କଲମ୍ବୋ,୧୧/୦୫: ଆୟୋଜକ  ଶ୍ରୀଲଙ୍କା, ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା  ଦଳ ମଧ୍ୟରେ ଖେଳାଯାଉଥିବା ତ୍ରିରାଷ୍ଟ୍ରୀୟ  ଦିନିକିଆ ସିରିଜରେ ରବିବାର ଫାଇନାଲ୍‌ ଖେଳାଯିବ । ଟାଇଟଲ ଲଢେଇରେ ଭାରତ ଓ ଶ୍ରୀଲଙ୍କା ସାମ୍ନା ସାମ୍ନି ହେବେ। ରେକର୍ଡ ସବୁ ଭାରତ ପକ୍ଷରେ ରହିଛି । ମାତ୍ର ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଭାରତକୁ  ହରାଇବାର କ୍ଷମତା ମଧ୍ୟ ଶ୍ରୀଲଙ୍କା ନିକଟରେ ରହିଛି । ଉଭୟ ଦଳ ମଧ୍ୟରେ ମୋଟ୍‌ ୩୩ଟି ଦିନିକିଆ ଖେଳାଯାଇଛି । ଏଥିରୁ ଭାରତ ୩୦ଟି ମ୍ୟାଚ ଜିତିଛି ।  

ଲିଗ୍‌ ରାଉଣ୍ଡର ଏକ ମ୍ୟାଚ୍‌ରେ ଶ୍ରୀଲଙ୍କା ୩ ୱିକେଟ୍‌ରେ ଭାରତକୁ ହରାଇଥିଲା । ନୀଳକ୍ଷିକା ସିଲଭା ୩୩ଟି ବଲ୍‌ରୁ ୫୬ ଓ  ହର୍ଷିତା ସମରବିକ୍ରମା ୫୩ ରନ୍‌ର ଇନିଂସ ଖେଳିଥିଲେ । ନୀଳକ୍ଷିକା ପ୍ଲେୟାର ଅଫ ଦ  ମ୍ୟାଚ୍‌ ବିବେଚିତ ହୋଇଥିଲେ । ଅଧିନାୟିକା ଚାମରୀ ଆଟ୍ଟାପଟୁ ୩ଟି ୱିକେଟ୍‌ ନେବା ସହ ୨୩ ରନ ସଂଗ୍ରହ କରିଥିଲେ । ଗତ ଏସିଆ  କପ୍‌ ଟି-ଟ୍ୱେଣ୍ଟି ଫାଇନାଲ୍‌ରେ ମଧ୍ୟ ଶ୍ରୀଲଙ୍କା  ୮ ୱିକେଟ୍‌ରେ ଭାରତକୁ ହରାଇଥିଲା । ତେଣୁ  ଶ୍ରୀଲଙ୍କାକୁ ହାଲକା ଭାବେ ଗ୍ରହଣ କରିବା  ଭାରତ ପାଇଁ ଭାରି ପଡ଼ିବ ।  

ଭାରତୀୟ ଦଳ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛି । ଜେମିମା ରୋଡ୍ରିଗ୍ସ, ପ୍ରତିକା ରାୱଲ, ରିଚା ଘୋଷ, ସ୍ନେହ ରାଣା, ଦୀପ୍ତି ଶର୍ମା ପ୍ରମୁଖ ଦମ୍‌ଦାର ପ୍ରଦର୍ଶନ ଜାରି  ରଖିଛନ୍ତି । ଶ୍ରୀଲଙ୍କାକୁ ହରାଇବାକୁ ହେଲେ ନୀଳକ୍ଷୀକା, ହର୍ଷିତା ଓ ଚାମରିଙ୍କୁ ସହଳ ଆଉଟ୍‌ କରିବାକୁ ପଡ଼ିବ । ମଧ୍ୟ କ୍ରମରେ ଏମାନେ ଦ୍ରୁତ ରନ ସଂଗ୍ରହ କରୁଛନ୍ତି ।  

ଭାରତର ବୋଲିଂରେ ବିଭିନ୍ନତା  ରହିଛି । ବିଶେଷ କରି କଲମ୍ବୋର ସ୍ପିନରଙ୍କୁ  ସୁହାଉଥିବା ପିଚ୍‌ରେ ସ୍ନେହ ଓ ଦୀପ୍ତି ଘାତକ  ସାବ୍ୟସ୍ତ ହେଉଛନ୍ତି । ତଥାପି ଟସ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରିବ । ଟସ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।