ଭୁବନେଶ୍ୱର,୦୧/୦୩: ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ପ୍ରମେୟ, ନ୍ୟୁଜ୍-୭ ଓ ସୋଆ ପ୍ରାଚୀନ ତରଫରୁ ଆସନ୍ତା ୮ ତାରିଖ ବିଶ୍ୱ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ମହିଳାଙ୍କୁ ସମ୍ମାନିତ କରାଯିବ । ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା ବା ‘ୱାଓ’-୨୦୨୫ ଶନିବାର ସକାଳ ୧୦ଟାରୁ ହୋଟେଲ କ୍ରିଷ୍ଟାଲ୍ କ୍ରାଉନରେ ଆରମ୍ଭ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେବେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଉପସଭାପତି ତଥା ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ମଧ୍ୟ ଯୋଗ ଦେବେ ।
ଶିକ୍ଷା, କୃଷି, ବିଜ୍ଞାନ, ଉଦ୍ୟୋଗୀ, ସାହସିକ କାର୍ଯ୍ୟ, ଦୁଃସାହସିକ କ୍ରୀଡ଼ା, ଖେଳକୁଦ, ଗ୍ଲାମର, ଫ୍ୟାଶନ୍, ନୃତ୍ୟ, ସଙ୍ଗୀତ, ଅଭିନୟ, ଚାରୁ ଓ ଚାରୁକଳା, ହସ୍ତଶିଳ୍ପ, ହସ୍ତତନ୍ତ, ପରିବେଶ ସୁରକ୍ଷା ପ୍ରମୁଖ କ୍ଷେତ୍ରରେ ସଫଳ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ୨୦୨୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଚଳିତବର୍ଷ ପଞ୍ଚମ ବର୍ଷରେ ପାଦ ଥାପିଛି । ବିଶ୍ୱ ମହିଳା ଦିବସ ପୂର୍ବରୁ ପ୍ରମେୟ, ନ୍ୟୁଜ୍-୭ ଓ ସୋଆ ପ୍ରାଚୀନର ଏହି ଅଭିନବ ପ୍ରୟାସରେ ଯୋଡ଼ି ହେବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ୧ ହଜାରରୁ ଅଧିକ ଆବେଦନ ହୋଇଥିଲା । ଜୁରି ମଣ୍ଡଳୀ ଦ୍ୱାରା ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇଥିଲା । ଜୁରି ମଣ୍ଡଳୀରେ ପ୍ରତିଷ୍ଠିତ ଲେଖିକା ତଥା ସୋଆ ପ୍ରାଚୀନର ମୁଖ୍ୟ ପ୍ରଫେସର ଡ. ଗାୟତ୍ରୀବାଳା ପଣ୍ଡା, ସମାଜସେବୀ ତଥା ପ୍ରାକ୍ତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ବିଶିଷ୍ଟ ସ୍ତମ୍ଭକାର ସୁଜାତା ପ୍ରହରାଜ, ବିଶିଷ୍ଟ କ୍ରୀଡ଼ାବିତ୍ ତଥା ଅର୍ଜୁନ ପୁରସ୍କାର ବିଜେତା ମିନତି ମହାପାତ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ୍ ମହାନ୍ତି ପ୍ରମୁଖ ଅଛନ୍ତି ।