ପାପଡାହାଣ୍ଡି, ୩୦।୭ (ଆପ୍ର) : ରାସ୍ତା ସାରା କାଦୁଅ ପଚ ପଚ । ଚାଲିକି ଯିବା ମୁସ୍କିଲ । ପ୍ରଶାସନ ଶୁଣିଲା ନାହିଁ । ଶେଷରେ ରାସ୍ତାରେ ଧାନ ତୋଳି ରୋଇ କଲେ ପ୍ରତିବାଦ। ନାକଟିଗୁଡା ପଞ୍ଚାୟତ ପୁଞ୍ଜିଗୁଡା ରାସ୍ତାରେ ମହିଳାମାନେ ମଙ୍ଗଳବାର ଏଭଳି ପ୍ରତିବାଦ କରିଛନ୍ତି।
ପୁଞ୍ଜିଗୁଡା ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି । ବିଶେଷକରି ବର୍ଷାଦିନେ ଯାତାୟାତରେ ସମସ୍ୟା ହେଉଛି। ମାଟିରାସ୍ତାରେ ବର୍ଷା ପାଣି ଜମିବା ସହ କାଦୁଅ ହୋଇଯାଉଛି I ଘର ଅଗଣାକୁ ରାସ୍ତା ଲାଗିଥିବାରୁ ଘରୁ ବାହାରିବା କଷ୍ଟକର ହେଉଛି। କାଦୁଅ ରାସ୍ତା ଯୋଗୁ ମଶାବଂଶ ବୃଦ୍ଧି ପାଇବା ସହ ଦୁର୍ଗନ୍ଧ ହେଉଛି। ଏଭଳି ପରିବେଶରେ ରହୁଥିବାରୁ ଗ୍ରାମ ବାସି ଅନେକ ସମୟରେ ଜ୍ଵରରେ ଆକ୍ରାନ୍ତ ହେଉଥିବା କହିଛନ୍ତି । ରାସ୍ତା ନଥିବାରୁ ବର୍ଷାଦିନେ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରୁନି। ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ପିଚୁରାସ୍ତା ପର୍ଯ୍ୟନ୍ତ ଚାଲିଚାଲି ନହେଲେ ଖଟିଆରେ ବୋହି ନେବାକୁ ପଡ଼ୁଛି ।ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ କେହି ନଶୁଣିବାରୁ ବାଧ୍ୟହୋଇ କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛୁ ବୋଲି ମହିଳାମାନେ କହିଛନ୍ତି | କମଳା ଭତରା, ବେଳ ଭତରା, ରାଧି ଭତରା, ସୁଧାରମା ଭତରା, ମାଳତୀ ଭତରା, ଚନ୍ଦ୍ରି ଭତରା, ପାର ଭତରା, ସୁନାମଣି ଭତରା, ବୈଦି ଭତରା,ମନକି ଭତରା, ସୁଶୀଳା ଭତରା ଭଲ ରାସ୍ତା ଟିଏ ଲାଗି ନିବେଦନ କରିଛନ୍ତି | ଏ ନେଇ ବିଡିଓ କପିଲଦେବ ସାହୁଙ୍କୁ ପଚାରିବାରୁ ରାସ୍ତା ସମ୍ପର୍କରେ ସେ ଅବଗତ ନ ଥିବା କହିଛନ୍ତି | ଖୁବ ଶୀଘ୍ର ଏମଜିଏନଆରଇଜିଏସରେ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସେପଟେ ନାକଟିଗୁଡା ଠାରୁ ତୁମ୍ବର୍ଲା ରାସ୍ତା ପୋଲ ଭାଙ୍ଗି ଯିବା ଯୋଗୁଁ ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି | ପୁଞ୍ଜି ଗୁଡା, ବିଶମପଦର, କାଳିଆଗୁଡା ଓ ମହିମା ନଗର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି | ରାସ୍ତା ନ ହେଲେ ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି |