ଭୁବନେଶ୍ୱର, ୧୮/୦୮: ଆନ୍ଦୋଳନର  ଡାକରା ଦେଲା ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ।  ଆସନ୍ତା ସେପ୍ଟେମ୍ବର ୪ରେ ମହାସମାବେଶରେ ସମସ୍ତ ଆଶାକର୍ମୀ ଯୋଗଦେବା ପାଇଁ ଆହ୍ୱାନ ଦେଇଛି । ଆଶାକର୍ମୀଙ୍କ ଭତ୍ତା ବୃଦ୍ଧି, ୱାର୍କର ମାନ୍ୟତା ଏବଂ  ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରାଯିବ ବୋଲି  ରବିବାର ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ଏଆଇଟିୟୁସି କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ଏଆଇଟିୟୁସି ସହବନ୍ଧିତ ଏହି ସଂଘ ତରଫରୁ ବ୍ୟାପକ  ଆନ୍ଦୋଳନ ପାଇଁ ସଂଘ ଉପସଭାପତି ପଞ୍ଚାନନ  ମହାକୁଡ଼ ଆହ୍ୱାନ କରିଥିଲେ । ଏଆଇଟିୟୁସି ରାଜ୍ୟ  ସାଧାରଣ ସମ୍ପାଦକ ବିଜୟ ଜେନା ଦାବି ସଂପର୍କରେ  ଆଲୋକପାତ କରିଥିଲେ । 

ସେ କହିଥିଲେ, ନୂଆ  ସରକାର ଆସିବାଠାରୁ ଦୀର୍ଘ ୧ ବର୍ଷ ହେଲା ଭତ୍ତା  ଠିକ୍‌ ସମୟରେ ମିଳୁନାହିଁ । ପ୍ରତିମାସ ଧାର୍ଯ୍ୟ ଭତ୍ତା  ତିନି କିସ୍ତିରେ ମିଳୁଛି । ସ୍ୱାସ୍ଥ୍ୟକାର୍ଡ ଯୋଜନାରେ  କାର୍ଡ ବଣ୍ଟନର ଦାୟିତ୍ୱ ଆଶାକର୍ମୀଙ୍କୁ ଦିଆଯାଇଥିବା  ବେଳେ ବହୁ ପରିବାରର ଅନେକ ବ୍ୟକ୍ତି କାର୍ଡ ପାଇନଥିବାରୁ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରିବା  ସହିତ ମାର୍‌ପିଟ୍‌ କରାଯାଉଛି । ତେଣୁ ଆଶାକର୍ମୀଙ୍କ  ଭତ୍ତା ବୃଦ୍ଧି, ଜାତୀୟ ଶ୍ରମ ସମ୍ମିଳନୀ ଅନୁସାରେ ୱାର୍କର ମାନ୍ୟତା, ଚାକିରି ବୟସ ସୀମା ୬୨ରୁ ୬୫ବର୍ଷକୁ  ବୃଦ୍ଧି, ଅବସରକାଳୀନ ପ୍ରାପ୍ୟ ଏକ ଲକ୍ଷରୁ ପାଞ୍ଚ ଲକ୍ଷକୁ  ବୃଦ୍ଧି, କେନ୍ଦ୍ର ସରକାରଙ୍କ ସୁପାରିସ ଅନୁସାରେ ବସ୍‌  ଓ ଟ୍ରେନ୍‌ ପାସ୍‌, ନର୍ସିଂ ତାଲିମ ଓ ଏଏନ୍‌ଏମ୍‌ ନିଯୁକ୍ତି  ପାଇଁ କୋଟା ଧାର୍ଯ୍ୟ ତଥା ଅନ୍ୟାନ୍ୟ ଦାବିରେ ଏହି  ବ୍ୟାପକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ସଂଘ ।  ଏହି ବୈଠକରେ ସାଧାରଣ ସମ୍ପାଦିକା ନମିତା ସାହୁ  ପ୍ରାରମ୍ଭିକ ସୂଚନା ଦେବା ପରେ ଏଆଇଟିୟୁସି ରାଜ୍ୟ  କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନା, ଆଶା କର୍ମୀ  ସଂଘ ନେତ୍ରୀ ବାସନ୍ତୀ ପ୍ରଧାନ, ମଞ୍ଜୁଲତା ଭୋଇ, ସୁରେଖା ନାଗ, ସନ୍ତୋଷିନୀ ପଟ୍ଟନାୟକ ଓ ମମତା  ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।