ସିଙ୍ଗାପୁର,୩୦/୧୧: ଡିଫେଣ୍ଡିଂ ଚାମ୍ପିଅନ୍‌ ଚୀନର ଡିଙ୍ଗ୍‌ ଲିରେନ୍‌ ଓ ଭାରତୀୟ ଗ୍ରାଣ୍ଡମାଷ୍ଟର  ଡି. ଗୁକେଶଙ୍କ ମଧ୍ୟରେ ଚାଲିଥିବା ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଛି । ଗୋଟିଏ ଦିନର ବିଶ୍ରାମ ପରେ ଆଜି ଉଭୟଙ୍କ ମଧ୍ୟରେ  ଚତୁର୍ଥ ରାଉଣ୍ଡ୍‌ ଖେଳାଯାଇଥିଲା ଏବଂ ଉଭୟ ପଏଣ୍ଟ  ଭାଗ କରିଥିଲେ । ଚତୁର୍ଥ ରାଉଣ୍ଡ୍‌ ଶେଷ ସୁଦ୍ଧା ସ୍ଥିତି  ୨-୨ରେ ବରାବର ରହିଛି । ଆଉ ୧୦ ରାଉଣ୍ଡ୍‌ ଖେଳ  ବାକି ଅଛି। ଶନିବାର ପଞ୍ଚମ ରାଉଣ୍ଡ୍‌ ଖେଳାଯିବ । 

ଶୁକ୍ରବାର ଲିରେନ ଧଳା ଏବଂ ଗୁକେଶ କଳା ଗୋଟିରେ ଖେଳିଥିଲେ । ଲିରେନ ରେଟି ଓପନିଂ ରଣନୀତି ସହ ଗୋଟି ଚାଳନା କରି ଗୁକେଶଙ୍କୁ  ଚକିତ କରି ଦେଇଥିଲେ । ମାତ୍ର କ୍ୟାଣ୍ଡିଡେଟ୍ସ  ଚାମ୍ପିଅନ୍‌ ଗୁକେଶ ଏହାର କଡ଼ା ଜବାବ ଦେଇଥିଲେ । ୧୧ତମ ଗୋଟି ଚାଳନା ସୁଦ୍ଧା ସେ ଭଲ ସ୍ଥିତିରେ  ରହିଥିଲେ । ୧୩ତମ ଗୋଟି ଚାଳନାରେ ଲିରେନ ବହୁ ସମୟ ଅପଚୟ କରିଥିଲେ । ଏହାପରେ ସେ  ଆକ୍ରମଣ ଆରମ୍ଭ କରି ଦେଇଥିଲେ । କିନ୍ତୁ ଗୁକେଶ  ପ୍ରଭାବିତ ହୋଇନଥିଲେ । ସେ ଚତୁରତାର ସହ  ଗୋଟି ଚାଳନା କରିଥିଲେ । ଶେଷରେ ୪୨ଟି ଗୋଟି  ଚାଳନା ପରେ ଉଭୟ ପଏଣ୍ଟ ଭାଗ କରିଥିଲେ । 

ମ୍ୟାଚ୍‌ ଶେଷ ହେବା ପରେ ଗୁକେଶ  କହିଥିଲେ, ଲିରେନ ନୂଆ ରଣନୀତିରେ ଖେଳ  ଆରମ୍ଭ କରିଥିଲେ । ପୂର୍ବରୁ ମୁଁ ଏହି ରଣନୀତିରେ ଗୋଟିଏ ମ୍ୟାଚ୍‌ ଦେଖିଥିଲି । ଆଜି ବୋର୍ଡ଼ରେ ଦେଖି  ଆଶ୍ଚର୍ଯ୍ୟ ହୋଇଯାଇଥିଲି । ପ୍ରଥମେ ଲିରେନଙ୍କ  ପଲା ଭାରି ରହିଥିବା ଭାବିଥିଲି । ମାତ୍ର ମୁଁ ଏହାକୁ  ପ୍ରଭାବହୀନ କରିବାରେ ସଫଳ ହୋଇଥିଲି ।’ ବିଶ୍ୱ ଚାମ୍ପିଅନସିପ୍‌ ମୁକାବିଲାରେ ଲିରେନ ପ୍ରଥମ ରାଉଣ୍ଡ୍‌ ଜିତି ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ଗୁକେଶ ଦ୍ୱିତୀୟ ରାଉଣ୍ଡ୍‌ ଡ୍ର’ ରଖି ମ୍ୟାଚ୍‌କୁ  ଫେରିଥିଲେ । ତୃତୀୟ ରାଉଣ୍ଡ୍‌ରେ ଗୁକେଶ ଚମତ୍କାର  ଖେଳ ପ୍ରଦର୍ଶନ କରିବା ସହ ବିଜୟ ଖାତା ଖୋଲିଥିଲେ।