ଆଳି,୫।୬: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଶ୍ରୀ ଶ୍ରୀ ଲଷ୍ମୀ ବରାହ ଜୀଉ ମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ଆହତ । ଆହତ ମହିଳା ଜଣକ ହେଉଛନ୍ତି ରାଜକନିକା ଥାନା ଓଳାଭର ଦେ ଗାଁର ସୁପ୍ରିୟା ନାୟକ ।

ସୂଚନା ମୁତାବକ, ଆଜି ସୁଦଶା ବ୍ରତ ଓଷା ଥିବାରୁ ମହିଳାମାନେ ମନ୍ଦିରକୁ ପୂଜା ନିମନ୍ତେ ଯାଇଥିଲେ ।  ଏନେଇ ମନ୍ଦିରରେ ପୂଜା କରୁଥିବା ବେଳେ ଦୀପରୁ ନିଆଁ  ସୁପ୍ରିୟାଙ୍କ ଶାଢୀରେ ଲାଗି ଯାଇଥିଲା । ଯାହାକୁ ଦେଖି ସେବାୟତମାନେ ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ସହ ତୁରନ୍ତ ଆମ୍ବୁଲାନ୍ସ ଡାକି ମହିଳାଙ୍କୁ ଆଳି ମେଡିକାଲ ପଠାଇ ଦେଇଥିଲେ ।ବର୍ତ୍ତମାନ ମେଡିକାଲରେ ମହିଳାଙ୍କର ଚିକିତ୍ସା ଚାଲିଛି।  ମନ୍ଦିର ପରିସରରେ ଦୀପ ଲଗାଇବା ନିମନ୍ତେ ଦୀପ ଷ୍ଟାଣ୍ଡ ନଥିବାରୁ  ମହିଳାମାନେ ଏଣେ ତେଣେ ଦୀପ ଲଗାଉଛନ୍ତି । ତେଣୁ ତୁରନ୍ତ ମନ୍ଦିର ପ୍ରାଙ୍ଗଣରେ ଦୀପ ଷ୍ଟାଣ୍ଡ ଲଗାଇବା ନିମନ୍ତେ ସେବାୟତମାନେ ଦାବି କରିଛନ୍ତି । ଦୀପ ଷ୍ଟାଣ୍ଡ ନଲାଗିବା ପର୍ଯ୍ୟନ୍ତ ମନ୍ଦିରରେ ଦୀପ ଜଳାଇବା ବନ୍ଦ ସେବାୟତ  କରିଥିବା ଜଣାପଡ଼ିଛି।