ଭୁବନେଶ୍ବର, ୨୨/୪ : ଭୁବନେଶ୍ବରସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ ମହିଳା ବ୍ୟବସାୟ ମେଳା ୨.0 । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍ ୱିମେନ୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ପକ୍ଷରୁ ଏପ୍ରିଲ ୩୦ରୁ ଆରମ୍ଭ ହୋଇ ଆସନ୍ତା ମେ ୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଚାଲିବ । ଏହି ମେଳାରେ ୨୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସବୁ ଷ୍ଟଲକୁ ବ୍ରାଣ୍ଡିଂ କରାଯିବ । ଅର୍ଥାତ୍ ଷ୍ଟଲ ବାବଦରେ ସବିଶେଷ ତଥ୍ୟ ରହିବ ଏବଂ ମେଳା ବୁଲି ଆସିଥିବା ମହିଳାମାନେ ଉକ୍ତ ଷ୍ଟଲକୁ ଆସି ସେମାନଙ୍କ ସହ କଥା ହୋଇ ବ୍ୟବସାୟର ଗୁରୁମନ୍ତ୍ର ନେଇପାରିବେ ।
ଏହି ମେଳାରେ କିଛି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛା ବଛା ଉଦ୍ୟୋଗ, ଜନଜାତି ଉଦ୍ୟୋଗୀ, ଏସଏଚଜି ଗ୍ରୁପ୍ ଏବଂ ଶିଶୁ ଉଦ୍ୟୋଗୀଙ୍କୁ ସମ୍ପୂର୍ଣ୍ଣ ଭାବେ ମାଗଣା ଷ୍ଟଲ ଦିଆଯିବ । ମହିଳା ବିଜନେସ୍ ମେଳା ୨.୦ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ଅନ୍ତର୍ଭୁକ୍ତ ଉଦ୍ୟୋଗିତାକୁ ଆଗକୁ ନେବ ଏବଂ ସ୍ଥାୟୀ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ କରିବ । ଆଏନ୍ଡବ୍ଲୁଇସିର ଜାତୀୟ ମହିଳା ବ୍ୟବସାୟ ମେଳା ୨.୦ରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ସେଲିବ୍ରିଟି, ଶିଳ୍ପ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା ଅନ୍ତର୍ଜାତୀୟ ଚେହେରା ଏବଂ ପ୍ରସିଦ୍ଧ ବକ୍ତା।
ଏ ନେଇ ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏନଡବ୍ଲୁଇସି ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସହଆବାହକ ସ୍ବାତୀ କେଜ୍ରିଓ୍ବାଲ, ସୁମାଦେବୀ ଦାସ, ଆଇସିସି ଚେୟାରମ୍ୟାନ ରାଜୀବ ସାହୁ, ଉପାଧ୍ୟକ୍ଷ ନୀଳାଞ୍ଜନା ମୁଖାର୍ଜୀ, ଏମଏସଏମଇ ବିଭାଗ ସ୍ବତନ୍ତ୍ର ସଚିବ ଶୁଭେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।