ଭୁବନେଶ୍ୱର, ୧୩/୦୮ : କମିଶନରେଟ୍ ପୁଲିସ ଅଞ୍ଚଳରେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି ମହିଳା ଓ ଯୁବତୀ। ପ୍ରତିଦିନ କେହି ନା କେହି ଅପରାଧର ଶିକାର ହେଉଛନ୍ତି । କିଏ ଲୁଟେରାଙ୍କ ପଞ୍ଝାରେ ପଡୁଛନ୍ତି ତ’ ପୁଣି କିଏ ବଳାତ୍କାରର ଶିକାର ହେଉଛନ୍ତି । ଗତ ୭ ମାସ ଭିତରେ କଟକ-ଭୁବନେଶ୍ୱରରେ ୧୪୮ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ପୁଲିସ୍ ମାତ୍ର ୪୫% ମାମଲାରେ ଚାର୍ଜସିଟ୍ ଦାଖଲ କରିପାରିଛି। କଟକ ୟୁପିଡି ଠାରୁ ଭୁବନେଶ୍ୱରରେ ଅଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ୭ ମାସରେ କଟକରେ ୫୫ଟି ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ୱରରେ ୯୩ଟି ଦୁଷ୍କର୍ମ ମାମଲା ହୋଇଛି । ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଟୁଇନ୍ ସିଟିରେ ୪୧ଟି ମାମଲା ରୁଜୁ କରିଛି ପୁଲିସ୍ ।
ଭୁବନେଶ୍ୱର ଓ କଟକ ମହିଳା ଥାନାରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଉକ୍ତ ମାମଲାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ପ୍ରମାଣ ଯୋଗାଡ଼ରେ ଫେଲ୍ ମାରିଛି । ଦୁଇ ମହିଳା ଥାନାରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ଅଧିକାଂଶ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ହୋଇଛି । ଫଳରେ ପ୍ରମାଣ ଯୋଗାଡ଼ କରିବା ପୁଲିସ୍ ପାଇଁ ଅଡୁଆ ହେଉଛି । ଲୁଟେରମାନେ ମଧ୍ୟ ମହିଳାଙ୍କୁ କଲବଲ କରିଛନ୍ତି । ୭ ମାସ ଭିତରେ ଟୁଇନ୍ ସିଟିରେ ୮୫୪ ଜଣ ମହିଳା- ଯୁବତୀ ଲୁଟେରାଙ୍କ ପଞ୍ଝାରେ ପଡ଼ିଛନ୍ତି । କାହାର ମୋବାଇଲ୍ ଯାଇଛି ତ’ କାହାର ସୁନା ଓ ଭ୍ୟାନିଟି । ଭୁବନେଶ୍ୱରରେ ୫୭୦ ଜଣ ଲୁଟେରାଙ୍କ ପଞ୍ଝାରେ ପଡିଥିବା ବେଳେ କଟକରେ ମାତ୍ର ୨୮୪ ଜଣ ମହିଳା-ଯୁବତୀ ଅପରାଧର ଶିକାର ହୋଇଛନ୍ତି । ୭ ମାସ ଭିତରେ ଭୁବନେଶ୍ୱରରେ ୧୧୩ଟି ସୁନା ଚେନ୍ ଚୋରି ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିଛି ସତ । ହେଲେ ଚୋରି ସମ୍ପତ୍ତି ଜବତ କରି ଫେରସ୍ତ କରିବାରେ ଫେଲ୍ ମାରିଛି ।
ରାସ୍ତାରେ ଅସଦାଚରଣ ମାମଲାରେ ମଧ୍ୟ କଟକକୁ ପଛରେ ପକାଇ ଦେଇଛି ଭୁବନେଶ୍ୱର । ୭ ମାସ ଭିତରେ ଭୁବନେଶ୍ୱରର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ୮୧ଟି ଅସଦାଚରଣ ଅଭିଯୋଗ ହୋଇଛି । କଟକରେ ବର୍ତ୍ତମାନ ସୁଦ୍ଧା ମାତ୍ର ୨ଟି । ୪ ବର୍ଷ(୨୦୨୦ରୁ ୨୦୨୪) ମଧରେ ରାଜ୍ୟରେ ୫୬୬୮ଟି ଅସଦାଚରଣ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଭୁବନେଶ୍ୱରରେ ୧୩୪୧ ଜଣ ଅସଦାଚରଣ ଶିକାର ହୋଇ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ । କମିଶନରେଟ୍ ପୁଲିସ୍ କଟକ ୟୁପିଡିରେ ଗତ ୪ ବର୍ଷରେ ମାତ୍ର ୯ଟି ମାମଲା ରୁଜୁ ହୋଇଛି । ଅସଦାଚରଣ ମାମଲାରେ ପୁଲିସ୍ ସେମିତି ଆଖିଦୃଶିଆ ପଦକ୍ଷେପ ନେଇନାହିଁ । ସର୍ବସାଧାରଣ ସ୍ଥାନରେ ମହିଳା ଓ ଯୁବତୀମାନଙ୍କୁ ଯଦି କେହି ଅସଦାଚରଣ କରେ କିମ୍ବା କମେଣ୍ଟମାରେ, ସେମାନଙ୍କୁ ସାବାଡ୍ କରିବାକୁ ପୁଲିସ୍ ତିଆରି କରିଥିଲ ‘ହର’ଟିମ୍ । ଖୁବ୍ କମ୍ ଦିନ ମଧ୍ୟରେ ‘ହର୍’ ଟିମ୍ ସହରର ଗଳିକନ୍ଦିରେ ପରିଚିତ ଥିଲା । ଏବେ ଉକ୍ତ ଟିମ୍ କୋମାକୁ ଚାଲି ଯାଇଛି । ଅଧିକାରୀ ବଦଳିବାରେ ଟିମ୍ ବି ତାର ଅସ୍ତିତ୍ୱ ହଜାଇ ଦେଇଛି । ଫଳରେ ଅସାମାଜିକମାନେ ସର୍ବସାଧାରଣ ସ୍ଥାନରେ ଆତଙ୍କ ଖେଳାଉଛନ୍ତି ।