ନୂଆଦିଲ୍ଲୀ,୦୩/୦୮: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ରବିବାର ଦିନ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (ଡବ୍ଲୁସିଏଲ୍) ରେ ଏହାର ଖେଳାଳିମାନଙ୍କ ଅଂଶଗ୍ରହଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଘୋଷଣା କରିବା ସହିତ ଟୁର୍ଣ୍ଣାମେଣ୍ଟର ଆୟୋଜକମାନେ ପକ୍ଷପାତିତା କରୁଥିବା ଅଭିଯୋଗ କରିଛି।
ପାକିସ୍ତାନୀ ଖେଳାଳୀଙ୍କ ପାଇଁ ନିଷ୍ପତ୍ତି:
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରୀଡ଼ା ସମ୍ପର୍କ ଉପରେ ଦେଶର ମତକୁ ଗ୍ରହଣ କରି ଭାରତୀୟ ଦଳ ଏହି ପଡ଼ୋଶୀ ଦେଶ ବିପକ୍ଷରେ ଡବ୍ଳୁସିଏଲ୍ର ଗ୍ରୁପ୍ ପର୍ଯ୍ୟାୟ ଏବଂ ସେମିଫାଇନାଲ ମ୍ୟାଚ୍ ଖେଳିବାକୁ ମନା କରିବା ପରେ ପିସିବି ଏହି ନିଷ୍ପତ୍ତି ନେଇଛି। ମୋହସିନ ନକଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଏକ ଭର୍ଚୁଆଲ୍ ବୈଠକ ପରେ ପିସିବି ଏକ ବିବୃତ୍ତିରେ କହିଛି, 'ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଘୋଷଣା କରୁଛି ଯେ ଏହା ଭବିଷ୍ୟତରେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ( ଡବ୍ଳୁସିଏଲ୍) ରେ ଅଂଶଗ୍ରହଣ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରୁଛି।'
ପିସିବି ମଧ୍ୟ ଡବ୍ଲୁସିଏଲର ଭାରତକୁ ପଏଣ୍ଟ ପ୍ରଦାନ ନିଷ୍ପତ୍ତି ଉପରେ କଡ଼ା ଆପତ୍ତି ଉଠାଇଛି ଏବଂ କହିଛି ଯେ ଏହା 'କପଟତାପୂର୍ଣ୍ଣ ଏବଂ ପକ୍ଷପାତପୂର୍ଣ୍ଣ'। ଭାରତ ଏବଂ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ଖେଳିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଭାରତର ଅପରେସନ ସିନ୍ଦୁର ପରେ ଜାତୀୟ ଭାବନାକୁ ଗୁରୁତ୍ବ ଦେଇ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେଇଥିଲା। ଭାରତୀୟ ଦଳରେ ଶିଖର ଧାୱନ, ଯୁବରାଜ ସିଂହ, ଇରଫାନ ପଠାନ, ସୁରେଶ ରାଇନା ଏବଂ ହରଭଜନ ସିଂହଙ୍କ ଭଳି ଖେଳାଳି ସାମିଲ ଥିଲେ। ଭାରତ ସେମିଫାଇନାଲରେ ନ ଖେଳିବା ଯୋଗୁଁ ପାକିସ୍ତାନ ସିଧାସଳଖ ଫାଇନାଲରେ ପହଞ୍ଚିଥିଲା।
ପିସିବି ତାର ବିବୃତ୍ତିରେ କହିଛି, 'ପିସିବି ଡବ୍ଲୁସିଏଲ୍ର ଜାଣିଶୁଣି ମ୍ୟାଚ୍ ହାରିଥିବା ଦଳର ନିଷ୍ପତ୍ତିକୁ ସମୀକ୍ଷା କରିଛି । ଏହା ବ୍ୟତୀତ, ଭାରତ ବନାମ ପାକିସ୍ତାନ ଲିଜେଣ୍ଡ୍ସ ମ୍ୟାଚ୍ ବାତିଲ ଘୋଷଣା କରୁଥିବା ଡବ୍ଲୁସିଏଲ୍ ପ୍ରେସ୍ ରିଲିଜର ବିଷୟବସ୍ତୁ ମଧ୍ୟ ସମୀକ୍ଷା କରାଯାଇଥିଲା ଏବଂ ଏଥିରେ କପଟତା ଏବଂ ପକ୍ଷପାତିତା ପରିପୂର୍ଣ୍ଣ ଥିଲା।' ବୋର୍ଡ ଆହୁରି କହିଛି ଯେ ଏହା ଏହାର ଖେଳାଳିମାନଙ୍କୁ ଏପରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇପାରିବ ନାହିଁ ଯେଉଁଠାରେ 'ପକ୍ଷବାଦୀ ରାଜନୀତି କ୍ରୀଡ଼ା ମନୋଭାବ ଉପରେ ପ୍ରାଧାନ୍ୟ ବିସ୍ତାର କରୁଛି ଏବଂ ଯାହା କ୍ରୀଡ଼ା ମନୋଭାବର ମୌଳିକ ଉପାଦାନକୁ ଦୁର୍ବଳ କରୁଛି।'
କ୍ଷମା ମାଗିଥିଲା ଡବ୍ଳୁସିଏଲ୍:
ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ବାତିଲ ହେବା ପରେ ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ସହ-ମାଲିକାନାଧୀନ ଡବ୍ଳୁସିଏଲ୍ କ୍ଷମା ପ୍ରାର୍ଥନା କରିଥିଲା। ଡବ୍ଳୁସିଏଲ୍ କହିଥିଲା, 'ଆମେ ପୁଣି ଥରେ ଭାବନାକୁ ଆଘାତ ଦେବା ପାଇଁ କ୍ଷମା ପ୍ରାର୍ଥନା କରୁଛୁ ଏବଂ ଆଶା କରୁଛି ଯେ ଲୋକମାନେ ବୁଝିବେ ଯେ ଆମର ଲକ୍ଷ୍ୟ କ୍ରିକେଟ୍ ପ୍ରେମୀଙ୍କୁ କିଛି ଖୁସିର ମୁହୂର୍ତ୍ତ ଦେବାର ଥିଲା।' ତଥାପି, ପିିସିବି ଏହି କ୍ଷମା ପ୍ରାର୍ଥନାକୁ ହାସ୍ୟାସ୍ପଦ ଦର୍ଶାଇ କହିଥିଲା, 'ଭାବନାକୁ ଆଘାତ ଦେବା' ପାଇଁ ଡବ୍ଳୁସିଏଲ୍ର କ୍ଷମା ପ୍ରାର୍ଥନା, ଯଦିଓ ହାସ୍ୟାସ୍ପଦ, କିନ୍ତୁ ଅଜାଣତରେ ସ୍ୱୀକାର କରୁଛି ଯେ ଏକ ନିର୍ଦ୍ଦିଷ୍ଟ ଜାତୀୟତାବାଦୀ ଭାବନାର ବଶବର୍ତ୍ତୀ ହୋଇ ମ୍ୟାଚ୍ ବାତିଲ କରାଯାଇଥିଲା। ଏହା ଅନ୍ତର୍ଜାତୀୟ କ୍ରୀଡ଼ା ସମ୍ପ୍ରଦାୟକୁ ଭୁଲ ବାର୍ତ୍ତା ଦେଇଥିଲା।'
ବିବୃତ୍ତିରେ କୁହାଯାଇଛି, 'ପିସିବି ଆଉ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଏହାର ଦଳକୁ ଅନୁମତି ଦେଇପାରିବ ନାହିଁ ଯେଉଁଠାରେ ବାହ୍ୟ ଚାପ ଯୋଗୁଁ ନିରପେକ୍ଷ ଖେଳ ଏବଂ ନିରପେକ୍ଷ ପ୍ରଶାସନର ମୌଳିକ ନୀତିଗୁଡ଼ିକ ବିପଦରେ ପଡ଼ିଥାଏ।' ଏତିକିବେଳେ ଏହି ବିଷୟ ସମ୍ପର୍କରେ ଅବଗତ ସୂତ୍ର କହିଛନ୍ତି ଯେ ଡବ୍ଳୁସିଏଲ୍ର ଭାରତୀୟ ପ୍ରମୋଟରମାନେ ଭବିଷ୍ୟତର ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନୀ ଦଳକୁ ବାହାରେ ରଖିବା ବିଷୟରେ ବିଚାର କରୁଛନ୍ତି।