ରାମଚନ୍ଦ୍ରପୁର/ବେଲବାହାଳି,୧୦/୦୯: ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ ଅଭିଯୋଗ। କେନ୍ଦୁଝର ଜିଲ୍ଲା ପାଟଣା ଗାଁର ବୁଲୁ ଦାସଙ୍କ ପତ୍ନୀ ସୁକାନ୍ତି ୪ ଦିନ ତଳୁ ନିଖୋଜ ଥିବା ନେଇ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ପରେ ରାମଚନ୍ଦ୍ରପୁର ଥାନା ପୁଲିସ ଅଳତୀ ପଞ୍ଚାୟତ ଜନାର୍ଦ୍ଦନପୁର ପାଟଣା ଗାଁରୁ ମହିଳାଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନା ମୁତାବକ, ସୁକାନ୍ତିଙ୍କ ସହିତ ଗାଁର କୃପାସିନ୍ଧୁ ଦାସଙ୍କ ଅବୈଧ ସମ୍ପର୍କ ଥିଲା। ଘଟଣା ପ୍ରଘଟ ପରେ ସୁକାନ୍ତି ମାସେ ତଳେ କୃପାସିନ୍ଧୁ ବିରୁଦ୍ଧରେରେ ଥାନାରେ ଏତେଲା ଦେଇଥିଲା । ଯାହାକୁ ଆଧାର କରି ପୁଲିସ କୃପାସିନ୍ଧୁକୁ ଗିରଫ କରିଥିଲା। କୃପାସିନ୍ଧୁ ୭ ଦିନ ତଳେ ବେଲ୍ରେ ଆସିବା ପରେ ସୁକାନ୍ତି ନିଖୋଜ ହୋଇଯାଇଥିଲେ। ମଙ୍ଗଳବାର ରାତିରେ ରାମଚନ୍ଦ୍ରପୁର ପୁଲିସ ସନ୍ଦେହରେ କୃପାସିନ୍ଧୁକୁ ଅଟକ ରଖି ପଚରାଉଚୁରା ପରେ ଛାଡି ଦେଇଥିଲା। ତେବେ ବୁଧବାର ଗାଁ ନିକଟ ଏକ ନାଳ ନିକଟରୁ ସୁକାନ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଏବେ ଚର୍ଚ୍ଚା ଜୋର ଧରିଛି। ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଜଣଙ୍କୁ ଅଟକ ରଖି ପଚରାଉଚୁରା କରି ଅଧିକ ତଦନ୍ତ କରୁଛି ।