ପୁରୀ,୨୨/୦୫(ରାଜଶ୍ରୀ ସାହୁ): ସୁରେଇଲତା, ମହୁରିଆ, ରୋହିଣୀ, ଚୁଲି ଝିଙ୍କା । ବାଲୁଖଣ୍ଡର ବୃକ୍ଷ ଅଭିଧାନରୁ ହଜିଯାଉଛି ଏହି ସବୁ ନାଁ । କୃଷ୍ଣସାର ମୃଗ, ପଲାସ୍ଫିସ୍ ଇଗଲ୍, ମାଛରଙ୍କା ବିଲେଇ, ଓଧ ଏହି ସବୁ ପ୍ରାଣୀ ମଧ୍ୟ ଉଭେଇ ଯାଉଛନ୍ତି । ଜଳବାୟୁ ପରିବର୍ତ୍ତନ, ମାନବକୃତ କ୍ଷତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିଗିଡ଼ି ଚାଲିଛି ଜୈବ ବିବିଧତା । ଯାହାଦ୍ୱାରା ପ୍ରତ୍ୟେକ୍ଷ ଭାବେ ବୃକ୍ଷ ଓ ବନ୍ୟପ୍ରାଣୀ କ୍ଷତି ସହୁଥିବା ବେଳେ ପରୋକ୍ଷରେ ମାନବ ସମାଜର ବୃହତ କ୍ଷତି ହେଉଛି । ଆଜି ସାରା ବିଶ୍ୱ ଜୈବ ବିବିଧତା ଦିବସ ପାଳନ କରୁଥିବା ବେଳେ ପୁରୀର ଜୈବ ବିବିଧତା ବର୍ତ୍ତମାନ ସମୟର ଆହ୍ୱାନ ପାଲଟିଛି ।

୧୬୧ ପ୍ରଜାତିର ଗଛକୁ ଜାବୁଡ଼ି ଧରିଥିବା ପୁରୀ ବନଖଣ୍ଡ ଅଞ୍ଚଳରେ ୫୦ରୁ ଊଦ୍ଧ୍ୱର୍ ପ୍ରଜାତିର ଗଛ ବର୍ତ୍ତମାନ ବିଲୁପ୍ତପ୍ରାୟ ଅବସ୍ଥାରେ ଅଛନ୍ତି । ବିଭିନ୍ନ ପ୍ରକାର କୋଳି ଗଛ ବାଲୁଖଣ୍ଡରେ ଦେଖିବାକୁ ମିଳୁନି । କୋଚିଲା, ହିଞ୍ଜାଳ, ଟିଣ କୋଳି ଆଦି ଗଛ ଶୂନ୍ୟ ପ୍ରାୟ ରହିଛି । ବେଲଦଳ ଅଞ୍ଚଳର ରାଜା ପ୍ରଧାନ (୫୨) କହିଛନ୍ତି, ବାରମ୍ବାର ବାତ୍ୟା ସହ ଗଛ କଟାଯିବାରୁ ଅନେକ ଗଛ ନଷ୍ଟ ହେଉଛି । ପୂର୍ବରୁ ଯେକୌଣସି ରୋଗର ଉପଚାର ପାଇଁ ସେମାନେ ବାଲୁଖଣ୍ଡ ଉପରେ ନିର୍ଭରଶୀଳ ଥିଲେ । ହେଲେ ଏବେ ଔଷଧୀୟ ଗଛଟିଏ ଖୋଜି ପାଇବା କଷ୍ଟକର ହୋଇପଡ଼ିଛି । କେବଳ ସେତିକି ନୁହେଁ ବାଲୁଖଣ୍ଡରେ ପୂର୍ବରୁ ପ୍ରଚୁର ମାତ୍ରାରେ ଘାସ ଥିଲା । ଫଳରେ ନିକଟସ୍ଥ ଗ୍ରାମବାସୀ ଗାଈ, ଛେଳି ଚରାଇ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ଏବେ ଜଙ୍ଗଲରେ ଘାସ ଦେଖିବାକୁ ମିଳୁନି ବୋଲି ସେ କହିଛନ୍ତି ।

ସେହିଭଳି ଏକଦା କୃଷ୍ଣସାର ମୃଗଙ୍କ ପାଇଁ ପରିଚିତ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ୨୦୧୨ ମସିହାରେ କୃଷ୍ଣସାର ମୃଗ ଶୂନ୍ୟ ହୋଇଯାଇଥିଲା । ପୁଣି କୃଷ୍ଣସାର ମୃଗ ସଂଖ୍ୟା ବୃଦ୍ଧି ପାଇଁ ଘୁମୁସର ବନଖଣ୍ଡରୁ ୧୦ଟି କୃଷ୍ଣସାର ମୃଗ ଗତବର୍ଷ ଛଡ଼ା ଯାଇଥିଲା । ହେଲେ ଏହି କୃଷ୍ଣସାର ମୃଗ ସବୁ ବାଲୁଖଣ୍ଡ ଜଙ୍ଗଲ ସହ ଖାପ ଖୁଆଇ ପାରୁନଥିବାରୁ ବର୍ତ୍ତମାନ ସୁଦ୍ଧା ଏମାନଙ୍କୁ ଜଙ୍ଗଲ ବିଭାଗ ନଜରରେ ଏନ୍ ଜରରେ ରଖାଯାଇଛି । କେବଳ କୃଷ୍ଣସାର ମୃଗ ନୁହେଁ ବାଲୁଖଣ୍ଡରୁ ଚିତ୍ରା ହରିଣଙ୍କ ସଂଖ୍ୟା ମଧ୍ୟ କମିଚାଲିଛି । ବାଲୁଖଣ୍ଡ ଜଙ୍ଗଲର ଅନ୍ୟ ଏକ ଆକର୍ଷଣ ଥିଲା ମାଛ ରଙ୍କା ବିଲେଇ । କିଛି ବର୍ଷ ତଳେ ଏହି ବିଲେଇ ବିପୁଳ ସଂଖ୍ୟାରେ ପ୍ରତ୍ୟେକ ଦିନ ନଜର ଆସୁଥିଲେ । ହେଲେ ଏବେ କାଁ ଭାଁ କେବେ କେବେ ଏହି ବିଲେଇଙ୍କୁ ଦେଖିବାକୁ ମିଳୁଛି । ସେହିଭଳି ପୁରୀର ଚିଲିକା ଓ ବାଲୁଖଣ୍ଡ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପଲାସଫିସ୍ ଇଗଲଙ୍କୁ ମଧ୍ୟ ଦେଖିବାକୁ ମିଳିନି । ୨ ବର୍ଷ ତଳେ ହୋଇଥିବା ପକ୍ଷୀ ଗଣନାରେ ପୁରୀରେ ଏବେ ମାତ୍ର ୨ଟି ପଲାସଫିସ୍ ଇଗଲ ଥିବା ଜଣାପଡ଼ିଛି ।

ଜୈବ ବିବିଧତାରୁ କେବଳ ପଶୁ, ପକ୍ଷୀ ଓ ବୃକ୍ଷ ନୁହେଁ ମାଛମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ସମୁଦ୍ରକୂଳଠାରୁ କିଛି ମିଟର ଦୂରରେ ଯେଉଁଠି ପୁଳାପୁଳା ମାଛ ମତ୍ସ୍ୟଜୀବୀଙ୍କୁ ମିଳୁଥିଲା ଏବେ ସେହି ଅଞ୍ଚଳରେ ମାଛ ମିଳୁନାହାନ୍ତି । ଇଲିସି, ଖଇଁଗା, କଣି ଭଳି ମାଛଙ୍କ ସଂଖ୍ୟା ପ୍ରବଳ ମାତ୍ରାରେ କମିଛି । ଏହି ସବୁ ମାଛ ଖୁବକମ୍ ମାତ୍ରାରେ ଜାଲରେ ଲାଗୁଛି । ଯାହାଦ୍ୱାରା ମତ୍ସ୍ୟଜୀବୀ ସୁତୀ ଫିସିଂ କରୁଛନ୍ତି । ଯେଉଁଥିରେ ସେମାନେ ଗଭୀର ସମୁଦ୍ରରୁ ବଡ଼ ମାଛ ଧରୁଛନ୍ତି । ଏହା ସମୁଦ୍ରର ଜୈବ ବିବିଧତା ଉପରେ ପ୍ରବଳ କୁପ୍ରଭାବ ପକାଇବା ସହ ଅନ୍ୟ ସାମୁଦ୍ରିକ ଜୀବଙ୍କ ପାଇଁ ବିପଦର କାରଣ ପାଲଟୁଛି ।

ଅଧିକ ପଢ଼ନ୍ତୁ :-  CHSE error : ଇଂରାଜୀରେ ୧୦୦ରୁ ୧୦୨ ନମ୍ଵର ରଖିଲେ ଛାତ୍ର, CHSEର ସାଙ୍ଘାତିକ ତ୍ରୁଟି

ପରିବେଶବିତ୍ ଆକାଶ ରଞ୍ଜନ ରଥ କହିଛନ୍ତି, ଜୈବ ବିବିଧତା ପଶୁପକ୍ଷୀଙ୍କ ତୁଳନାରେ ମଣିଷ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ଜୈବବିବିଧତା ବିଗିଡ଼ିଲେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ରୋଜଗାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଗରିବ ଶ୍ରେଣୀର ଲୋକ ହିଁ ସର୍ବାଧିକ ପ୍ରଭାବିତ ହୋଇଥାନ୍ତି । ଜୈବବିବିଧତାକୁ ବଜାୟ ରଖିବା ପାଇଁ ପ୍ରଥମେ ପଲିସି ମେକିଂ ସମୟରେ ଯତ୍ନବାନ ହେବା ଜରୁରି । ଜଙ୍ଗଲକୁ ନେଇ ସରକାର କିଛି କରିବା ପୂର୍ବରୁ ଏହାଦ୍ୱାରା କେତେ କ୍ଷୟକ୍ଷତି ହେଉଛି ଆକଳନ କରାଯିବା ଜରୁରି । ଏଥିପାଇଁ ସରକାର ଗ୍ରାମବାସୀ ଓ ଜଙ୍ଗଲ ସହ ଜଡ଼ିତ ବ୍ୟକ୍ତିତ୍ୱମାନଙ୍କ ମତାମତ ନିଅନ୍ତୁ ।