ନୂଆଦିଲ୍ଲୀ,୦୬/୦୩: ମହିଳାଙ୍କୁ ପୂଜା  ନୁହେଁ, ସମ୍ମାନ କରିବା ଅଧିକ ଜରୁରି । ଯେଉଁଠାରେ  ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଈଶ୍ୱର  ବିରାଜମାନ କରନ୍ତି । ଆମକୁ ମାନସିକତା  ବଦଳାଇବାର ଅଛି । ଦେଶରେ ଲିଙ୍ଗଗତ ସମାନତା  ଏବେ ବି ଅଧୁରା ରହିଛି । ଦିଲ୍ଲୀ ହାଇକୋର୍ଟ ମୁଖ୍ୟ  ବିଚାରପତି ଜଷ୍ଟିସ୍‌ ଦେବେନ୍ଦ୍ର କୁମାର ଉପାଧ୍ୟାୟ  ଏହି ବୟାନ ଦେଇଛନ୍ତି । 

ଜଷ୍ଟିସ୍‌ ଉପାଧ୍ୟାୟ ଦିଲ୍ଲୀ ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ ଅଥରିଟି (ଡିଏସ୍‌ଏଲ୍‌ଏସ୍‌ଏ) ର ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି । ସେ  କହିଛନ୍ତି, ଆଜି ବି ସମାଜରେ ମହିଳାଙ୍କୁ ଠିକ୍‌  ଭାବେ ସମ୍ମାନ ଦିଆଯାଉ ନାହିଁ । ସମାନତା ବି  ମିଳୁନାହିଁ । ଆମକୁ ଏ କ୍ଷେତ୍ରରେ ପରିବର୍ତ୍ତନ  ଆଣିବାକୁ ପଡ଼ିବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ କେ  ଭି ବିଶ୍ୱନାଥନ ଉପସ୍ଥିତ ଥିଲେ । ଏହାଛଡ଼ା  ଦିଲ୍ଲୀ ହାଇକୋର୍ଟର ଅନେକ ବିଚାରପତି  ବି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି  ଅବସରରେ ନ୍ୟାୟିକ ସେବାରେ ଉଲ୍ଲେଖନୀୟ ଯୋଗଦାନ ଲାଗି କିଛି ମହିଳା ଓକିଲଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ବିଶ୍ୱନାଥନ  କହିଲେ, ଗ୍ରାମାଞ୍ଚଳରେ ଆଇନ ସହାୟତାର ଉପଲବ୍ଧତା ସହରାଞ୍ଚଳ ତୁଳନାରେ ବେଶ୍‌ କମ୍‌  ରହିଛି । ଏଥିସହ ଆଇନଗତ ସଚେତନତାର  ଅଭାବ ମହିଳାଙ୍କୁ ନ୍ୟାୟ ମିଳିବାରେ ସବୁଠୁ ବଡ଼  ପ୍ରତିବନ୍ଧକ ସାଜିଛି । ଏହାକୁ ଦୂର କରିବା ଆବଶ୍ୟକ ।