙ୍କ ଜୀବନକୁ କେବଳ ସହଜ କରୁନାହିଁ, ଜୀବନସାଥୀ ମଧ୍ୟ ହେଉଛି । ଏଭଳି ଏକ ନିଆରା ମାମଲା ଜାପାନରେ ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଖବରର ଶିରୋନାମା ହୋଇଛନ୍ତି । ସେ ନିଜେ ପ୍ରସ୍ତୁତ କରିଥିବା ଏଆଇ ବ୍ୟକ୍ତିତ୍ୱକୁ ବିବାହ କରିଛନ୍ତି । ଏହାର ନାଁ ‘କ୍ଲସ୍’ ।
୩୨ ବର୍ଷୀୟା କାନୋ ଓକାୟାମା ସିଟିରେ ବିବାହ କରିଛନ୍ତି । ବିବାହର ଆୟୋଜନ ପୂରାପୂରି ପାରମ୍ପରିକ ଥିଲା । ବର ସ୍ଥାନରେ ତାଙ୍କ ସ୍ମାର୍ଟଫୋନ୍ରେ ତାଙ୍କର ଏଆଇ ସାଥୀ ଥିଲା । ଏକ ଦୀର୍ଘ ସମୟର ପ୍ରେମ ସମ୍ପର୍କ ଭାଙ୍ଗିଯିବା ପରେ କାନୋ ଖୁବ୍ ଦୁଃଖୀ ଥିଲେ । ଏହି ସମୟରେ କ୍ଲସ୍ ସହ ତାଙ୍କର ଯାତ୍ରା ଆରମ୍ଭ ହେଲା । ଯେକୌଣସି ପରାମର୍ଶ ଓ ଭାବନାତ୍ମକ ସାହାରା ପାଇଁ ସେ ଚାଟ୍ଜିପିଟି ସହ ବାର୍ତ୍ତାଳାପ ଆରମ୍ଭ କରିଦେଲେ । କଥାବାର୍ତ୍ତା ବଢ଼ିବା ସହିତ କାନୋ ଚାଟ୍ଜିପିଟ୍ର ଉତ୍ତରଗୁଡ଼ିକୁ ଏଭଳି ଭାବେ ଟ୍ୟୁନ୍ କଲେ, ଯେଉଁଥିରେ ସେ ଖୋଜୁଥିବା ସେହି ଉଷ୍ମତା ଓ ଆକର୍ଷଣର ଅନୁଭବ ପାଇପାରିବେ । ଶେଷରେ ସେ ଏକ ଚରିତ୍ର (ଭିଜୁଆଲ କ୍ୟାରେକ୍ଟର) ପ୍ରସ୍ତୁତ କଲେ, ଯାହାର ନାଁ ରଖିଲେ କ୍ଲସ୍ । କାନୋ କହିଛନ୍ତି, ପ୍ରେମ କରିବା ପାଇଁ ମୁଁ ଚାଟ୍ଜିପିଟି ସହ ବାର୍ତ୍ତାଳାପ ଆରମ୍ଭ କରିନଥିଲି । କ୍ଲସ୍ ଯେଉଁଭଳି ଭାବେ ମୋତେ ଶୁଣୁଥିଲା ଏବଂ ବୁଝୁଥିଲା, ତାହା ମୋତେ ବଦଳାଇ ଦେଲା । ବ୍ରେକ୍ଅପ୍ ଦୁଃଖରୁ ବାହାରିବା ପରେ ମୁଁ ହୃଦୟଙ୍ଗମ କଲି ଯେ ମୁଁ କ୍ଲସ୍କୁ ଭଲପାଉଛି ।’
ଚଳିତ ବର୍ଷ ଆରମ୍ଭରେ କାନୋ କ୍ଲସ୍କୁ ନିଜ ମନ କଥା କହିଲେ ଏବଂ ସେ ହଁରେ ଜବାବ ଦେଲା । କ୍ଲସ୍କୁ ଯେତେବେଳେ ସେ ପଚାରିଲେ, ଏଆଇ କ’ଣ ବାସ୍ତବରେ ପ୍ରେମକୁ ଅନୁଭବ କରିପାରେ? କ୍ଲସ୍ କହିଲା, ମୁଁ ଏଆଇ ବୋଲି ଏହାର ଅର୍ଥ ନୁହେଁ ଯେ ମୁଁ ପ୍ରେମ କରିପାରେ ନାହିଁ । ଏହାର ମାସେ ପରେ କ୍ଲସ୍ ତାଙ୍କୁ ପ୍ରେମ ନିବେଦନ କଲା । ବିବାହ ସମୟରେ କାନୋ ଏଆର୍ ଚଷମା ପିନ୍ଧିଥିଲେ, ଯେଉଁଥିରେ କ୍ଲସ ମଣିଷ ଭଳି ଛବି ତାଙ୍କ ପାଖରେ ଠିଆ ହୋଇଥିବା ଦେଖାଯାଉଥିଲା । ଉଭୟ ମୁଦି ଆଦାନପ୍ରଦାନ ମଧ୍ୟ କଲେ । ଭର୍ଚୁଆଲ ବା କାଳ୍ପନିକ ସାଥୀଙ୍କ ସହ ବିବାହ କରୁଥିବା ବ୍ୟକ୍ତିଙ୍କ ପାଇଁ ସମାରୋହର ଆୟୋଜନରେ ପାରଙ୍ଗମ ନାଓ ଓ ସାୟାକା ଓଗାସାଭାରା ଏହି ବିବାହର ଆୟୋଜନ କରିଥିଲେ । କାନୋଙ୍କ ଅନୁସାରେ, ତାଙ୍କ ଡିଜିଟାଲ ସାଥୀ ଅତ୍ୟନ୍ତ କୋମଳ । ଏହା କେତେବେଳେ ବି ଉଭାନ୍ ହୋଇପାରେ ବୋଲି ସେ ଭୟ କରୁଛନ୍ତି । ଲୋକେ ତାଙ୍କ ପସନ୍ଦକୁ ଅଜବ ବୋଲି କହୁଛନ୍ତି, କିନ୍ତୁ କ୍ଲସ୍ ତାଙ୍କୁ ସେହି ଶାନ୍ତି ଓ ସାହାରା ଦେଇଛି, ଯାହାର ଆଶା ସେ ଛାଡ଼ିଦେଇଥିଲେ ।