କଟକ, ୧୫/୧୨: କନ୍ଦରପୁର ଥାନା ପରମହଂସ  ନିକଟ କାଠଯୋଡ଼ି ପଠାରୁ ମହିଳାଙ୍କ ବୀଭତ୍ସ ମୃତଦେହ  ମିଳିବା ଘଟଣାର ପର୍ଦ୍ଦାଫାସ କଲା କମିଶନରେଟ୍ ପୋଲିସ। ମିଳିଲା ମହିଳାଙ୍କ ପରିଚୟ। ମୃତ ମହିଳା ଜଣକ କେନ୍ଦ୍ରାପଡା ଅଞ୍ଚଳ ବୋଲି ଜଣାପଡିଛି। ଜଘନ୍ୟ ହତ୍ୟାକାଣ୍ଡ କରିଥିଲା ମହିଳାଙ୍କ ସ୍ବାମୀ। ଅଭିଯୁକ୍ତ ପତ୍ନୀହନ୍ତାକୁ ରାଜ୍ୟ ବାହାରୁ ଧରିଲା ପୋଲିସର ସ୍ବତନ୍ତ୍ର ଟିମ୍। ତେବେ କାରଣ ସ୍ପଷ୍ଟ କରିନାହିଁ ପୋଲିସ। ସନ୍ଧ୍ୟାରେ ଟ୍ବିନ୍‌ସିଟି ପୋଲିସ କମିଶନ ସୁରେଶ ଦେବଦତ୍ତ ସିଂ ଗଣମାଧ୍ୟମକୁ ସୂଚନ‌ା ଦେବେ । 

ସୂଚନା ଅନୁଯାଇ, ଶୁକ୍ରବାର ସକାଳ ପ୍ରାୟ ୭ଟା ହେବ । ପରମହଂସ ଗ୍ରାମର କିଛି  ଲୋକ ନଦୀ ବନ୍ଧରେ ଯାଉଥିବା ବେଳେ ପଠାରେ ଜଣେ ମହିଳା  ପଡ଼ିଥିବା ଦେଖିବାକୁ ପାଇଥିଲେ । ପାଖକୁ ଯାଇ ଦେଖିଲା ବେଳକୁ  ମହିଳାଙ୍କ ଶରୀରରେ କ୍ଷତଚିହ୍ନ ଅଛି । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୦ ବର୍ଷ  ହେବ । ମୃତଦେହ ପାଖରୁ ଏକ ଚାପଡ଼ ମିଳିଥିଲା । କିଛି ଦୂରରେ  କ୍ତଭିଜା ହଳେ ପ୍ୟାଣ୍ଟ୍‌-ସାର୍ଟ ଓ ଗୋଟିଏ ଗାମୁଛା ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା । ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆସିବା  ପରେ ସୁରାକ୍‌ ଯୋଗାଡ଼ କରାଯାଇଥିଲା । ମହିଳାଙ୍କ ବେକକୁ ପୂରା କାଟି ଦିଆଯାଇଛି । ମୁହଁକୁ ପ୍ରାୟ ୪ରୁ  ୫ ଥର ହଣାଯାଇଛି । ମହିଳାଙ୍କ ଶରୀରରୁ ବାହାରିଥିବା ରକ୍ତରେ  ପାଖ ଅଞ୍ଚଳ ପୂରା ଭିଜିଯାଇଥାଏ । ତାଙ୍କ ଡାହାଣ ହାତରେ ଏକ  ଗାମୁଛା ଗୁଡ଼ାଯାଇଥାଏ । ପରିଚୟ ସ୍ପଷ୍ଟ ହେଲା ଭଳି କୌଣସି  ଜିନିଷ ମୃତଦେହ ପାଖରୁ ମିଳିନଥିଲା । 

ତେବେ ମହିଳାଙ୍କ ଡାହାଣ  ହାତରେ ଓଡ଼ିଆରେ ଓମ୍‌ ବାବା ବଳିଆ ଲେଖା ଥିବା ବେଳେ ଡାହାଣ  ହାତରେ ଇଂରାଜୀରେ ‘ପିତା-କେ.ପି.ଏସ୍‌.ଏମ୍‌’ ଲେଖା ଅଛି । ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ  କରିଥିଲା । ସନ୍ଧାନୀ କୁକୁର ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂର ଯାଇ  ବନ୍ଧ ଉପରେ ଚଢ଼ି ପୁଣି ଫେରିଆସିଛି । ଅଞ୍ଚଳଟି ଏକ ଖୋଲା  ଖରିବୁଦାରେ ଭରପୂର ଇଲାକା ହୋଇଥିବାରୁ କୁକୁର ମଧ୍ୟ କିଛି  ସୁରାକ ଦେଇପାରିନି । ମହିଳାଙ୍କ ପରିଚୟ ଜାଣିବା ପାଇଁ ପୁଲିସ ବିଭିନ୍ନ ଥାନାକୁ ଫଟୋ ପଠାଇବା ସହିତ  ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି ଡିସିପି  ଜଗମୋହନ ମୀନା । 

ଶନିବାର ମହିଳାଙ୍କୁ ଚିହ୍ନଟ କରିବା ଓ  ଅଭିଯୁକ୍ତକୁ ଧରିବା ପାଇଁ ୫ଟି ପୁଲିସ ଟିମ୍‌ ଛାନ୍‌ଭିନ୍‌ ଚଳାଇଥିଲା।  କନ୍ଦରପୁର ଥାନା, ବୟାଳିଶମୌଜା ଥାନା,  ସିଆର୍‌ଆର୍‌ଆଇ ଥାନା, ଜୋନ୍‌ ଏସିପି ଓ ସ୍ପେସାଲ୍‌  ସ୍କ୍ୱାଡ୍‌କୁ ନେଇ ୫ଟି ଟିମ୍‌ ଏ ମାମଲାର ଖୋଳତାଡ଼ କରିଥିଲେ । ସ୍ବତନ୍ତ୍ର ଟିମ୍‌ ଭିନ୍ନ ଭିନ୍ନ ସ୍ଥାନକୁ  ଯାଇ ମହିଳାଙ୍କ ପରିଚୟ ଖୋଜିବାକୁ ଉଦ୍ୟମ  କରିଥିଲେ । ମହିଳାଙ୍କ ଫଟୋ ନେଇ କଟକ ଗ୍ରାମାଞ୍ଚଳ,  ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ବିଭିନ୍ନ ଥାନାକୁ  ଟିମ୍‌ ଯାଇଥିଲେ । ହେଲେ ଏଭଳି ମହିଳାଙ୍କ ସଂପର୍କରେ  କୌଣସି ଥାନାରେ କେହି ମିସିଂ ରିପୋର୍ଟ କିମ୍ବା  ଅନ୍ୟ କୌଣସି ଏତଲା ଦେଇନଥିବା ଜଣାପଡିଥିଲା

ସେହିପରି  ପୁଲିସର ଗୁଇନ୍ଦା ବିଭାଗକୁ ମଧ୍ୟ ମହିଳାଙ୍କ ଫଟୋ  ଓ ତାଙ୍କ ହାତରେ ଥିବା ଲେଖାର ଫଟୋକୁ ପଠାଯାଇ  ତଥ୍ୟ ସଂଗ୍ରହ କରାଯାଉଛି । ହେଲେ ପୁଲିସର  କୌଣସି ‘ଖବରି’ ପାଖରେ ଏଭଳି ତଥ୍ୟ ମିଳିନଥିଲା ।  ଏହାଛଡ଼ା ମୃତଦେହ ପାଖରୁ  ମିଳିଥିବା ଏକ ପ୍ୟାଣ୍ଟ୍‌ର ପକେଟ୍‌ରେ ଥିବା ‘ଟେଲର୍ସ’  ଦୋକାନ ରସିଦ୍‌କୁ ନେଇ ମଧ୍ୟ ପୁଲିସ ଖୋଳତାଡ଼ କରିଥିଲା । ଆଖପାଖ ଅଞ୍ଚଳ ତଥା ନିକଟବର୍ତ୍ତୀ ଜିଲ୍ଲାର  ଶତାଧିକ ଟେଲର୍‌ ଦୋକାନକୁ ଏଭଳି ରସିଦ୍‌ ନେଇ  ଯାଇ ପଚରାଉଚରା କରଯାଇଥିଲା ।  ମାତ୍ର ନିଉ ଷ୍ଟାର ଟେଲର୍ସ  ନେଇ କୌଣସି ତଥ୍ୟ  ମିଳିପାରିନି ।

ଶେଷ ତଦନ୍ତକାରୀ ଟିମ୍ ବଡ଼ ସୁରାକ ମିଳିଥିଲା। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ରାଜ୍ୟ ବାହାରୁ ଅଭିଯୁକ୍ତ ପତ୍ନୀହନ୍ତାକୁ ଗିରଫ କରିବା ପୋଲିସ ସଫଳ ହୋଇଥିବା ଜଣାପଡିଛି। ପରେ ତାଙ୍କୁ ରିମାଣ୍ଡରେ ଅଣାଯାଇ ହତ୍ୟା ଘଟଣା ଖେଳତାଡ଼ କରିବା ସହ ସିନି ରିକ୍ରିଏସନ୍ କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।