ଜଗତସିଂହପୁର ୦୭/୦୩: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମହିଳାଙ୍କ ମହଲରେ ଆଉ ସେଭଳି ଆଗ୍ରହ ପରିଲକ୍ଷିତ ହେଉନାହିଁ । ଏପ୍ରକାର କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ସରକାର ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି । ତିନିଦିନିଆ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସ ଅର୍ଥାତ ଗତକାଲି ଅନୁଷ୍ଠିତ ହୋଇଥିଲା ଯୋଗ ଶିବିର । ଯାହାର ନାମ କରଣ ରହିଛି ‘ଶକ୍ତି ସ୍ୱରିପିଣୀ’ । ଉକ୍ତ ଶିବିରରେ ୩୫୦ ମହିଳାଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ଅଂଶଗ୍ରହଣକାରୀଙ୍କ ରିଫ୍ରେସମେଣ୍ଟ(ଖାଦ୍ୟ, ପାନୀୟ) ନିମନ୍ତେ ୬୦ ଟଙ୍କା କରି ସରକାର ଅର୍ଥ ବ୍ୟବସ୍ଥା ରଖିଛନ୍ତି । ତା’ଛଡ଼ା ଇଭେଣ୍ଟ ମ୍ୟାନେଜମେଣ୍ଟ ଯଥା-ମଞ୍ଚସଜ୍ଜା, ସାଉଣ୍ଡ, ଟେଣ୍ଟ ଆଦି ନିମନ୍ତେ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ସର୍ବମୋଟ ଉପରେ ଦେଖିଲେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ନିମନ୍ତେ ୧ ଲକ୍ଷ ୬୮ ହଜାର ଟଙ୍କାର ଅନୁଦାନ ପ୍ରତି ଜିଲ୍ଲାକୁ ସରକାର ପ୍ରଦାନ କରିଛନ୍ତି ।
ହେଲେ ଜଗତସିଂହପୁର ଜିଲ୍ଲା କ୍ଷେତ୍ରରେ ପ୍ରାରମ୍ଭରୁ ହିଁ ମହିଳାଙ୍କ ଉପସ୍ଥାନ ହାର ହ୍ରାସ ପାଇଛି । ସହରର କଲେଜଛକ ନିକଟ ବିଜୁ ପଟ୍ଟନାୟକ ବହୁମୁଖି ଇନ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ସୌଜନ୍ୟତାରେ ପ୍ରାୟତଃ ୧୫୦ରୁ ଉଦ୍ଧ୍ୱର୍ ମହିଳାମାନଙ୍କୁ ନେଇ ଯୋଗାଭ୍ୟାସର କାର୍ଯ୍ୟକ୍ରମ ସକାଳ ୬ଟା ସମୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅର୍ଥାତ ପ୍ରଥମ ଦିବସରେ ୩୫୦ ସଂଖ୍ୟାର ଟାର୍ଗେଟ ଛୁଇଁ ପାରିନି ପ୍ରଶାସନ । ଏଣେ କିନ୍ତୁ ଦେଖିଲେ ଜିଲ୍ଲାରେ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ପ୍ରତି ଗୋଷ୍ଠୀରୁ ଦୁଇ ଜଣ କରି ସଦସ୍ୟା ଯଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ତା’ହେଲେ କାର୍ଯ୍ୟକ୍ରମଟି ନିଶ୍ଚିତ ସରସ ସୁନ୍ଦର ହୋଇପାରିଥାନ୍ତା । ଏବଂ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟ ବି ସଫଳତାର ମୁହଁ ଦେଖିପାରିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ କରାଗଲାଣି ।
ତଥାପି ପ୍ରଶାସନ କାର୍ଯ୍ୟକ୍ରମ ବାବଦରେ ଅଧିକ ସୂଚନା ଦେଇ ଜଣାଇଛନ୍ତି ଯେ, ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଜି ଆୟୋଜିତ ଯୋଗାଭ୍ୟାସରେ ସ୍କୁଲ୍ ଓ କଲେଜର ଛାତ୍ରୀ, ଖେଲୋ ଇଣ୍ଡିଆର ସେଣ୍ଟର ଛାତ୍ରୀ ଏବଂ ଏସ୍ଏଚ୍ଜି ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ମହିଳାଙ୍କ ମଧ୍ୟରେ ପ୍ରତିଦିନ ଜୀବନଚାର୍ଯ୍ୟାରେ ଶାରୀରିକ ଫିଟନେସ୍, ପୋଷଣ ଓ ମାନସିକ ସୁସ୍ଥତା ଆଣିବା ଏହାର ପ୍ରମୁଖ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମକୁ ଏଡିଏମ୍ ଜ୍ୟୋତିଶଙ୍କର ରାୟ ଉଦ୍ଘାଟନ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଷ୍ଣୁପ୍ରିୟା ସେଠୀ ଉପସ୍ଥିତ ରହିଥିଲେ । ଏଡିଏମ୍ ଶ୍ରୀ ରାୟ ଅଭିଭାଷଣ ରଖି ମହିଳାମାନେ ନିୟମିତ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ । ସ୍ୱାସ୍ଥ୍ୟ ଓ ପ୍ରତିରୋଧାତ୍ମକ ଶକ୍ତି ଅଭିବୃଦ୍ଧିରେ ବ୍ୟାୟାମର ଭୂମିକା ସମ୍ବନ୍ଧରେ ଆଲୋକପାତ ସହ ତୃଣମୂଳ ସ୍ତରରେ ଏହାର ବହୁଳ ପ୍ରଚାର ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସସ୍ମିତା ନାଥଶର୍ମାଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳାଙ୍କ ସଂଖ୍ୟା ହ୍ରାସ ନେଇ ପଚାରିବାରୁ ଜିଲ୍ଲା କ୍ରୀଡ଼ା ଅଧିକାରିଣୀ କହିଥିଲେ ଯେ, ବିଭିନ୍ନ ସ୍ତରରେ ଅଧିକ ମହିଳାଙ୍କ ଯୋଗଦାନ ନିମନ୍ତେ ଅନୁରୋଧ କରାଯାଇଥିଲା ।