ରାଜଗିର, ୧୫/୧୧ : ହ୍ୟାଟ୍ରିକ୍‌ ବିଜୟ ସହ ଆୟୋଜକ ଭାରତ ମହିଳା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ହକିରେ ସେମି ଫାଇନାଲକୁ ଉନ୍ନୀତ ହେବା ନେଇ ସ୍ଥିତି ମଜବୁତ କରିଛି । ପୂର୍ବରୁ ମାଲେସିଆ (୪-୦) ଓ ଦକ୍ଷିଣ କୋରିଆ (୩-୨) ବିପକ୍ଷରେ ଜିତିଥିଲା । ଆଜି ଥାଇଲାଣ୍ଡ ବିପକ୍ଷରେ ଗୋଲ୍‌ ବର୍ଷା କରି ଘରୋଇ ଦଳ ୧୩-୦ ଗୋଲରେ ବିଜୟୀ ହୋଇଥିଲା । ଅନ୍ୟ ୨ଟି ମ୍ୟାଚ୍‌ରେ ମାଲେସିଆ ୨-୧ରେ ଦକ୍ଷିଣ କୋରିଆକୁ ଏବଂ ଚୀନ ୨-୧ରେ ଜାପାନକୁ ପରାସ୍ତ କରିଥିଲା । 

ଭାରତ ଓ ଥାଇଲାଣ୍ଡ ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ରହିଥିଲା । ଦୀପିକା ତୃତୀୟ ମିନିଟରୁ ଦଳର ଗୋଲ ଖାତା ଖୋଲିଥିଲେ । ପରେ ସେ ୧୯, ୪୩, ୪୫, ୪୫ ମିନିଟରେ ଗୋଲ୍‌ ସ୍କୋର କରିଥିଲେ । ଦୀପିକା ମୋଟ୍‌ ୫ଟି ଗୋଲ୍‌ ଦେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଲିଭାଇଥିଲେ । ସେହିପରି ପ୍ରୀତି ୨ଟି ( ୯, ୪୦), ଲାଲରେମସିଆମି ୨ଟି (୧୨, ୫୬), ବିୟୁଟି ଡୁଙ୍ଗ ଡୁଙ୍ଗ୍‌ ୨ଟି (୩୦, ୫୩) ଏବଂ ଇଶିକା (୫୫) ଓ ଶର୍ମିଳା (୫୮) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ । ଶେଷ ପର୍ଯ୍ୟନ୍ତ ଥାଇଲାଣ୍ଡ ଗୋଟିଏ ବି ଗୋଲ ପରିଶୋଧ କରିପାରି ନଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ଥାଇଲାଣ୍ଡ ଗତ ୩ଟି ମ୍ୟାଚ୍‌ରୁ ୨୯ଟି ଗୋଲ୍‌ ଖାଇ ସାରିଛି । ଜାପାନ ବିପକ୍ଷରେ ଦଳ ମାତ୍ର ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲା । ଭାରତ ପରବର୍ତ୍ତୀ ମ୍ୟାଚ୍‌ ଚୀନ ସହିତ ଆସନ୍ତା ୧୬ ତାରିଖରେ ଖେଳିବ ।