ମାଞ୍ଚେଷ୍ଟର,୨୫/୦୬: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଜି ଗ୍ରୁପ୍-୧ରେ ୨ଟି ମ୍ୟାଚ୍ ରହିଛି । ରାତି ୭ଟାରେ ଭାରତ ଓ ବାଂଲାଦେଶ ସାମ୍ନାସାମ୍ନି ହେବେ । ସେହିପରି ରାତି ୧୧ଟାରୁ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ ମ୍ୟାଚ୍ ଆରମ୍ଭ ହେବ । ଗ୍ରୁପ୍ ୧ରେ ଭାରତ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସମାନ ୪ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା (-୦.୫୪୬) ଓ ବାଂଲାଦେଶ (-୦.୬୪୧) ତୁଳନାରେ ଭାରତର ରନ୍ରେଟ୍ +୨.୫୧୧) ଉନ୍ନତ ରହିଛି । ଆଜି ବିଜେତା ଦଳ ସେମି ଦୌଡ଼ରେ ରହିବ ଏବଂ ପରାଜିତ ଦଳ ବାଦ୍ ପଡ଼ିବା ଏକପ୍ରକାର ନିଶ୍ଚିତ । ତେଣୁ ଉଭୟ ମ୍ୟାଚ୍ କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
ବାଂଲାଦେଶ ବିପକ୍ଷରେ ଭାରତର ପଲା ଭାରି ରହିବ । ଟି- ଟ୍ୱେଣ୍ଟିରେ ଉଭୟ ଦଳ ୨୩ଥର -ସାମ୍ନାସାମ୍ନି ହୋଇଛନ୍ତି ଏବଂ ଭାରତ ୨୦ଟି ମ୍ୟାଚ୍ ଜିତିଛି । ଭାରତ ପୂର୍ବ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିବାବେଳେ ବାଂଲାଦେଶ ଦଳ ପାକିସ୍ତାନକୁ ହରାଇ ସେମି ଆଶା ଉଜ୍ଜୀବିତ ରଖିଛି । ଉଭୟ ଦଳରେ ଏକାଧିକ ତାରକା ଖେଳାଳି ରହିଛନ୍ତି ।
ଅଧିକ ପଢ଼ନ୍ତୁ :- ICC T20 Ranking: ଟି-ଟ୍ୱେଣ୍ଟି ରାଙ୍କିଂରେ ଭାରତର ଜଲୱା; ଟପ୍ ୭ ବ୍ୟାଟରରେ ୪ ଭାରତୀୟ, ଅଭିଷେକ ନଂ ୧
ଆଜି ଭାରତୀୟ ବ୍ୟାଟର ସ୍ମୃତି ମନ୍ଧନା, ଶେଫାଳି ବର୍ମା ଓ ରିଚା ଘୋଷଙ୍କ ଉପରେ ସମସ୍ତ ନଜର ରହିବ । ଅଲରାଉଣ୍ଡର ରାଧା ଯାଦବ ଏକାଦଶରେ ସ୍ଥାନ ପାଇବା ସମ୍ଭବନା ରହିଛି । ବାଂଲାଦେଶ ଅପରିବର୍ତ୍ତିତ ଦଳ ନେଇ ଖେଳିବା ଆଶା କରାଯାଉଛି । ଓପନର ଜୁଆଇରିଆ ଫିରଦ୍ଦୌସ ଭାରତୀୟ ବୋଲରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ ।
ସମ୍ଭାବ୍ୟ ଏକାଦଶ
ଭାରତ: ଶେଫାଳି ବର୍ମା, ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର (ଅଧିନାୟିକା), ୟସ୍ତିକା ଭାଟିଆ/ ଭାରତୀ ଫୁଲମାଳି, ରିଚା ଘୋଷ, ଦୀପ୍ତି ଶର୍ମା, ରାଧା ଯାଦବ, କ୍ରାନ୍ତି ଗୌଡ଼/ଅରୁନ୍ଧତୀ ରେଡ୍ଡୀ, ନନ୍ଦନୀ ଶର୍ମା, ଶ୍ରୀ ଚରଣୀ ।
ବାଂଲାଦେଶ: ଦିଲାରା ଅକତର, ଜୁଆଇରିଆ ଫିରଦ୍ଦୌସ, ଶର୍ମିନ ଅଖତର, ନିଗାର ସୁଲତାନା (ଅଧିନାୟିକା), ଶୋଭାନା ମୋସ୍ତାରି, ରିତୁ ମୋନି, ଏସ୍. ଅକତର, ରାବେୟା ଖାନ, ନାହିଦା ଅକତର, ମାରୁଫା ଅକତର, ସଞ୍ଜିଦା ଅକତର ମେଘଲା ।