ରାଜଗାଙ୍ଗପୁର, ୧୨/୦୯: ଶୌଚ ପାଇଁ ଯାଇଥିବାବେଳେ ଆକ୍ରମଣ କଲା ଗୋଠଛଡ଼ା ଦନ୍ତା । ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ରାଜଗାଙ୍ଗପୁର ସିଏଚସି ଏବଂ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳା ଜଣକ ହାତୀଧର୍ସା ଗାଁର ୪୬ ବର୍ଷୀୟା ଦୟାମଣି କେର୍କେଟା ବୋଲି ଜଣାପଡ଼ିଛି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବନାଞ୍ଚଳର ବୁଚୁକୁପଡା ପଞ୍ଚାୟତ ହାତୀଧର୍ସା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶୁକ୍ରବାର ସକାଳୁ ହାତୀଧର୍ସା ଗାଁର ଦୟାମଣି କେର୍କେଟା ଘର ପଛପଟକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଏକ ଗୋଠଛଡ଼ା ଦନ୍ତା ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ରାଜଗାଙ୍ଗପୁର ସିଏଚସିରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ରାଜଗାଙ୍ଗପୁର ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ହାତୀଟିକୁ ଟ୍ରାକିଂଙ୍ଗ କରି ଜଙ୍ଗଲ ଭିତରକୁ ଘଉଡାଇବା ପ୍ରୟାସ ଜାରି ରଖିଛନ୍ତି।