କଲ୍ୟାଣସିଂହପୁର, ୧୯/୮: ବିଶୁଦ୍ଧ ପାଣି ପାଇଁ ରାସ୍ତାରୋକ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ସାହିରେ ପାନୀୟ ଜଳ ସମସ୍ୟା ଥିବାରୁ ଶତାଧିକ ମହିଳା ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ଗରା, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି। ପିଇବା ପାଣିର ସୁବିଧା ନ ହେବା ଯାଏଁ ରାସ୍ତାରୁ ଉଠିବୁ ନାହିଁ ବୋଲି ଦୁଇ ସାହିର ଶତାଧିକ ମହିଳା କହିଛନ୍ତି । ଯାହାଫଳରେ କଲ୍ୟାଣସିଂହପୁର ଠାରୁ କାଶୀପୁର, ରାୟଗଡ଼ାକୁ ସଂଯୋଗ କରୁଥିବା ୪୫ ନମ୍ବର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ସୂଚନାନୁଯାୟୀ, କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ସାହିରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ରହିଛି। ଗତ ୪ ଦିନ ଧରି ଶିକରପାଇ ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବାଧ୍ୟ ହୋଇ ନାଳ କାଦୁଅ ପାଣି ପିଉଛନ୍ତି। ଏନେଇ ବାରମ୍ଵାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ। କୌଣସି ପଦକ୍ଷେପ ନିଆନଯିବାରୁ ଶେଷରେ ଉତ୍ତେଜିତ ହୋଇ ଗ୍ରାମବାସୀ ରାସ୍ତାରୋକ୍ କରିଛନ୍ତି। ଯାହା ଫଳରେ କଲ୍ୟାଣସିଂହପୁର ଠାରୁ କାଶୀପୁର, ରାୟଗଡ଼ାକୁ ସଂଯୋଗ କରୁଥିବା ୪୫ ନମ୍ବର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପିଇବା ପାଣିର ସୁବିଧା ନ ହେବା ଯାଏଁ ରାସ୍ତାରୁ ଉଠିବୁ ନାହିଁ ବୋଲି ଦୁଇ ସାହିର ଶତାଧିକ ମହିଳା ପ୍ରକାଶ କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡ଼ିଛି।