ଧର୍ମଶାଳା, ୬।୨: ଜାରକାରେ ଚୋରା ମଦ ବିକ୍ରି ବନ୍ଦ କରିବାକୁ ମହିଳାଙ୍କ ଦାବି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଚୋରା ମଦ ବିକ୍ରି ବନ୍ଦ ଚେତାବନୀ ପରେ ଜାରକା ବଜାରରେ ପ୍ରଥମ କରି ଏହାର ପ୍ରଭାବ ଦେଖିବାକୁ ମିଳିଛି । ସ୍ଥାନୀୟ ଜାରକା ଶବର ସାହିର ମହିଳାମାନେ ବିଧାୟକ ଶ୍ରୀ ସାହୁଙ୍କ ସହିତ ସ୍ୱର ମିଳେଇଛନ୍ତି । ମହିଳାମାନେ ବ୍ଲକ କାର୍ଯ୍ୟଳୟ ସାମ୍ନା ନିଜ ସାହିରୁ ଏକ ଶୋଭାଯାତ୍ରାରେ ବାହାରି ମଦ ବିରୋଧରେ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ଜାରକା ଜାମୁବଣିଆସ୍ଥିତ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ପହଞ୍ଚିଥିଲେ । ଗାଁରେ ଚୋରା ମଦ ବିକ୍ରି ବନ୍ଦ କରାଯାଉ ବୋଲି ମହିଳାମାନେ ସେଠାରେ ଘଣ୍ଟାଏ ଧରି ନାରା ବାଜି କରିଥିଲେ ।
ଗାଁରେ ଦିନରାତି ଚୋରା ମଦ ବିକ୍ରି ଯୋଗୁଁ ମହିଳାମାନଙ୍କ ପୁଅ ଓ ସ୍ୱାମୀମାନେ ନିଶାଗ୍ରସ୍ତ ହୋଇ କିଛି କାମଦାମ କରୁନାହାନ୍ତି । ଏପରିକି ମଦ ପିଇବାକୁ ଘରେ ଟଙ୍କା ପାଇଁ ମାରଧର କରୁଛନ୍ତି । ଫଳରେ ପରିବାରରେ ଅଶାନ୍ତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି । ଅବକାରୀ ଥାନାଠାରୁ ୨୦୦ ମିଟର ଦୂରରେ ଚୋରା ମଦ ବିକ୍ରି ହେଉଥିଲେ ହେଁ କାହିଁକି ଚଢ଼ାଉ କରାଯାଇନାହିଁ ବୋଲି ମହିଳାମାନେ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ । ଅବକାରୀ ଥାନାର କର୍ମଚାରୀ ପହଞ୍ଚି ମହିଳାଙ୍କ ନିକଟରୁ ଦାବିପତ୍ର ଗ୍ରହଣ କରିଥିଲେ ।
ଆହୁରି ପଢ଼ନ୍ତୁ... ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୁଲିସ, ୪ ଅଟକ