ପୁରୀ ୧୬।୫: ନିର୍ମାଣାଧୀନ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ । ପୁରୀ ଚକ୍ରତୀର୍ଥ ରୋଡ୍ରେ ଘଟିଛି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ମୃତ ଶ୍ରମିକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି ।
ପୁରୀ ଚକ୍ରତୀର୍ଥ ରୋଡ୍ ନିକଟରେ ଥିବା ଦୂର୍ଗା ଲଜ୍ରେ ଶ୍ରମିକ ମାନେ କାମ କରୁଥିଲେ । ସେହି ସମୟରେ କାନ୍ଥ ଶ୍ରମିକଙ୍କ ଉପରେ ଭୁଶୁଡ଼ି ଯାଇଥିଲା । ଜଗତସିଂହପୁରର ପପୁ ନାମକ ଜଣେ ଶ୍ରମିକ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଭୁଶୁଡ଼ି ପଡ଼ିଥିବା କାନ୍ଥ ତଳୁ ଶ୍ରମିକଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତଦେହ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । କିଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଆହୁରି ପଢନ୍ତୁ : ବାଘଛାଲ ଜବତ, ୩ ଗିରଫ