ଭୁବନେଶ୍ୱର,୧୬।୫: ଶିକ୍ଷା ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସେଣ୍ଟର ଫର ପ୍ରୋପାଗେସନ୍,ପି୍ରଜରଭେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆନ (ପ୍ରାଚୀନ) ଦ୍ୱାରା ଶୁକ୍ରବାର ଏକ ସପ୍ତାହ ବ୍ୟାପୀ ଲେଖା ସମ୍ପାଦନା କର୍ମଶାଳା ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେବିଶିଷ୍ଟ ଶିଳାଲେଖ ବିଶାରଦ ଓ ପ୍ରାଚୀନ ଲିପି ଗବେଷକ ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟଯୋଗ ଦେଇ ପୁରାତନ ପୋଥିର ଗନ୍ତାଘର ଭାରତରେ ଏହି ଅମୂଲ୍ୟ ସମ୍ପତ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି କହିଥିଲେ। ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଯୋଗ ଦେଇ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ଡକ୍ଟର ଆଚର୍ଯ୍ୟ କହିଥିଲେ ଯେ ଭାରତର ଅସରନ୍ତି ସାହିତ୍ୟ ଭଣ୍ଡାର ବିଶେଷ ଭାବେ ସଂସ୍କୃତରେ ଲିଖିତ ପୋଥି ଗୁଡ଼ିକ ଉପରେ ଗବେଷଣା ହେବା ଆବଶ୍ୟକ । ଦେଶରେ ଉପଲବ୍ଧ ଏହି ସାହିତ୍ୟ ନିଧିର ମାତ୍ର ୨୦ ପ୍ରତିଶତ ଏପର୍ଯ୍ୟନ୍ତ ସଂପାଦନା ହୋଇପାରିଛି ।
ଡକ୍ଟର ଆଚାର୍ଯ୍ୟ କହିଥିଲେ ଯେ,ଅଷ୍ଟବିଂଶ ଓ ଊନବିଂଶ ଶତାବ୍ଦୀରେ ଇଉରୋପର ଐତିହାସିକମାନେ ଭାରତରେ ପହଂଚିବା ପରେ ମନେ କରିଥିଲେ ଯେ ଏହି ଦେଶରକୌଣସି ଇତିହାସ ଓ ସଂସ୍କୃତି ନାହିଁ । ସେମାନଙ୍କ ମଧ୍ୟରେ ଭାଷାବିତ ସାର ଉଇଲିୟମ ଜୋନସ୍ ଭାରତରେ ପୁରାତନ ପୋଥି ଓ ଶିଳାଲେଖ ସଂଗ୍ରହ କରିବାକୁ ଆରମ୍ଭ କରିଥିଲେ ଏବଂ ଏଥିରେ ତାଙ୍କୁ ଆଉ ଜଣେ ଗବେଷକ ଚାର୍ଲସ ଉଇଲକିନସ ସହାୟତା କରିଥିଲେ । ୧୭୮୪ ମସିହାରେ ସାର ଜୋନସ କୋଲକାତା ଠାରେ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ ସ୍ଥାପନ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଏଥିରେ ସେମାନେ ସେତେବେଳର ଭାରତୀୟ ପଣ୍ଡିତ ମାନଙ୍କ ସହାୟତା ନେଇଥିଲେ । ୧୮୦୮ ମସିହା ବେଳକୁ ସାର ଜୋନସ୍ ଓ ଉଇଲକିନସ କାଳିଦାସଙ୍କ ଶକୁନ୍ତଳା କାବ୍ୟକୁ ଇଂରାଜୀ ଭାଷାରେ ଅନୁବାଦ କରିସାରିଥିଲେ । କାଳକ୍ରମେ ଇଂରେଜମାନେ ଭାରତର ଉନ୍ନତ ସାହିତ୍ୟ ଓ ସଂସ୍କୃତିର ପରିଚୟ ପାଇ ପାରିଥିଲେ ବୋଲି ଡକ୍ଟର ଆଚାର୍ଯ୍ୟ କହିଥିଲେ । ଇଂରେଜମାନଙ୍କ ପରେ ଜର୍ମାନୀର ବିଶାରଦମାନେ ଭାରତର ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ।
ପ୍ରଫେସର ଗାୟତ୍ରୀବାଳା ପଣ୍ଡା ପ୍ରାଚୀନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ।ସାରଳାଦାସଙ୍କ ମହାଭାରତକୁ ସମ୍ପାଦନା କରି ଅନେକ ଗୁଡ଼ିଏ ସଂଖ୍ୟା ପ୍ରକାଶିତ କରିଥିବା ଜଣାଇଥିଲେ । ଏହା ଛଡ଼ା ପ୍ରାଚୀନ ପକ୍ଷରୁ ୭ ଲକ୍ଷରୁ ଊଦ୍ଧ୍ୱର୍ ପୁରାତନ ପୋଥିର ପୃଷ୍ଠାକୁ ଡିଜିଟାଲାଇଜ୍ଡ କରାଯାଇଥିବାସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସରଗୌରାଙ୍ଗ ଚରଣ ଦାସ ବକ୍ତବ୍ୟ ରଖି ପ୍ରାଚୀନ ଦ୍ୱାରା ଦ୍ୱିତୀୟ ଥର ପାଇଁ ଏପରି ଲେଖା ସମ୍ପାଦନା ଉପରେ କର୍ମଶାଳା ଆୟୋଜିତ ହୋଇଥିବା କହିଥିଲେ । କାର୍ଯ୍ୟକ୍ରମରେ ଡକ୍ଟର ନିହାର ରଞ୍ଜନ ମିଶ୍ର,ଆସୋସିଏଟ୍ ପ୍ରଫେସର,ଜୀବନ କୁମାର ପଣ୍ଡା,ବିଭୁତି ପ୍ରସାଦ ସାହୁ ଏବଂ ସମ୍ବିତ ପଟ୍ଟନାୟକ ଉପସ୍ଥିତ ଥିଲେ ।
ଏହି କର୍ମଶାଳାରେ ୪୧ ଜଣ ଗବେଷକ ଯୋଗ ଦେଇଛନ୍ତି । ସେମାନଙ୍କୁ ପ୍ରାଚୀନର ୪ ଜଣ ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ଦାସ,ପ୍ରଫେସର ଗୌରାଙ୍ଗ ଚରଣ ଦାସ,ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।